କନକ ବ୍ୟୁରୋ: କନକ ନ୍ୟୁଜ୍‌ରେ ଖବର ପ୍ରସାରଣ ପରେ ଚେତିଲା ଖଣି ବିଭାଗ । ଗ୍ରାଉଣ୍ଡ ଜିରୋରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି ଖଣି ନିର୍ଦ୍ଦେଶକ ।  ଖଣି ଉପ ନିର୍ଦ୍ଦେଶକ ବିମ୍ବାଧର ସେଠୀଙ୍କ ନେତୃତ୍ବରେ ୯ ଜଣିଆ ଟିମ ଘଟଣାସ୍ଥଳକୁ ଯାଇ ତଦନ୍ତ କରୁଛି । ତେଲେନ୍‌ଡିହି, ରତନସରା ସହ ଅନ୍ୟ ବେଆଇନ ଖଣି ଉପରେ ତଦନ୍ତ କରୁଛି । ତଦନ୍ତ ପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ଖଣି ନିର୍ଦ୍ଦେଶକ। ଆଜି ବୋଗରାକଛା, ଜାମକାନି ରିଜର୍ଭ ଫରେଷ୍ଟ ଅଞ୍ଚଳକୁ ଯାଇ ଖୋଳତାଡ଼ କରିବେ ଉପନିର୍ଦ୍ଦେଶକ। ତଦନ୍ତ କରିବା ପରେ ଖଣି ନିର୍ଦ୍ଦେଶକଙ୍କୁ ରିପୋର୍ଟ ଦେବେ । ବର୍ଷ ବର୍ଷ ଧରି ମାଫିଆମାନେ ଜଙ୍ଗଲ ଭିତରେ ଖଣି ଖୋଳି ହଜାର ହଜାର ଟନ୍ କୋଇଲା ଚୋରା ଚାଲାଣ କରି ଆସୁଛନ୍ତି। ସେପଟେ ଖଣିଜ ଲୁଟ୍‌କୁ ନେଇ ସୁନ୍ଦରଗଡ଼ ଜିଲ୍ଲାପାଳ ମନୋଜ ସତ୍ୟବାନ ମହାଜନ କଡ଼ା ଆଭିମୁଖ୍ୟ ଦେଖାଇଛନ୍ତି । ୩ ଦିନ ମଧ୍ୟରେ ଚୋରା ଖଣି ଠାବ କରି ଅଞ୍ଚଳର ସମସ୍ତ କୋଲ ୱାସେରି ଓ କୋଇଲା ଡିପୋକୁ ଯାଞ୍ଚ କରି ଷ୍ଟକର ହିସାବ ନେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । 

Advertisment

ଖଣି ଚୋରି ମାମଲାର ସିବିଆଇ ତଦନ୍ତ ଦାବି କରିଛନ୍ତି ସୁନ୍ଦରଗଡ଼ ବିଧାୟକ। ପ୍ରଥମ ଥର ପାଇଁ ମୁହଁ ଖୋଲି ବିଧାୟକ ଯୋଗେଶ ସିଂ କହିଛନ୍ତି, ମାଫିଆମାନେ ରାତି ପାହିଲେ ଦାମୀ ଗାଡି ନଗଦ ଟଙ୍କାରେ କିଣୁଛନ୍ତି । ଖଣି ଚୋରି ମାମଲାରେ ବିଜେଡି, ବିଜେପି କି ଯେଉଁ ଦଳର ରାଜନେତା ସାମିଲ ଅଛନ୍ତି ସେମାନକୁ ପ୍ରଥମେ ଗିରଫ କରାଯାଉ। ସ୍ଥାନୀୟ ପ୍ରଶାସନ ଏଥିରେ ସାମିଲ ଥିବା ସେ ଅଭିଯୋଗ କରିଛନ୍ତି । ତାଙ୍କୁ ତଦନ୍ତ ଭାର ନଦେଇ ସିବିଆଇ କିମ୍ବା କ୍ରାଇମବ୍ରାଞ୍ଚକୁ ତଦନ୍ତ ଭାର ସରକାର ଦିଅନ୍ତୁ ବୋଲି ଦାବି କରିଛନ୍ତି ବିଧାୟକ ।