କନକ ବ୍ୟୁରୋ: ଓଡିଶା ପାଇଁ ପୁଣି ଚିନ୍ତା ବଢାଇଲା ଅପପୁଷ୍ଟି । ୯୮୬୨୦ ପିଲା ଅପପୁଷ୍ଟିର  ଶିକାର  । ୨୦୨୪-୨୫ ଆର୍ଥିକ ବର୍ଷରେ, ୯୮୬୨୦ ଶିଶୁ ଅପପୁଷ୍ଟିର ଶିକାର ହୋଇଥିବା ବିଧାନସଭାରେ ଲିଖିତ ଉତ୍ତର ରଖିଛନ୍ତି ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ପୋଷଣ ଟ୍ରାକର ଅନୁସାରେ ଏହି ତଥ୍ୟ ସାମ୍ନାକୁ ଆସିଛି । 

ତେବେ ଅପପୁଷ୍ଟି ରୋକିବାକୁ ସରକାର ପଦକ୍ଷେପ ନେଉଥିବା କହିଛନ୍ତି ଉପ ମୁଖ୍ୟମନ୍ତ୍ରୀ । ପରିପୂରକ ପୁଷ୍ଟି ଯୋଜନା ମାଧ୍ୟମରେ ଅଙ୍ଗନୱାଡି କେନ୍ଦ୍ରରେ ପଞ୍ଜୀକୃତ ସମସ୍ତ ଶିଶୁ (୬ ମାସରୁ ୬ ବର୍ଷ) ମାନଙ୍କୁ ପ୍ରତି ମାସରେ ୨୫ ଦିନ ହିସାବରେ ବର୍ଷକୁ ୩୦୦ ଦିନ ପାଇଁ ପରିପୂରକ ପୁଷ୍ଟିକର ଖାଦ୍ୟ ଯୋଗାଇ ଦିଆଯାଉଛି । ଏହି ଯୋଜନା ମାଧ୍ୟମରେ ୬ ମାସରୁ ୩ ବର୍ଷ ବୟସର ସାଧାରଣ ଶିଶୁଙ୍କୁ ଟିଏଚଆର ଛତୁଆ, ଅଣ୍ଡା, ଲଡୁ, ଶୁଖିଲା ରାସନ ଇତ୍ୟାଦି ଯୋଗାଇ ଦିଆଯାଉଛି । 

ଯେଉଁ ଶିଶୁମାନେ ଅଣ୍ଡା ଖାଇବେ ନାହିଁ ସେମାନଙ୍କୁ ମାସକୁ ଅତିରିକ୍ତ ଲଡୁ ପ୍ରଦାନ କରାଯିବାର ବ୍ୟବସ୍ଥା ହୋଇଛି । ୩ ବର୍ଷରୁ ୬ ବର୍ଷର ଶିଶୁଙ୍କୁ ଅଙ୍ଗନୱାଡି କେନ୍ଦ୍ରରେ ଗରମ ରନ୍ଧା ଖାଦ୍ୟରେ ସପ୍ତାହକୁ ୫ଟି ଅଣ୍ଡା ଦିଆଯାଉଛି  ।

ମୁଖ୍ୟମନ୍ତ୍ରୀ ସମ୍ପୂର୍ଣ୍ଣ ପୁଷ୍ଟି ଯୋଜନା ମାଧ୍ୟମରେ ଏସଏଏମ ଶିଶୁ (୬ ମାସରୁ ୫ ବର୍ଷ) ମାନଙ୍କୁ ପ୍ରତିଦିନ ୧୦୦ ଗ୍ରାମ ଗୁଣବତ୍ତା ସମ୍ପନ୍ନ ଛତୁଆ ଓ ଗୋଟେ ଅଣ୍ଡା ହିସାବରେ ୧୧୨ ଦିନ ପାଇଁ ଖାଦ୍ୟ ଯୋଗାଇ ଦିଆଯାଉଅଛି । ଏସୟୁଡବ୍ଲୁ ଓ ଏମଏଏମ ଶିଶୁ ମାନଙ୍କୁ ବେସନ ଅଟା ମିଶ୍ରଣ, କଦଳୀ ଓ ଅଣ୍ଡା ୭୫ ଦିନ ପାଇଁ ପ୍ରଦାନ କରାଯାଉଛି ।