କନକ ବ୍ୟୁରୋ: ଦୁଇଟି ପର୍ଯ୍ୟାୟରେ ୬୦ଲକ୍ଷରୁ ଅଧିକ ଆବେଦନକାରୀ ସୁଭଦ୍ରା ଯୋଜନାରେ ପ୍ରଥମ କିସ୍ତି ଟଙ୍କା ପାଇଛନ୍ତି । ଏବେ ବି ୪୦ଲକ୍ଷରୁ ଅଧିକ ଆବେଦନକାରୀ ସୁଭଦ୍ରା ଯୋଜନାରେ ସାମିଲ ହେବାକୁ ଅପେକ୍ଷା କରି ରହିଛନ୍ତି । କେବେ ସେମାନଙ୍କୁ ସୁଭଦ୍ରା ଟଙ୍କା ମିଳିବ ତାକୁ ଅପେକ୍ଷା କରିଛନ୍ତି । ମହିଳାଙ୍କ ଏହି ଦ୍ୱନ୍ଦ୍ୱ ଭିତରେ ବଡ ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ । 

Advertisment

ଲକ୍ଷଲକ୍ଷ ଆବେଦନକାରୀ ସୁଭଦ୍ରା ଟଙ୍କା ପାଇବାକୁ ନେଇ ଆଶା ଆଶଙ୍କାରେ ଥିବାବେଳେ ଆଶ୍ୱସ୍ତି କଲା ଭଳି ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ । ପ୍ରଥମ କିସ୍ତିର ତୃତୀୟ ପର୍ଯ୍ୟାୟ ଟଙ୍କା ଖୁବଶୀଘ୍ର ମିଳିବ ବୋଲି ଉପମୁଖ୍ୟମନ୍ତ୍ରୀ କହିବା ପରେ ଦୀପାବଳୀରେ ମିଳିବା ନେଇ ଚର୍ଚ୍ଚା ଜୋର ଧରିଛି । ଏଥିସହ ସୁଭଦ୍ରା ଟଙ୍କା ପାଇନଥିଲେ କିମ୍ବା ସୁଭଦ୍ରା ଆବେଦନରେ ତ୍ରୁଟି ଥିଲେ ଫୋନ କଲ ଯିବ ବୋଲି କହିଛନ୍ତି । 

ତୃତୀୟ ପର୍ଯ୍ୟାୟରେ ତ୍ରୁଟି ହେଲେ ଫୋନ କରି ସଠିକ କରିବାକୁ ଦିଆଯିବ ପରାମର୍ଶ, ଘରକୁ ଘର ଅଙ୍ଗନବାଡି କର୍ମୀମାନେ ଯାଇ ତ୍ରୁଟି ସମାଧାନ କରିବେ । ବ୍ଲକ ସ୍ତରରେ ମଧ୍ୟ ଯାଞ୍ଚ ହେବ । ତେବେ ତୃତୀୟ ପର୍ଯ୍ୟାୟ ଟଙ୍କା ମିଳିବାର ତାରିଖ ଠିକଣା ସମୟରେ ଘୋଷଣା ହେବ ବୋଲି କହିଛନ୍ତି ଉପ-ମୁଖ୍ୟମନ୍ତ୍ରୀ ।

ଏପର୍ଯ୍ୟନ୍ତ ସୁଭଦ୍ରା ଯୋଜନାରେ ସାମିଲ ହେବା ପାଇଁ ୧ କୋଟି ୬୦ ହଜାର ମହିଳା ପଞ୍ଜୀକରଣ କରିଛନ୍ତି । ତେବେ କୋଟିଏରୁ ଯେତେ ଅଧିକ ଆସିବେ ସେମାନଙ୍କୁ ଦେବା ପାଇଁ ଅର୍ଥର ଅଭାବ ନାହିଁ, ଶେଷ ହିତାଧିକାରୀଙ୍କ ପର୍ଯ୍ୟନ୍ତ ବାଛିବା ଚାଲିବ ଦେବା ବି ଚାଲିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ।  

ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୬୦ଲକ୍ଷ ୧୧ ହଜାରରୁ ଊର୍ଦ୍ଧ୍ୱ ମହିଳା ସୁଭଦ୍ରା ଟଙ୍କା ପଇ ସାରିଛନ୍ତି । ସେପଟେ ଏକ କୋଟି ଯୋଗ୍ୟ ମହିଳାଙ୍କୁ ସୁଭଦ୍ରା ଟଙ୍କା ଦେବା ପାଇଁ ପ୍ରଥମରୁ ଲକ୍ଷ ରଖି ଆସୁଛନ୍ତି ରାଜ୍ୟ ସରକାର ।