କନକ ବ୍ୟୁରୋ: ବିଧାନସଭାରେ ଆଳୁ ଝଡ । ଆଳୁ ମିଶନ ଫେଲ ପାଇଁ ତତ୍କାଳୀନ ସରକାର ଉପରେ ଦୋଷ ଠେଲିଛନ୍ତି ବର୍ତ୍ତମାନର ବିଜେପି ସରକାର । ଉପ-ମୁଖ୍ୟମନ୍ତ୍ରୀ କହିଛନ୍ତି ଠିକ ସମୟରେ ଚାଷୀଙ୍କୁ ବିହନ ଯୋଗାଇବାରେ ବିଜେଡି ସରକାର ସମର୍ଥ ହୋଇନାହାନ୍ତି । ଆଳୁ ପ୍ରସଙ୍ଗରେ ପଶ୍ଚିମବଙ୍ଗର ବ୍କାକମେଲ ବନ୍ଦ କରାଯିବ ବୋଲି ଦମ୍ଭୋକ୍ତି ଦେଖାଇଛନ୍ତି ଉପମୁଖ୍ୟମନ୍ତ୍ରୀ ।

Advertisment
  • ବିଜେଡି ସରକାରର 'ଆଳୁ ମିଶନ' ଫେଲ
  • ଚିଟଫଣ୍ଡ କମ୍ପାନୀକୁ ଟେକି ଦେଇଥିଲେ ଶୀତଳ ଭଣ୍ଡାର 

ଗତ ସରକାରଙ୍କ ଆଳୁ ମିଶନ ଫେଲ ମାରିଛି । ଠିକ ସମୟରେ ଚାଷୀଙ୍କୁ ବିହନ ଯୋଗାଇବାରେ ଅସମର୍ଥ ଥିଲେ ବିଜେଡି ସରକାର । କୋଟି କୋଟି ଟଙ୍କା ବ୍ୟୟ ବରାଦ ହୋଇଥିବା ଆଳୁ ମିଶନ ଫେଲ ମାରିଥିଲା ବୋଲି ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଗୃହରେ ସୂଚନା ଦେଇଛନ୍ତି ।  

ରାଜ୍ୟରେ ଆଳୁ ଉତ୍ପାଦନ

  • ୨୦୧୯-୨୦୨୦ରେ  ୨.୯୫ ଲକ୍ଷ ମେଟ୍ରିକ ଟନ
  • ୨୦୨୦-୨୧ରେ ୨.୯୭ ଲକ୍ଷ ମେଟ୍ରିକ ଟନ
  • ୨୦୨୧-୨୨ରେ  ୩.୨୫ ଲକ୍ଷ ମେଟ୍ରିକ ଟନ
  • ୨୦୨୨-୨୩ରେ ୩.୨୬ ଲକ୍ଷ ମେଟ୍ରିକ ଟନ
  • ୨୦୨୩-୨୪ରେ ୪.୨୮ ଲକ୍ଷ ମେଟ୍ରିକ ଟନ 

ସେହିଭଳି ଗତ ସରକାର ସମୟରେ ଶୀତଳ ଭଣ୍ଡାର ଦାୟିତ୍ୱ ଅର୍ଥତତ୍ତ୍ବ ଭଳି ଚିଟଫଣ୍ଡ କମ୍ପାନୀକୁ ଦିଆଯାଇଥିଲା । ସେମାନେ ସେହି ଜମିକୁ ବନ୍ଧା ପକେଇ ଅଲଗା କାମରେ ଲଗାଇଥିଲେ ବୋଲି ସଙ୍ଗୀନ ଅଭିଯୋଗ ଆଣିଛନ୍ତି ଉପମୁଖ୍ୟମନ୍ତ୍ରୀ । 

  • ବଙ୍ଗର ବ୍ଲାକମେଲ ବନ୍ଦ କରିବେ ସରକାର 
  • ଆଳୁ ଚାଷରେ ସ୍ୱାବଲମ୍ବୀ ହେବ ଓଡ଼ିଶା 

ଚଳିତ ରବି ଋତୁରେ ଆଳୁ ଚାଷ ପାଇଁ ରାଜ୍ୟ ସରକାର ୬୪ କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି । ୧୫ ହଜାର ୨୩ ହେକ୍ଟରରେ ଆଳୁ ଚାଷ ପାଇଁ ରାଜ୍ୟ ସରକାର ଯୋଜନା କରିଛନ୍ତି । ଆଳୁ ଚାଷ କରିବା ସଙ୍ଗେସଙ୍ଗେ ତାକୁ ସାଇତି ରଖିବା ପାଇଁ ୫୮ଟି ବ୍ଲକରେ ପିପିପି ମୋଡ଼ରେ ହାଇବ୍ରିଡ ମୋଡ଼ରେ ଶୀତଳ ଭଣ୍ଡାର ପ୍ରସ୍ତାବ ରହିଛି । ଯାହା ଉଭୟ ବିଦ୍ୟୁତ ଓ ସୌରଚାଳିତ ହେବ ବୋଲି ଉପମୁଖ୍ୟମନ୍ତ୍ରୀ ଗୃହକୁ ସୂଚନା ଦେଇଛନ୍ତି ।

ଏପଟେ ପଶ୍ଚିମ ବଙ୍ଗର ବ୍ଲାକମେଲ ବନ୍ଦ କରାଯିବ ବୋଲି କହିଛନ୍ତି ମନ୍ତ୍ରୀ। ଓଡ଼ିଶାରେ ବ୍ୟାପକ ଆଳୁ ଉତ୍ପାଦନ କରି ପଶ୍ଚିମବଙ୍ଗ ଉପରେ ନିର୍ଭରଶୀଳ ନ ହେବାକୁ ସରକାର ବଦ୍ଧପରିକର ବୋଲି କହିଛନ୍ତି ଉପ ମୁଖ୍ୟମନ୍ତ୍ରୀ । ସୂଚନାଯୋଗ୍ୟ ଯେ, ରାଜ୍ୟରେ ପ୍ରତିବର୍ଷ ଆଳୁ ସମସ୍ୟା ଦେଖିବାକୁ ମିଳୁଛି । ପଶ୍ଚିମବଙ୍ଗ ଉପରେ ନିର୍ଭର କରି ଦର ନିୟନ୍ତ୍ରଣ ହେଉଛି । ତେବେ ନୂଆ ସରକାରଙ୍କ ନୂଆ ଯୋଜନା କେତେ କାର୍ଯ୍ୟକାରୀ ହେଉଛି ତାହା ଦେଖିବାର କଥା ।