କନକ ବ୍ୟୁରୋ: ବଳଙ୍ଗା ବାୟାବର ଗାଁରେ ପହଞ୍ଚିଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ପୀଡ଼ିତାଙ୍କ ପରିବାରକୁ ଭେଟି ଶେଷକୃତ୍ୟରେ ସାମିଲ ହେବାକୁ ବଳଙ୍ଗାରେ ପହଞ୍ଚିଛନ୍ତି ଉପମୁଖ୍ୟମନ୍ତ୍ରୀ । ଆଉ କିଛି ସମୟ ପରେ କରାଯିବ ଶେଷକୃତ୍ୟ । ନମାଜ ପାଠ ପରେ କବର ସ୍ଥାନକୁ ନିଆଯିବ ବଳଙ୍ଗା ପୀଡ଼ିତାଙ୍କ ମୃତଦେହ  । ଏବେ ପୁଲିସ କଡ଼ା ସୁରକ୍ଷା ବଳୟରେ ରହିଛି ପୀଡ଼ିତାଙ୍କ ଗାଁ ବାୟାବର । 

Advertisment

ଶେଷଯାତ୍ରାରେ ବଳଙ୍ଗା ପୀଡ଼ିତା । ଦିଲ୍ଲୀରୁ  ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିବା ପରେ ସିଧା ପୀଡ଼ିତାଙ୍କ ଗାଁ ବାୟାବରକୁ ମୃତଦେହ ନିଆଯାଇଛି । ସ୍ବତନ୍ତ୍ର କାରକେଡ ଜରିଆରେ କଡା ସୁରକ୍ଷାରେ ଭୁବନେଶ୍ବରୁ ବଳଙ୍ଗା ନିଆଯାଇଥିଲା । ଆଜି ସକାଳୁ ତାଙ୍କର ଶେଷକୃତ୍ୟ ହେବ ସହ ପୀଡ଼ିତାଙ୍କୁ କବର ଦିଆଯିବ । ହସ୍ପିଟାଲ ବେଡରେ ୧୫ଦିନ ଧରି ମୃତ୍ୟୁ ସହ ଲଢ଼େଇ କରି କରି ନାବାଳିକା ଜଣଙ୍କର ମୃତ୍ୟୁ ହୋଇଛି । ପ୍ରଥମ ଦିନରୁ ତାଙ୍କୁ ତିନି ଜଣ ଜାଳି ଦେଇଥିବା ପୀଡ଼ିତା କହିଥିଲେ । ପୀଡ଼ିତାଙ୍କ ବୟାନ ଆଧାରରେ ପରିବାର ଲୋକ ଥାନାରେ ଏତଲା ଦେଇଥିଲେ । ତିନି ଦୁବୃର୍ତ୍ତ ଝିଅର ମୁହଁରେ ରୁମାଲ ବାନ୍ଧି ଅଚେତ କରି କିରୋସିନ୍ ଢ଼ାଳି ନିଆଁ ଲଗାଇ ମାରିଦେବାକୁ ଉଦ୍ୟମ କରିଥିଲେ ବୋଲି ଦର୍ଶାଯାଇଥିଲା । ପୁଲିସ ସେହି ଆଧାରରେ ତଦନ୍ତ ଆରମ୍ଭ କରିଥିଲା । ଡିଜି ନିଜେ ଯାଇ ପରିବାର ଲୋକଙ୍କ ସମେତ ଅନ୍ୟମାନଙ୍କୁ ପଚରାଉଚୁରା କରିଥିଲେ । ଭୁବନେଶ୍ବର ଏମ୍ସରେ ମାଜିଷ୍ଟ୍ରେଟଙ୍କ ସାମନାରେ ପୀଡ଼ିତାଙ୍କ ବୟାନ ରେକର୍ଡ କରାଯାଇଥିଲା । ତାପରେ ଦିଲ୍ଲୀ ଏମ୍ସରେ ତଦନ୍ତକାରୀ ପୁଲିସ ଅଧିକାରୀ ବୟାନ ରେକର୍ଡ କରିଥିଲେ । କିନ୍ତୁ ଏବେ ପୁଲିସ କହିଛି ଏହି ଘଟଣାରେ କାହାର ସମ୍ପୃକ୍ତି ଥିବା ଜଣାପଡିନାହିଁ । ଯାହାକୁ ନେଇ ସନ୍ଦେହ ସୃଷ୍ଟି ହୋଇଛି ।