କନକ ବ୍ୟୁରୋ: ବାତ୍ୟା ମୁକାବିଲା ନେଇ ସମୀକ୍ଷା କରିଛି ଶକ୍ତି ବିଭାଗ । ଉଭୟ କୃଷି ଏବଂ ଶକ୍ତି ବିଭାଗ ପ୍ରସ୍ତୁତ ଥିବା କହିଛନ୍ତି ଉପମୁଖ୍ୟମନ୍ତ୍ରୀ କେଭି ସିଂଦେଓ । ଅଧିକାରୀଙ୍କୁ ଛୁଟି ବାତିଲ ହୋଇଛି, କ୍ଵିକ ରେସପନ୍ସ ଟିମକୁ ଆକ୍ଟିଭ କରାଯାଇଛି । ଶକ୍ତି ବିଭାଗ ୩୩ ହଜାର କର୍ମଚାରୀ ଫିଲଡ଼ରେ ଅଛନ୍ତି। ବାତ୍ୟା ପରେ ପୁନଃରୁଦ୍ଧାର କାମ ପାଇଁ ବିଦ୍ୟୁତ ଖୁଣ୍ଟ, ତାର, କଣ୍ଡକ୍ଟର ଏବଂ ଆନୁସାଙ୍ଗିକ ଜିନିଷ ମହଜୁଦ ରଖାଯାଇଛି । ହସ୍ପିଟାଲ, ସରକାରୀ କାର୍ଯ୍ୟାଳୟ, ପାନୀୟ ଜଳ ଯୋଗାଣ କେନ୍ଦ୍ରକୁ ନିରବଛିନ୍ନ ବିଜୁଳି ଯୋଗାଇବାକୁ ନିର୍ଦ୍ଦେଶ ଦିଆଯାଇଛି । କୃଷି ବିଭାଗ ପକ୍ଷରୁ ଧାନ ଅମଳ ନେଇ ଚାଷୀଙ୍କ ପାଈଁ ମାର୍ଗଦର୍ଶିକା ଜାରି ହୋଇଥିବା ଉପମୁଖ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି ।

Advertisment

ସେପଟେ ପୁରୀ ଜିଲ୍ଲାରେ ସମ୍ଭାବ୍ୟ ବାତ୍ୟା ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିଛି ଜିଲ୍ଲା ପ୍ରଶାସନ । ଫିଲ୍ଡ ଅଫିସର ମାନଙ୍କୁ ପ୍ରସ୍ତୁତ ରଖାଯାଇଛି । ବିଡ଼ିଓ, ବିଦ୍ୟୁତ ବିଭାଗ ଅଧିକାରୀ ଓ କର୍ମଚାରୀଙ୍କୁ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଭିତରକୁ ପ୍ରବେଶ ବାରଣ ରହିଛି । ଯେଉଁମାନେ ଭିତରକୁ ଯାଇଛନ୍ତି ସେମାନଙ୍କୁ ଖୁବଶୀଘ୍ର ଫେରି ଆସିବାକୁ ନିର୍ଦ୍ଦେଶ ରହିଛି । ଫିସରୀ ଅଫିସର, ମେରାଇନ୍ ଅଫିସରଙ୍କୁ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ରହିଛି। ୧୭୯ଟି ସାଇକ୍ଲୋନିକ ସେଣ୍ଟରକୁ ପ୍ରସ୍ତୁତ ରଖାଯାଇଛି । ଏଥିସହିତ ୩୬୨ଟି ଅସ୍ଥାୟୀ ବାତ୍ୟା ଆଶ୍ରୟସ୍ଥଳ ପ୍ରସ୍ତୁତ ରହିଛି । ସମସ୍ତ ତଳିଆ ଅଞ୍ଚଳର ଲୋକଙ୍କୁ ଚିହ୍ନଟ କରାଯାଇଛି । ଯଥାସମ୍ଭବ ଶୁଖିଲା ଖାଦ୍ୟ ପ୍ରସ୍ତୁତ ଅଛି । ଶେଷରେ ଉପକୂଳର ୬ଟି ବ୍ଲକକୁ ଅଧିକ ଆଲର୍ଟ କରାଯାଇଛି । ବିଶେଷକରି ଏହିସବୁ ବ୍ଲକରେ ଥିବା ଲୋ ଲାଇନ୍ ଏରିଆର ଲୋକଙ୍କୁ ଚିହ୍ନଟ କରାଯାଇଛି । ରବି ଫସଲର ସମୟ ହୋଇଥିବାରୁ ବିଶେଷକରି ରବି ଫସଲ କରିବାକୁ ଚାହୁଁଥିବା ଚାଷୀମାନଙ୍କୁ ଆଉ କିଛି ଦିନ ଅପେକ୍ଷା କରିବାକୁ ଜିଲ୍ଲା କୃଷି ଅଧିକାରୀ ମାଧ୍ୟମରେ ପରାମର୍ଶ ଦିଆଯାଇଛି ।

ସେପଟେ ବାତ୍ୟା ସମୟରେ ବିଭିନ୍ନ ଖାଉଟି ସାମଗ୍ରୀ ତଥା ପରିବା ପତ୍ରର କଳାବଜାର ରୋକିବାକୁ ବାରମ୍ବାର ସ୍ଥିତି ମଧ୍ୟ ସମୀକ୍ଷା କରାଯାଉଛି । ସେହିଭଳି ପରିସ୍ଥିତି ଆସିଲେ ତାକୁ ନିୟନ୍ତ୍ରିତ କରିବାକୁ ସମସ୍ତ ପ୍ରସ୍ତୁତି ରହିଛି । ସେହିଭଳି ଟୁରିଷ୍ଟ ଅଫିସର ମାନଙ୍କ ମାଧ୍ୟମରେ ଯେତେ କମ୍ ସଂଖ୍ୟକ ପର୍ଯ୍ୟଟକ ଏଭଳି ସମୟରେ ଆସିବେ ସେନେଇ ସୂଚନା ତଥା ପରାମର୍ଶ  ଦିଆଯାଇଛି । ଅନ୍ୟପଟରେ ଯେଉଁ ପର୍ଯ୍ୟଟକମାନେ ଆସିସାରିଛନ୍ତି ସେମାନେ କିଭଳି ସୁରକ୍ଷିତ ରହିବେ,ତାର ବ୍ୟବସ୍ଥା କରାଯାଇଛି । ସେପଟେ ୯୦୦ ମିଟର ପରିବ୍ୟାପ୍ତ ବ୍ଲୁ ଫ୍ଲାଗ ବିଚ୍ ରେ ଆଲର୍ଟ ଜାରି କରାଯାଇଛି । ଆଜିଠାରୁ କେହି ଏହି ଅଞ୍ଚଳରେ ସ୍ନାନ କରିପାରିବେ ନାହିଁ ବୋଲି ନିର୍ଦ୍ଦେଶ ରହିଛି । ନାଲି ପତାକା ପୋତାଜିବା ସହ ସମୁଦ୍ର ଭିତରକୁ ଯିବା ବାରଣ ରହିଛି । ଲାଇଫ ଗାର୍ଡମାନେ ପ୍ରସ୍ତୁତ ରହିବା ସହ ହୁଟର ମାଧ୍ୟମରେ ପର୍ଯ୍ୟଟକଙ୍କୁ ସତର୍କ କରାଉଛନ୍ତି ।