କନକବ୍ୟୁରୋ : ସ୍ୱଧାର ଗୃହରୁ ଚାଲିଆସିଥିବା ପକ୍ସୋ ପୀଡିତା ମା ଓ ଅସୁସ୍ଥ ଶିଶୁକୁ ଉଦ୍ଧାର କଲେ ମହିଳା। ଦେବଗଡ଼ରେ ଦେଖିବାକୁ ମିଳିଛି ଏହି ଅଭାବନୀୟ ଦୃଶ୍ୟ। ଶିଶୁ କନ୍ୟା ସହ ସ୍ବଧାର ଗୃହରୁ ବାହାରି ରାସ୍ତାକୁ ଆସିବା ସମୟରେ ଅନ୍ୟ ଜଣେ ମା-ଛୁଆଙ୍କୁ ଟାଣୁଥିବା ଦୃଶ୍ୟ ସିସିଟିଭି କ୍ୟାମେରାରେ କଏଦ ହୋଇଛି ।
ଅସୁସ୍ଥ ଶିଶୁ ଓ ମାଆକୁ ସ୍ୱଧାର ଗୃହର ଅନ୍ତେବାସୀ ଟଣାଓଟରା କରୁଥିବା ବେଳେ ଜଣେ ମହିଳା ତାଙ୍କୁ ଉଦ୍ଧାର କରିଛନ୍ତି। ଏହାପରେ ଅସୁସ୍ଥ ଶିଶୁକୁ ମେଡିକାଲରେ ଭର୍ତି କରିଥିଲେ ଉଦ୍ଧାର କରିଥିବା ମହିଳା । ଅଭିଯୋଗ ଅନୁସାରେ ସିଡବ୍ଲୁସିର ନିର୍ଦ୍ଦେଶରେ ଗତ ୩ ମାସ ହେଲେ ଶିଶୁ କନ୍ୟା ସହ ସ୍ୱଧାର ଗୃହରେ ରହୁଛନ୍ତି ଦୁଷ୍କର୍ମ ପୀଡିତା ।
କିନ୍ତୁ କିଛି ଦିନ ହେଲା ପୀଡିତାଙ୍କୁ ସ୍ୱଧାର ଗୃହର ଅନ୍ୟ ବାଳିକାମାନେ ଟାହି ଟାପରା କରୁଥିଲେ । ଅନ୍ୟପଟେ ଶିଶୁଟିର ସ୍ୱାସ୍ଥ୍ୟବସ୍ଥା ଖରାପ ହେବା ସତ୍ୱେ ଚିକିତ୍ସା କରାଯାଉନଥିବାରୁ ପୀଡିତା ରାଜରାସ୍ତାକୁ ବାହାରିଥିବା କହିଛନ୍ତି ।
ପ୍ରଶ୍ନ ଉଠୁଛି ସ୍ୱାଧାନ ଗୃହରୁ କେମିତି ପୀଡିତା ବାହାରକୁ ଆସିଲେ କେମିତି? ଦାୟିତ୍ୱରେ ଥିବା ସୁପରିଟେଣ୍ଡେଣ୍ଟ ଅସୁସ୍ଥ ଶିଶୁର ଚିକିତ୍ସା କଲେ ନାହିଁ କାହିଁକି? ଉଦବେଗର କଥା ହେଉଛି ସ୍ବଧାର ଗୃହରୁ ପୀଡିତା ୧ କିମି ଚାଲି ଆସିବା ପରେ ବି ସ୍ୱଧାର ଗୃହ ପକ୍ଷରୁ ପୀଡିତାଙ୍କୁ ଉଦ୍ଧାର ପାଇଁ କୌଣସି ପ୍ରୟାସ କରାଯାଇନଥିଲା ।
ଦୁଷ୍କର୍ମ ପୀଡିତା ସ୍ୱଧାର ଗୃହ ଛାଡିବା କଥା ଦାୟିତ୍ୱରେ ଥିବା ସୁପରିଟେଣ୍ଡେଣ୍ଟ ଜାଣିପାରିଲେ ନାହିଁ ନା ଜାଣି ମଧ୍ୟ ଅଟକାଇବାକୁ ଚାହିଁଲେ ନାହିଁ? ପୀଡିତା ନାବାଳିକାଙ୍କୁ ସ୍ୱଧାର ଗୃହରେ ଟାହି ଟାପରା ଯୋଗୁଁ ମାନସିକ ଯାତନା ଭୋଗିଛନ୍ତି, ହେଲେ ଏହା କେମିତି ଜାଣିପାରିଲେନି ନାହିଁ ଦାୟିତ୍ୱରେ ଥିବା ସୁପରିଟେଣ୍ଡେଣ୍ଟ ।