କନକ ବ୍ୟୁରୋ: ଜଣେ ଶିଳ୍ପ ତାଳିମ ପ୍ରାପ୍ତ ଯୁବକ ଉଚ୍ଚ ଶିକ୍ଷା ହାସଲ ପରେ ଚାକରି ପଛରେ ନ ଧାଇଁ ନିଜ ଉଦ୍ୟମରେ ସଫଳ ଚାଷୀ ହେବା ସହ ନିଜେ ଆତ୍ମ ସ୍ୱାବଲମ୍ବି ହେବା ସହ ଅନ୍ୟ ମାନଙ୍କ ପାଇଁ କର୍ମ ନିଯୁକ୍ତି ଦେଇ ଅଂଚଳର ଯୁବ ସମାଜ ପାଇଁ ପ୍ରେରଣା ସାଜିଛନ୍ତି । ନିଜ ଗାଁ ମାଟିରେ ଛତୁ ଚାଷକରି ନିଜେ ରୋଜଗାରକ୍ଷମ ହେବା ସହ ଅଂଚଳର ଚାହିଦା କୁ ପୂରଣ କରିବାରେ ସଫଳ ହୋଇଛନ୍ତି ଏହି ଉଚ୍ଚ ଶିକ୍ଷିତ ଯୁବକ ବାରକୋଟ ବ୍ଲକ ଡଁରା ପଂଚାୟତ ଅନ୍ତର୍ଗତ ଗୁଣ୍ଡରିପୋସି ଗ୍ରାମର ମୁକ୍ତେଶ୍ୱର ବିଶ୍ୱାଳ ।
ଦେବଗଡ଼ ବାରକୋଟ ବ୍ଲକ ଗୁଣ୍ଡରିପଷି ଗାଁର ମୁକ୍ତେଶ୍ୱର ବିଶ୍ୱାଳ । ୨୦୧୨ ମସିହାରେ ଉଚ୍ଚଶିକ୍ଷା ପରେ ରାଉରକେଲା ସରକାରୀ ଶିଳ୍ପ ତାଲିମ କେନ୍ଦ୍ରରୁ ତାଲିମ ନେଇଥିଲେ । ଏହା ପରେ ଦୀର୍ଘ ୫ ବର୍ଷ ଧରି ଚାକିରୀ ପାଇଁ ବହୁ ପ୍ରୟାସ କଲେ । ମାତ୍ର ତାଙ୍କୁ କୈାଣସି ଚାକିରୀର ସୁଯୋଗ ମିଳିନଥିଲା । ତେଣୁ ମୁକ୍ତେଶ୍ୱର ଚାକିରୀ ଆଶା ଛାଡ଼ିଦେଇ ନିଜସ୍ୱ ପ୍ରଚେଷ୍ଟାରେ କିଛି କରିବା ପାଇଁ ଚିନ୍ତା କଲେ । ସ୍ଥାନୀୟ ଅଂଚଳରେ ହେଉଥିବା ଛତୁଚାଷ ଦେଖି ତାଙ୍କର ମଧ୍ୟ ଛତୁ ଚାଷ କରିବା ପାଇଁ ଇଛା ହେଲା । ସେହିପରି ଢେଙ୍କାନାଳ ଠାରେ ହେଉଥିବା ଛତୁ ଚାଷୀଙ୍କ ଚାଷ ଦେଖି ୨୦୧୮ ମସିହାରେ ନିଜସ୍ୱ ଉଦ୍ୟମରେ ଛତୁ ଚାଷ ଆରମ୍ଭ କଲେ ।
ପ୍ରାଥମିକ ପର୍ୟ୍ୟାୟରେ ଆଶାନୁରୁପକ ଅମଳ ଦେଖି ମୁକ୍ତେଶ୍ୱର ଛତୁ ଚାଷକୁ ଅଧିକ ଆକାରରେ କରିବାକୁ ଉତ୍ସାହିତ ହୋଇଥିଲେ । ଘର ନିକଟରେ ଥିବା ଶାଳବଣ ଭିତରେ ବେଡ ପ୍ରସ୍ତୁତ କରି ଛଚୁଚାଷକୁ ଆଗକୁ ବଢ଼ାଇଲେ । ପ୍ରଥମେ ପ୍ରଥମେ ଉତ୍ପାଦିତ ଛତୁକୁ ସ୍ଥାନୀୟ ବଜାରରେ ବିକ୍ରୀ କଲେ । ଏବେ ପ୍ରତିଦିନ ସକାଳେ ୩୦ କେଜି ଓ ସଂନ୍ଧ୍ୟାରେ ୩୦ କେଜି ଛତୁ ଉତ୍ପାଦନ କରୁଛନ୍ତି ମୁକ୍ତେଶ୍ବର । ଏହାକୁ ସୁନ୍ଦରଗଡ ଜିଲ୍ଲା ରାଉରକେଲା ଓ ବଣାଇଁ ଅଂଚଳରେ ବ୍ୟବସାୟ କରି ମାସିକ ୫୦ ହଜାର ରୁ ୬୦ ହଜାର ପର୍ୟ୍ୟନ୍ତ ରୋଜଗାର କରୁଛନ୍ତି । ଏହି ଚାଷ କାମର ରକ୍ଷଣାବେକ୍ଷଣ ପାଇଁ ସେ ୩ଜଣ ଯୁବକଙ୍କୁ ସ୍ଥାୟୀ ଭାବେ ନିୟୋଜିତ କରି ସେମାନଙ୍କୁ କର୍ମସଂସ୍ଥାନ ଯୋଗାଇବାରେ ସଫଳ ହୋଇଛନ୍ତି ।
ସ୍ଥାନୀୟ ବଜାରରେ ଛତୁ ବିକ୍ରୀ କରି ବଜାର ଚାହିଦା ମେଂଟାଇବା ସହ ବାର୍ଷିକ ୬-୭ ଲକ୍ଷ ଟଙ୍କାର ବ୍ୟବସାୟ କରୁଛନ୍ତି । ୩ ରୁ ୪ ଲକ୍ଷ ଟଙ୍କା ଯାଏଁ ଲାଭ ମିଳୁଥିବା କହିଛନ୍ତି ମୁକ୍ତେଶ୍ୱର । ଆଜିର ଯୁବପିଢ଼ି ଚାକରୀ ପଛରେ ନପଡ଼ି ଉଦ୍ୟାନ କୃଷି କଲେ ଭଲ ରୋଜଗାର କରିପାରିବେ ବୋଲି ସେ ପ୍ରମାଣିତ କରିଛନ୍ତି ।