କନକ ବ୍ୟୁରୋ: ରାଜ୍ୟ ରାଜଧାନୀ ଭୁବନେଶ୍ଵରରେ ଏବେ ଡେଙ୍ଗୁ ରୋଗ ଚିନ୍ତାର କାରଣ ପାଲଟିଛି। ବର୍ଷାର ପରିମାଣ ଯେତେ ଯେତେ ବଢୁଛି ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ମଧ୍ୟ ସେତେ ସେତେ ବଢୁଛି। ସାଧାରଣ ଭାବେ ବର୍ଷା ଋତୁ ଆସିଲେ ନାଳ ନର୍ଦ୍ଦମାଠାରୁ ଆରମ୍ଭ କରି ଖାଲ ଢିପ ସବୁଆଡେ ପାଣି ଜମି ରହିଥାଏ, ଯେଉଁଥିରୁ ମଶା ମାନଙ୍କ ବଂଶ ବୃଦ୍ଧି ଅଧିକ ହୋଇଥାଏ। ଆଉ ଏସବୁକୁ ସଫା ସୁତୁରା କରି ମଶା ଧୂଆଁ ପାଇଁ ସରକାର ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରୁଛନ୍ତି। କିନ୍ତୁ  ଫଳାଫଳ ଜିରୋ। ଏସବୁ ପାଇଁ ପଇସା ଖର୍ଚ୍ଚ ହେଉଛି ସତ, ସାଧାରଣ ଲୋକ ଏହାର ଉପକାର ପାଇ ପାରୁ ନାହାଁନ୍ତି।

ରାଜଧାନୀରେ ଥିବା ବସ୍ତି ବାସିନ୍ଦା ବିଶେଷ କରି ଏଥିରେ ଅଧିକ ପ୍ରଭାବିତ ହେଉଛନ୍ତି। ରାଜଧାନୀରେ ସବୁ ଜାଗାକୁ ପହଞ୍ଚି ପାରୁନି ମଶା ଧୂଆଁ ଗାଡ଼ି। ଗୋଟିଏ ମାସରେ ଥରେ କି ଦୁଇ ଥର ମଶା ଧୂଆଁ ଗାଡ଼ି ଯାଉଛି,ସେ ପୁଣି କେବଳ ମୁଖ୍ୟ ରାସ୍ତା ଦେଇ। ବସ୍ତି ଭିତରକୁ କି ଆପାର୍ଟମେଣ୍ଟ ପାଖକୁ ଯାଉ ନାହିଁ। ଯାହା ଫଳରେ ରାଜଧାନୀରେ ଡେଙ୍ଗୁର ପରିମାଣ ବଢୁଛି ବୋଲି କହିଛନ୍ତି ରାଜଧାନୀ ବାସିନ୍ଦା। ତେବେ ବିଏମସି ମେୟର କହିଛନ୍ତି, ବର୍ଷା କମିଲା ପରେ ପୁଣି ଥରେ ପୂର୍ବଭଳି ସବୁଆଡେ ମଶା ଧୂଆଁ ଗାଡ଼ି ଗଢ଼ିବ।  

ଗୋଟିଏ ପଟେ ମଶା ଧୂଆ ଗାଡି ପାଇଁ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ ହେଉଥିଲେ ଠିକ୍ ଭାବରେ ବୁଲୁ ନାହିଁ। ଅନ୍ୟପଟେ ଡେଙ୍ଗୁ ବଢ଼ି ଚାଲିଛି। ରାଜଧାନୀର ଏହି ଦୁଇଟି ଦୃଶ୍ୟ ଡେଙ୍ଗୁ ନିୟନ୍ତ୍ରଣ ପାଇଁ ପ୍ରଶାସନର ଆଭିମୁଖ୍ୟ ଉପରେ ସନ୍ଦେହ ସୃଷ୍ଟି କରିଛି।