କନକ ବ୍ୟୁରୋ:  ଅସ୍ୱାସ୍ଥ୍ୟକର ପରିବେଶ ପାଇଁ ଡେଙ୍ଗୁ ଡର ରହୁଛି । ରୋଗ ନିରାକରଣ ପାଇଁ ପରିମଳ ବ୍ୟବସ୍ଥା ଉପରେ ଗୁରୁତ୍ୱ ଦେଉଛି ସ୍ୱାସ୍ଥ୍ୟ ବିଭାଗ ।  କୋରାପୁଟ ସହରର ପରିମଳ ବ୍ୟବସ୍ଥା ଦେଖିଲେ ଲାଗୁଛି ଯେମିତି ଡେଙ୍ଗୁକୁ ନିମନ୍ତ୍ରଣ କରାଯାଉଛି । ରାସ୍ତାରେ ପଡିଛି କୁଢ଼କୁଢ଼ ଅଳିଆ ଆବର୍ଜନା । ସଫେଇ କାର୍ୟ୍ୟ ସଠିକ ଢଙ୍ଗରେ ହେଉନଥିବାରୁ ଏଭଳି ସ୍ଥିତି ଉପୁଜିଛି । ପୌରପରିଷଦର ଅପାରଗତା ଯୋଗୁଁ ଡ଼େଙ୍ଗୁ ବ୍ୟାପିବା ଆଶଙ୍କା ରହିଛି । ସେପଟେ ସହର ସଫା କରିବା ପାଇଁ ପ୍ରତିମାସରେ ୩୫ ଲକ୍ଷ ଟଙ୍କା ନେଉଛନ୍ତି ଦୁଇ ଠିକା ସଂସ୍ଥା । 

ବର୍ଷା ଦିନେ ସାରା ସହରରେ ଗଦା ହୋଇଛି କୁଢ଼କୁଢ଼ ଅଳିଆ । କୋରାପୁଟ ସହରର ହାଲ୍‌ ବେହାଲ୍ । ମୁଖ୍ୟରାସ୍ତା, ସାହି ଗଳି ସବୁଆଡ଼େ ଆବର୍ଜନା । ଡ୍ରେନକୁ ଘୋଡ଼ାଇ ଦେଲାଣି ଲଟାବୁଦା । ବର୍ଷା ଦିନ କଥା ଛାଡ଼ନ୍ତୁ ଅନ୍ୟଦିନରେ ମଧ୍ୟ ଏସବୁ ସଫା କରାଯାଉନାହିଁ । ସହର ସଫେଇ ଦାୟିତ୍ୱ ଠିକା ସଂସ୍ଥା ହାତରେ ଥିବାରୁ ଲକ୍ଷଲକ୍ଷ ଟଙ୍କା ଖର୍ଚ୍ଚ ହେଉଥିଲେ ବି ସଫେଇ ଶୂନ । ପରିମଳ ବ୍ୟବସ୍ଥାକୁ ଦେଖି କୋରାପୁଟବାସୀଙ୍କ ମନରେ ବଢ଼ିଛି ଡେଙ୍ଗୁ ଡର । 

ଡ୍ରେନ୍ ସଫା ନଥିବାରୁ ସହରର ବର୍ଜ୍ୟବସ୍ତୁ ସଠିକ୍ ଭାବେ ସଫେଇ ହୋଇପାରୁନାହିଁ । ଜାତୀୟ ରାଜପଥ ଉପରେ ନାଳ ପାଣି ବହୁଛି । ସହରର ପରିବେଶ ସଫେଇ ଦାୟିତ୍ୱ ଟେଣ୍ଡର ମାଧ୍ୟମରେ ଜିଲ୍ଲା ବାହାରର ଦୁଇଟି ସଂସ୍ଥାକୁ ଦିଆଯାଇଛି। ସହର ସଫା କରିବା ପାଇଁ ଚନ୍ଦନ ସର୍ଭିସ ମାସିକ ୨୮ ଲକ୍ଷ ୪୭ ହଜାର ୮୨୮ ଟଙ୍କା ନେଉଛି । ସେହିଭଳି ମଞ୍ଜୁ ସର୍ଭିସେସ୍ ସଂସ୍ଥା ନେଉଛି ୬ ଲକ୍ଷ ୩୫ ହଜାର ୫୭୦ ଟଙ୍କା । କିନ୍ତୁ ସଠିକ୍ ଢଙ୍ଗରେ ସହର ସଫା ହେଉନାହିଁ । ଆବର୍ଜନା ଭର୍ତ୍ତି ସହରକୁ ଦେଖି ଠିକାଦାରଙ୍କୁ ନୋଟିସ କରିଛନ୍ତି କୋରାପୁଟ ପୌର ପରିଷଦ ନିର୍ବାହୀ ଅଧିକାରୀ । ଆଗକୁ ଏମିତି ସ୍ଥିତି ଲାଗି ରହିଲେ, ଠିକା ସଂସ୍ଥାର ଟେଣ୍ଡର ବାତିଲ କରାଯିବ ବୋଲି କହିଛନ୍ତି ।

କୋରାପୁଟ ସହରର ପରିମଳ ବ୍ୟବସ୍ଥା ଦେଖିଲେ ଲାଗୁଛି ଯେମିତି ଡେଙ୍ଗୁକୁ ନିମନ୍ତ୍ରଣ କରାଯାଉଛି। ସଫେଇ କାର୍ୟ୍ୟ ସଠିକ ଢଙ୍ଗରେ ହେଉନଥିବାରୁ ଏଭଳି ସ୍ଥିତି ଉପୁଜିଛି ।