କନକ ବ୍ୟୁରୋ: ଗଞ୍ଜାମ ଚିକିଟିରେ ବିଷାକ୍ତ ମଦମୃତ୍ୟୁ ନେଇ ଆକ୍ସନରେ ସରକାର । ଘଟଣାରେ ଆରଡିସି ସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ସରକାର । ଆଗକୁ ଚୋରାମଦ ସଂପୂର୍ଣ୍ଣ ବନ୍ଦ କରିବାକୁ ବେଆଇନ ମଦ ଭାଟିରେ ବୁଲଡୋଜର ବୁଲିବ ବୋଲି କହିଛନ୍ତି ଅବକାରୀ ମନ୍ତ୍ରୀ । ପୂର୍ବ ଘଟଣା ଭଳି ସମାନ ଢଙ୍ଗରେ ଚିକିଟି ମଦମୃତ୍ୟୁ ପାଇଁ ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ଇସ୍ତଫା ଦାବି ଉଠିଛି।

Advertisment

ବାରମ୍ୱାର ବିଷାକ୍ତ ମଦମୃତ୍ୟୁ ଘଟଣା ଅବକାରୀ ମନ୍ତ୍ରୀ ପଦ ପ୍ରତି ବିପଦ ସୃଷ୍ଟି କରିଆସିଛି। ଆଉ ଚିକିଟି ମଦମୃତ୍ୟୁ ପରେ ଅଡୁଆ ଭିତରକୁ ଠେଲି ହୋଇଯାଇଛନ୍ତି ମୋହନ ସରକାର। ତେଣୁ ଏହି ସମ୍ୱେଦନଶୀଳ ପ୍ରସଙ୍ଗରେ ବେଶ କଡ଼ା ଆଭିମୁଖ୍ୟ ଦେଖାଇଛନ୍ତି। ତିନିଟି ଜୋନରେ ଆରଡିସି ନିଯୁକ୍ତି କରିବାର ୨୪ ଘଣ୍ଟା ଭିତରେ ଚିକିଟି ମଦମୃତ୍ୟୁ ଘଟଣାର ଆରଡିସି ସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ଦୁଇମାସ ଭିତରେ ତଦନ୍ତ ରିପୋର୍ଟ ଆସିବ ବୋଲି କୁହାଯାଇଛି। ସେପଟେ ଚୋରାମଦ ସଂପୂର୍ଣ୍ଣ ବନ୍ଦ କରିବାକୁ ସରକାର ପ୍ରତିଶ୍ରୁତିବଦ୍ଧ ବୋଲି ଅବକାରୀ ମନ୍ତ୍ରୀ କହିଛନ୍ତି।

  • ଅବକାରୀ ମନ୍ତ୍ରୀ ପଦକୁ ବିପଦ!
  • ଅଡୁଆ ବଢ଼ାଇଲା ବିଷାକ୍ତ ମଦମୃତ୍ୟୁ

୨୦୦୬ରେ ଗଞ୍ଜାମ ମଦମୃତ୍ୟୁ ପାଇଁ ତତ୍କାଳୀନ ଅବକାରୀ ମନ୍ତ୍ରୀ କାଳନ୍ଦୀ ବେହେରାଙ୍କୁ ପଦ ହରାଇବାକୁ ପଡ଼ିଥିଲା। ସେହିପରି ୨୦୧୨ରେ କଟକ ଓ ଖୋର୍ଦ୍ଧାରେ ବିଷାକ୍ତ ମଦମୃତ୍ୟୁ ପାଇଁ ଅବକାରୀ ମନ୍ତ୍ରୀ ପଦ ହରାଇଥିଲେ ଅନଙ୍ଗ ଉଦୟ ସିଂଦେଓ। ଏବେ ସମାନ ଢଙ୍ଗରେ ଚିକିଟି ମଦମୃତ୍ୟୁ ପାଇଁ ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ଇସ୍ତଫା ଦାବି ଉଠୁଛି। ସେପଟେ ମନ୍ତ୍ରୀ ନିଜେ ବ୍ରହ୍ମପୁରରେ ପହଞ୍ଚି ଏମକେସିଜି ମେଡିକାଲ କଲେଜ ମେଡିସିନ ୱାର୍ଡରେ ଅସୁସ୍ଥଙ୍କୁ ଭେଟିଛନ୍ତି। ଆଉ ବିଧାନସଭା ଭିତରେ ଓ ବାହାରେ ଏହାକୁ ପ୍ରସଙ୍ଗ କରି ସରକାରଙ୍କୁ ଘେରୁଛି ବିରୋଧୀ ବିଜେଡି। ଦଳର ୪ଜଣିଆ ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍ ଚିକିଟିରେ ପହଞ୍ଚି ସରଜମିନ ତଦନ୍ତ କରିଛନ୍ତି।

ପୁରା ଘଟଣାରେ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛନ୍ତି ସରକାର। ବ୍ରହ୍ମପୁର ଅବକାରୀ ସୁପରିଟେଣ୍ଡେଣ୍ଟଙ୍କୁ ମୁଖ୍ୟାଳୟକୁ ବଦଳି କରାଯାଇଛି। ଅବକାରୀ ଇନସ୍ପେକ୍ଟର ଓ ସବ୍-ଇନସ୍ପେକ୍ଟରଙ୍କୁ ବଦଳି ପରେ ନିଲମ୍ୱନ କରାଯାଇଛି। ବିଭାଗୀୟ ମନ୍ତ୍ରୀ ସୂଚନା ଦେଇ କହିଛନ୍ତି, ୧୧୭ଟି ବେଆଇନ ମଦଭାଟି ଚିହ୍ନଟ କରି ବର୍ତ୍ତମାନ ସୁଦ୍ଧା ୧୧୭ ଜଣଙ୍କୁ ଗିରଫ କରାଯାଇଛି। ଏପରିକି ବେଆଇନ ଭାଟିକୁ ବୁଲଡୋଜର ଲଗାଇ ଉଡ଼ାଇ ଦେବାକୁ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ବର୍ଷେ ଭିତରେ ବେଆଇନ ମଦ ନେଟୱର୍କ ଭାଙ୍ଗିବ ବୋଲି ଘୋଷଣା କରିଛନ୍ତି ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ।