କନକ ବ୍ୟୁରୋ: ଯୁକ୍ତ ୩ ବିଜ୍ଞାନର ଚାହିଦା ଅଧିକ। ହେଲେ ଏଥିପ୍ରତି ଧ୍ୟାନ ଦେଉନାହାନ୍ତି ସରକାର। ଏମିତି ଯେ, ଉଚ୍ଚଶିକ୍ଷା ବିଭାଗ ତରଫରୁ ଏଯାଏଁ ରାଜ୍ୟର ସବୁ ବ୍ଲକରେ ବିଜ୍ଞାନ କଲେଜ ପ୍ରତିଷ୍ଠା ହୋଇ ପାରିଲା ନାହିଁ। ଫଳରେ ଛାତ୍ରଛାତ୍ରୀ ଅନ୍ୟ ବ୍ଲକ ଉପରେ ନିର୍ଭର କରୁଥିବା ଦେଖିବାକୁ ମିଳିଛି। 

Advertisment
  • ବିଜ୍ଞାନ ପଢ଼ିବାକୁ ଅନ୍ୟ ବ୍ଲକ୍‌ ଭରସା
  • ଏକ ତୃତୀୟାଂଶ ବ୍ଲକ୍‌ରେ ନାହିଁ ବିଜ୍ଞାନ କଲେଜ

ବିଜ୍ଞାନ ପଢ଼ିବାକୁ ଚାହୁଁଛନ୍ତି କି? ତା ହେଲେ ଅନ୍ୟ ବ୍ଲକକୁ ଦୌଡ଼ିବାକୁ ପଡ଼ିବ। ରାଜ୍ୟର ପାଖାପାଖି ଏକ ତୃତୀୟାଂଶ ବ୍ଲକରେ ବିଜ୍ଞାନ କଲେଜ କିମ୍ବା ପାଠପଢ଼ାର ସୁଯୋଗ ମିଳୁନି। ଏକଥା ଆମେ କହୁନୁ, ବରଂ ଉଚ୍ଚଶିକ୍ଷା ବିଭାଗର ଏ ତଥ୍ୟ ବିଭାଗୀୟ ଅସଜଡ଼ା ଭିତ୍ତିଭୂମିର ଫୁଙ୍ଗୁଳା ଚେହେରା ପଦାରେ ପକାଇଛି। ରାଜ୍ୟର ୯୭ ବ୍ଲକରେ ଯୁକ୍ତ ୩ ବିଜ୍ଞାନ ପଢ଼ିବାକୁ ସୁଯୋଗ ଶୂନ। କୋରାପୁଟର ୧୪ ବ୍ଲକରୁ ୧୧, ନବରଙ୍ଗପୁରର ୧୦ ବ୍ଲକରୁ ୭, କନ୍ଧମାଳର ୧୨ ବ୍ଲକରୁ ୭, ରାୟଗଡ଼ାର ୧୧ ବ୍ଲକରୁ ୭ ବ୍ଲକରେ ନାହିଁ ବିଜ୍ଞାନ କଲେଜ। ସେମିତି ସୁନ୍ଦରଗଡ଼ର ୯, ବରଗଡ଼ର ୬, ମୟୁରଭଞ୍ଜର ୫ ଓ କଳାହାଣ୍ଡିର ୬ ବ୍ଲକରେ ବିଜ୍ଞାନ ପଢ଼ାର ସୁବିଧା ମିଳୁନଥିବା ଏହି ରିପୋର୍ଟରୁ ଜଣାପଡ଼ିଛି।

ଗଲା ୩ବର୍ଷରେ ରାଜ୍ୟ ସରକାର ଉଚ୍ଚଶିକ୍ଷା ବିଭାଗ ଲାଗି ୧୦ହଜାର କୋଟି ଟଙ୍କା ବଜେଟରେ ବାଣ୍ଟିଛନ୍ତି। ୨୦୨୩-୨୪ରେ ୩୧୭୪ କୋଟି, ୨୦୨୪-୨୫ରେ ୩୪୬୯ କୋଟି ଓ ୨୦୨୫-୨୬ରେ ୩୬୫୫ କୋଟି ଟଙ୍କା ବଜେଟରେ ବ୍ୟୟ ବରାଦ ହୋଇଛି। ଏବେ ପ୍ରଶ୍ନ ଉଠୁଛି, ବିଭାଗର ବଜେଟ ବଢ଼ୁଥିଲା ବେଳେ +୩ ବିଜ୍ଞାନ କଲେଜର କଳେବର ବଢୁନି କାହିଁକି? ଆଦିବାସୀ ମୂଲକର ମେଧାବୀ ଛାତ୍ରଛାତ୍ରୀଙ୍କୁ କାହିଁକି ଏତେ ଅଣଦେଖା?

ଗୋଟିଏ ପଟେ ସରକାର କହୁଛନ୍ତି ଅଧିକରୁ ଅଧିକ ବୈଷୟିକ ସଶକ୍ତ ହୁଅନ୍ତୁ। କିନ୍ତୁ ଅନ୍ୟପଟେ ଏଥିଲାଗି ଭିତ୍ତିଭୂମି ବଦଳି ପାରୁନି। ଫଳରେ ଘରୋଇ କଲେଜମାନେ ଏହାର ଫାଇଦା ନେଉଛନ୍ତି।