କନକ ବ୍ୟୁରୋ; ଆଉ ଦିନ କେଇଟା ପରେ ଗଣେଶ ପୂଜା। ସେଥିପାଇଁ କାରିଗରଙ୍କୁ ତର ନାହିଁ । ସମସ୍ତେ ଗଣେଶ ମୂର୍ତ୍ତି ତିଆରିରେ ବ୍ୟସ୍ତ । ଭଲ ବେପାର ହେବ, ଦୁଇ ପଇସା ମିଳିବ। ଏଇ ଆଶାରେ ମୂର୍ତ୍ତି ତିଆରି କରୁଛନ୍ତି କୁମ୍ଭାକାର ପରିବାର । ହେଲେ ଗ୍ରାହକଙ୍କ ଦେଖାନାହିଁ । କୁମ୍ଭାକାର ଅନାଇ ବସିଛନ୍ତି, ଗ୍ରାହକ ଆସିବେ, ମୂର୍ତ୍ତି କିଣିନେବେ । ଆଉ ସେମାନଙ୍କ ପିଲାଛୁଆଙ୍କ ପେଟ ପୂରିବ। ହେଲେ ବଜାରରେ ବିକ୍ରି ହେଉଥିବା ପ୍ଲାଷ୍ଟର ଅଫ୍ ପ୍ୟାରିସ ମୂର୍ତ୍ତି ଆଗରେ ଫିକା ପଡ଼ିଛି ମାଟି ମୂର୍ତ୍ତିର ଚାହିଦା । ତେଣୁ ପରିଶ୍ରମିକ ମିଳିବ ନା ନାହିଁ, ତାକୁ ନେଇ ଆଶଙ୍କାରେ ପଡ଼ିଛନ୍ତି ରାୟଗଡ଼ା ବ୍ଲକ ଅନ୍ତର୍ଗତ ଅମଲାଭଟା ଗାଁର କାରିଗର ।
ରାୟଗଡା ସଦର ବ୍ଳକ ଅନ୍ତର୍ଗତ ଅମଲାଭଟା ଗାଁରେ ବସବାସ କରନ୍ତି ପ୍ରାୟ ଶହେ ପରିବାର। ଗ୍ରାହକଙ୍କ ପସନ୍ଦିଆ ମୂର୍ତ୍ତି ତିଆରି କରିଥାନ୍ତି । ରାଜ୍ୟର ବିଭିନ୍ନ ଜିଲ୍ଲା ସମେତ ଆନ୍ଧ୍ରପ୍ରଦେଶ ଓ ଛତିଶଗଡ଼ରୁ ଲୋକେ ଆସି ଏଠାରୁ ମୂର୍ତ୍ତି ନେଉଥିଲେ । ଗାଁରେ କୁମ୍ଭାରଶାଳ ନଥିବାରୁ କାରିଗରମାନେ ନିଜ ଘରେ ଏବଂ ପଲିଥିନ ଟାଣି ଦାଣ୍ଡ ଦୁଆରରେ ମୂର୍ତ୍ତି ଗଢ଼ିଥାନ୍ତି । ଆଗଭଳି ବେପାର ନହେବାରୁ ଶହେ ପରିବାରରୁ ଏବେ ମାତ୍ର ୨୦ଟି ପରିବାର ମୂର୍ତ୍ତି ତିଆରି କରୁଛନ୍ତି। ଅନେକ ନିଜ ବେଉଶା ଛାଡ଼ି ମୂଲ ଲାଗୁଛନ୍ତି ।