କନକ ବ୍ୟୁରୋ : ସରୁନି ସାର ସମସ୍ୟା, ପ୍ରତିଦିନ ଗଞ୍ଜାମର ବିଭିନ୍ନ ସ୍ଥାନରୁ ଆସୁଛି ସାରକୁ ନେଇ ରୋଚକ ସ୍ଥିତି । ଘଣ୍ଟା ଘଣ୍ଟା ଧରି ଚାଷୀ ପିଡ଼ିଆ ପାଇଁ ଲମ୍ବା ଲାଇନରେ ରହୁଛନ୍ତି । ଆଜି ଗଞ୍ଜାମ ଜିଲ୍ଲା ଧରାକୋଟ ବ୍ଳକ ଢଉଗାଁ ପଞ୍ଚାୟତ ଆଗରେ ଚାଷୀଙ୍କ ଅହେତୁକ ଭିଡ଼ ଦେଖିବାକୁ ମିଳିଛି । ପଞ୍ଚାୟତର ପ୍ରାୟ ୭୦୦ରୁ ଅଧିକ ଚାଷୀ ସକାଳୁ ରୁଣ୍ଡ ହୋଇଛନ୍ତି । ହେଲେ ଚାଷୀ ସଂଖ୍ୟା ତୁଳନାରେ ସୋସାଇଟିରେ କମ ସଂଖ୍ୟକ ପିଡ଼ିଆ ବସ୍ତା ଥିବାରୁ ସାର କିପରି ଦିଆଯିବ ତାହା ଏବେ ସବୁଠାରୁ ବଡ଼ ସମସ୍ୟା ହୋଇଛି । ଗତକାଲି ପଞ୍ଚାୟତକୁ ଦୁଇଟି ଗାଡ଼ିରେ ମାତ୍ର ୪୫୦ ବସ୍ତା ସାର ଆସିଛି । ହେଲେ ତାହା କାହାକୁ ମିଳିବ କାହାକୁ ନାଇଁ ସେହି ସନ୍ଦେହ ରେ ଚାଷୀ ହୋ ହାଲ୍ଲା କରୁଛନ୍ତି ।
ଆସିଲା ସାର, ଚାଷୀ ମନରେ ଖୁସୀର ଲହର । ଅସନ୍ତୋଷ ଚାଷୀ ଏବେ ଖୁସୀ । ସପ୍ତାହକ ତଳେ ସାର ପାଇଁ ଲ୍ୟାମ୍ପ୍ସ ଆଗରେ କୋରାପୁଟ୍ ନାରାୟଣପାଟଣା ଅଞ୍ଚଳର ଚାଷୀ ବିକ୍ଷୋଭ କରିଥିଲେ । ସାର ନପାଇବାରୁ ପ୍ରତିବାଦ କରିଥିଲେ । ଗତକାଲି ଓ ଆଜି ତିନି ହଜାର ବସ୍ତା ସାର ନାରାୟଣପାଟଣା ଲ୍ୟାମ୍ପକୁ ଆସିବାରୁ ଚାଷୀଙ୍କ ଭିତରେ ପ୍ରବଳ ଉତ୍ସାହ । ସାର ପାଇଁ ଆଧାର କାର୍ଡ ଧରି ଧାଡ଼ିରେ ଠିଆ ହୋଇଛନ୍ତି ଚାଷୀ । ଆଧାର କାର୍ଡ ଦେଖେଇ ଲ୍ୟାମ୍ପରୁ ସାର ସୁଲଭ ମୂଲ୍ୟରେ ନେଉଛନ୍ତି ।
ସେପଟେ କୌଣସି ପ୍ରକାର କଳାବଜାରୀ, ଗଚ୍ଛିତ କିମ୍ବା ନକଲି ସାର ଅଭିଯୋଗ ଆସିଲେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଆଉ ଏହାପରେ ରାଜ୍ୟବ୍ୟାପୀ ସାର ମାଫିଆଙ୍କ ଉପରେ ଆରମ୍ଭ ହୋଇଛି କାର୍ଯ୍ୟାନୁଷ୍ଠାନ । ଜଗତସିଂହପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ଦୁଇ ଦିନରେ ଦୁଇଟି ସାର ଗୋଦାମ ଉପରେ ଚଢ଼ାଉ ହୋଇଛି । କାହିଁକି ଉଚ୍ଚା ଦରରେ ସାର ବିକ୍ରୟ କରୁଥିଲେ ଡିଲର ? ବିକ୍ରି ହୋଇଥିବା ସାରର କାହିଁକି ରେକର୍ଡ ନାହିଁ ? ସାର ବିକ୍ରୟ ସମୟରେ ଚାଷୀଙ୍କ ଆଧାର ନମ୍ବର କାହିଁକି ରଖାଯାଉନି ? ଏନେଇ କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇଛି । ସେପଟେ କନକ ନ୍ୟୁଜରେ ଖବର ପ୍ରସାରଣ ପରେ ଦେଓଗାଁ ବନ୍ଧପଡ଼ା କୃଷି ସମବାୟ ସମିତିରେ ସ୍ୱାଭାବିକ ହୋଇଛି ସାର ବଣ୍ଟନ । ୟୁରିଆ ସାର ବଣ୍ଟନକୁ ନେଇ କୁତୁର୍ଲା ପେକ୍ସରେ ଗର୍ଜିଛନ୍ତି ଚାଷୀ ।