କନକ ବ୍ୟୁରୋ; ରାତି ପାହିଲେ ଚଳଚଞ୍ଚଳ ହୋଇଉଠେ ବାଲେଶ୍ୱର ଜିଲ୍ଲା ନୀଳଗିରି ଏନଏସି ଅନ୍ତର୍ଗତ ବରିସାହି ଅଞ୍ଚଳ । ୬୦ରୁ ଅଧିକ ପରିବାର କଟୁରି ଓ ଅନ୍ୟ ଯନ୍ତ୍ରପାତି ଧରି କାମରେ ଲାଗିପଡ଼ନ୍ତି । ବାଉଁଶକୁ ଚିରି ପତଳା କରି ଶୁଖାଯାଏ । ଶୁଖିଯିବା ପରେ ସେଥିରେ ରଙ୍ଗ ଦେଇ ପ୍ରସ୍ତୁତ ହୁଏ କୁଲା, ପାଛିଆ, ଡାଲା ଭଳି ସୁନ୍ଦର ସୁନ୍ଦର ଘରକରଣା ସାମଗ୍ରୀ । ହେଲେ ଦିନକୁ ଦିନ ପ୍ଲାଷ୍ଟିକର ବହୁଳ ବ୍ୟବହାର ପାଇଁ ବାଉଁଶ ତିଆରି ସାମଗ୍ରୀର ଚାହିଦା କମୁଛି । ପୂଜା ପାର୍ବଣ, ବାହାଘର ଓ ବ୍ରତଘରକୁ ଛାଡ଼ିଦେଲେ ଅନ୍ୟ ଦିନ କେହି ବାଉଁଶ ସାମଗ୍ରୀ ବ୍ୟବହାର କରୁନାହାନ୍ତି ।
ବାଉଁଶରେ ଗୋଟିଏ ଭଲ ସାମଗ୍ରୀ ତିଆରି ପାଇଁ ୨-୩ ଦିନ ଲାଗିଥାଏ । ହେଲେ ଏତେ ପରିଶ୍ରମ ପରେ କାରିଗରଙ୍କୁ ମିଳିଥାଏ ମାତ୍ର ୨ଶହ - ୩ଶହ ଟଙ୍କା । ଏଥିରେ ଘର ଚଳାଇବା ସମ୍ଭବ ହେଉନାହିଁ। ଏଥିପାଇଁ ବାଉଁଶ କାରିଗର ଧୀରେ ଧୀରେ କୁଳ ବେଉସାରୁ ମୁହଁ ମୋଡୁଛନ୍ତି । ଭଲ ରୋଜଗାର ଆଶାରେ ବାହାର ରାଜ୍ୟକୁ ଦାଦନ ଖଟିବାକୁ ଚାଲିଯାଉଛନ୍ତି ।
ତାଳ, ଶିଆଳି, ଖଜୁରୀ ଆଦି ଗଛର ପତ୍ରରୁ ପ୍ରସ୍ତୁତ ହେଉଥିବା ବିଭିନ୍ନ ସାମଗ୍ରୀ ପାଇଁ ଯେପରି ବଜାର ଖୋଲାଯାଇ ସରକାରୀ ପ୍ରତ୍ସୋହନ ମିଳୁଛି, ସେହିପରି ବାଉଁଶ ସାମଗ୍ରୀ ପାଇଁ ବଜାର ଖୋଲି ସରକାର ଯଦି ସିଧାସଳଖ କାରିଗରଙ୍କଠାରୁ ସାମଗ୍ରୀ କିଣନ୍ତେ ଓ ପ୍ରୋତ୍ସାହନ ଦିଅନ୍ତେ, ତେବେ ବାଉଁଶ କାରିଗର ଉପକୃତ ହୁଅନ୍ତେ ।