କନକ ବ୍ୟୁରୋ : ଦିଲ୍ଲୀରେ ଗଣଦୁଷ୍କର୍ମର ଶିକାର ଓଡ଼ିଆ ଯୁବତୀଙ୍କୁ ଦିଲ୍ଲୀ ଏମ୍ସର ଟ୍ରମା ସେଣ୍ଟରରେ ରଖି ଚିକିତ୍ସା କରାଯାଉଛି । ଗୁରୁତର ଅବସ୍ଥାରେ ତାଙ୍କର ଚିକିତ୍ସା ଚାଲିଥିବାବେଳେ, ଗଣମାଧ୍ୟମରେ ଖବର ପ୍ରସାରଣର ତିନି ଦିନ ପରେ ତତ୍ପର ହୋଇଛି ଓଡ଼ିଶା ପୁଲିସ । ଦିଲ୍ଲୀ ପୋଲିସ କମିଶନରଙ୍କ ସହ ଆଲୋଚନା କରିଛନ୍ତି ଓଡ଼ିଶା ପୋଲିସ ଡିଜି । ସଞ୍ଜୟ ଆରୋରାଙ୍କ ସହ କଥା ହୋଇଛନ୍ତି ୱାଇ.ବି. ଖୁରାନିୟା । ପୀଡ଼ିତାଙ୍କ ପରିବାର ଓ ଦିଲ୍ଲୀ ପୋଲିସ ସହିତ ଯୋଗାଯୋଗରେ ଅଛି ଓଡ଼ିଶା ପୋଲିସ । ତଦନ୍ତ କେମିତି ହେଉଛି, କେତେ ବାଟ ଯାଇଛି ତା' ଉପରେ ବି ନଜର ରଖାଯାଇଛି । ପୀଡ଼ିତାଙ୍କ ପରିବାର ଲୋକଙ୍କ ପାଇଁ ଦିଲ୍ଲୀ ଯିବାର ବ୍ୟବସ୍ଥା କରାଯାଇଛି । ଘଟଣା ଘଟିଥିବା ସ୍ଥାନର ସିସିଟିଭି ଫୁଟେଜକୁ ନେଇ ଛାନଭିନ୍ କରୁଛି ଦିଲ୍ଲୀ ପୁଲିସ
ଗଣଦୁଷ୍କର୍ମର ଶିକାର ଯୁବତୀ ଜଣେ ନର୍ସିଂ ଗ୍ରାଜୁଏଟ ବୋଲି ଜଣାପଡିଛି । ଗତ ୧୦ ଏବଂ ୧୧ ତାରିଖ ରାତିରେ ଦିଲ୍ଲୀ ସାଉଥ ଇଷ୍ଟର ସରାଇକଲେ ଖାନ୍ ଫ୍ଲାଏଓଭର ନିକଟରୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ୩୪ ବର୍ଷୀୟ ଯୁବତୀଙ୍କୁ ଉଦ୍ଧାର କରାଯାଇଥିଲା । ପ୍ରାୟ ବର୍ଷେ ଧରି ଦିଲ୍ଲୀରେ ସେ ରହିଆସୁଥିଲେ । ହେଲେ ଗତ ମାସେ ଧରି ଯୁବତୀ କୁଆଡ଼େ ନିଖୋଜ ହୋଇଯାଇଥିବା ପରିବାର ପକ୍ଷରୁ ମାମଲା କରାଯାଇଥିଲା । ଘଟଣାକୁ ତୀବ୍ର ନିନ୍ଦା କରିବା ସହ ଜାତୀୟ ମାନବାଧିକାର କମିଶନଙ୍କ ନିକଟରେ ଅଭିଯୋଗ କରିଛନ୍ତି ମାନବାଧିକାର କର୍ମୀ ଜୟନ୍ତ ଦାସ ।
ବିଏନଏସର ଦଫା ୭୦(୧) ଓ ୧୧୫ (୨)ରେ ଗଣଦୁଷ୍କର୍ମ ଓ ଉଦ୍ଦେଶ୍ୟମୂଳକ ଭାବା ଆଘାତ ଦେବା ମାମଲା ରୁଜୁ କରି ତଦନ୍ତ କରୁଛି ଦିଲ୍ଲୀ ପୋଲିସ । ହେଲେ ଘଟଣାକୁ ନେଇ ଓଡ଼ିଶା ପୋଲିସର ନିଷ୍କ୍ରିୟତା ପ୍ରସଙ୍ଗରେ ଘେରିଛି ବିରୋଧୀ ବିଜେଡି । ଏଭଳି ଏକ ଲୋମହର୍ଷଣକାରୀ ଘଟଣାକୁ ନେଇ ରାଜ୍ୟ ସରକାର କିମ୍ବା ରାଜ୍ୟ ବିଜେପିର କୌଣସି ଚିନ୍ତା ନଥିବା କହି ଶାସକ ଦଳକୁ ଘେରିଛନ୍ତି ବିଜେଡି ସାଂସଦ । ସେପଟେ ୨୫ ବର୍ଷର ଶାସନ କାଳରେ ମହିଳା ସୁରକ୍ଷା ପ୍ରସଙ୍ଗ ଉଠାଇ ପାଲଟା ଘେରିଛି ବିଜେପି । ଘଟଣା ପୂର୍ବରୁ ଦୁଇଦିନ ଧରି ଯୁବତୀଙ୍କୁ ଏକ ଏଟିଏମ୍ ପାଖରେ ଦେଖିବାକୁ ମିଳିଥିବା ପୁଲିସ ସୂତ୍ରରୁ ଖବର ମିଳିଛି । ସେପଟେ ଘଟଣା ଘଟିଥିବା ସ୍ଥାନର ସିସିଟିଭି ଫୁଟେଜକୁ ନେଇ ଛାନଭିନ କରୁଛି ଦିଲ୍ଲୀ ପୋଲିସ ।