କନକ ବ୍ୟୁରୋ : ଦିଲ୍ଲୀର ଏକ ପୋଲିସ ଷ୍ଟେସନର ଷ୍ଟୋରରୁମରେ ରହିଛି ଗୋଟିଏ ବକ୍ସ । ଏହି ବକ୍ସରେ ବନ୍ଦ ରହିଛନ୍ତି ଶ୍ରଦ୍ଧା ୱାକର । ଇଏ ସେହି ଶ୍ରଦ୍ଧା ୱାକର ଯାହାକୁ ମାରି ଫ୍ରିଜରେ ଖଣ୍ଡ ଖଣ୍ଡ କରି ରଖିଥିଲା ସୈତାପ ପ୍ରେମିକ । ଆମେ କହୁଛୁ ବହୁଚର୍ଚ୍ଚିତ ଦିଲ୍ଲୀ ଶ୍ରଦ୍ଧା ୱାକର ହତ୍ୟା ମାମଲା କଥା । ଆଜିବି ଝିଅର ଅନ୍ତିମ ସଂସ୍କାର ପାଇଁ ଅପେକ୍ଷା କରି ରହିଛି ବୁଢା ବାପା ।
ଦିଲ୍ଲୀ ଶ୍ରଦ୍ଧା ହତ୍ୟାକାଣ୍ଡ ଘଟଣାକୁ ୨ବର୍ଷ ବିତିଗଲାଣି କିନ୍ତୁ ଆଜି ଯାଏଁ ଶ୍ରଦ୍ଧାଙ୍କୁ ନ୍ୟାୟ ମିଳିପାରିନି କି ବାପାଙ୍କୁ ଅନ୍ତିମ ସଂସ୍କାର ପାଇଁ ଝିଅର ଖଣ୍ଡବିଖଣ୍ଡିତ ଶରୀର ମିଳିପାରିନି । ଦିଲ୍ଲୀର ମହରୌଲି ଥାନାର ପାଖାପାଖି ଅଢେଇ ବର୍ଷ ହେବ ଷ୍ଟୋରରୁମରେ ଏକ ବକ୍ସରେ ବନ୍ଦ ରହିଛନ୍ତି ଶ୍ରଦ୍ଧା ୱାକର । ଥାନା ଠାରୁ ସାକେତ୍ କୋର୍ଟ ୪କିଲୋମିଟର ଦୁରରେ ରହିଛି । ଜୁନ୍ ୧ତାରିଖ ୨୦୨୩ରୁ ମାମଲା ଏହି କୋର୍ଟରେ ବିଚାରଧୀନ ହୋଇ ରହିଛି । ମାମଲା କୋର୍ଟରେ ବିଚାରଧୀନ ଅବସ୍ଥାରେ ଥିବା କାରଣରୁ ଏହି ବକ୍ସ ଥାନାରୁ କୋର୍ଟ ଏବଂ କୋର୍ଟରୁ ଥାନା ହେଉଛି ।
ଝିଅର ଅନ୍ତିମ ସଂସ୍କାର ପାଇଁ ଅଢେଇ ବର୍ଷ ଅପେକ୍ଷା
ଗତ ଅଢେଇ ବର୍ଷ ଭିତରେ ଯେବେ ଯେବେ ବାପା ବିକାଶ ୱାକର୍ ସକେତ କୋର୍ଟରେ ହାଜର ହୁଅନ୍ତି ସେବେ ସେବେ ବକ୍ସ ଭିତରେ ବନ୍ଦ ଥିବା ଝିଅ ଶ୍ରଦ୍ଧାକୁ ସାମ୍ନାରେ ପାଆନ୍ତି । ଜଣାନାହିଁ ଏହା କି ପ୍ରକାର ଆଇନ୍... ଜଣେ ଅସହାୟ ଓ ଭାଙ୍ଗିପଡିଥିବା ବାପା ସହ ଖେଳୁଛି । ଯେଉଁ ବାପାର ଯବାନ ଝିଅକୁ ଅତି ନିର୍ମମ ଭାବେ ହତ୍ୟା କରାଗଲା । ଶ୍ରଦ୍ଧାକୁ ଜାଣିନଥିବା ଲୋକ ବି ଶ୍ରଦ୍ଧାଙ୍କ ହତ୍ୟା କାହାଣୀ ଶୁଣି ଦୁଃଖରେ ଭାଙ୍ଗିପଡିଲା । ସେହି ଶ୍ରଦ୍ଧାଙ୍କ ଅନ୍ତିମ ସଂସ୍କାର ପାଇଁ ଆଜି ତାଙ୍କ ବାପା ଅଢେଇ ବର୍ଷ ହେବ ଅପେକ୍ଷା କରିରହିଛନ୍ତି ।