କନକ ବ୍ୟୁରୋ :  ଦୁର୍ଘଟଣା...କେବେ କେମିତି କେତେବେଳେ ଘଟିବ , କିଏ ବା କହିବ । ବିମାନ , ଟ୍ରେନ , ବସ୍‌ ଅବା ବାଇକ୍‌ ସବୁଥିରେ ଯିବା ଆସିବା ସମୟରେ ଦୁର୍ଘଟଣା ଘଟୁଛି । କିନ୍ତୁ ଆଖି ବନ୍ଦ କରି ନିଶ୍ଚିନ୍ତରେ ଶୋଇଥିବା ସମୟରେ ଯଦି ଦୁର୍ଘଟଣା ଘଟେ , ଏହିପରି ଏକ ହୃଦୟ ବିଦାରକ ଦୁର୍ଘଟଣା ଘଟିଛି ଦିଲ୍ଲୀ ବସନ୍ତ ବିହାରରେ । ଫୁଟପାଥରେ ଶୋଇଥିବା ୫ ଜଣଙ୍କ ଉପରେ ମାଡ଼ିଗଲା ଅଡି ।  

Advertisment

ବାସହୀନ ମଣିଷ ଦିନରେ ମଜୁରିଆ ଭାବେ କାମ କରନ୍ତି । ରାତି ହେଲେ ଫୁଟପାଥରେ ଖାଇପିଇ ନିଶ୍ଚିନ୍ତରେ ଶୋଇଯାଆନ୍ତି । ସବୁଦିନ ପରି ସ୍ତ୍ରୀ ଛୁଆଙ୍କୁ ଧରି ଫୁଟପାଥରେ ଶୋଇଥିଲେ । ରାତି ପ୍ରାୟ ୧.୪୫ ହେବ , ସେହି ସମୟରେ ଏକ ଦ୍ରୁତଗାମୀ ଗାଡ଼ି ସେମାନଙ୍କ ଉପରେ ଚଢ଼ିଯାଇଥିଲା । ଗୁରୁତର ଅବସ୍ଥାରେ ସେମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । 

ପୁଲିସର ସୂଚନା ଅନୁଯାୟୀ, ଦ୍ୱାରକା ନିବାସୀ ୪୦ ବର୍ଷୀୟ ଉତ୍ସବ ଶେଖର ନାମକ ଜଣେ ବ୍ୟକ୍ତି ନିଶାସକ୍ତ ଅବସ୍ଥାରେ ଗାଡ଼ି ଚଳାଉଥିଲେ । ସେ ନିୟନ୍ତ୍ରଣ ହରାଇ ଫୁଟପାଥରେ ଶୋଇଥିବା ଲୋକଙ୍କ ଉପରେ ଚଢ଼ାଇ ଦେଇଥିଲେ । ଦୁର୍ଘଟଣା ପରେ ସ୍ଥାନୀୟ ଲୋକମାନେ ପୁଲିସକୁ ଖବର ଦେଇଥିଲେ ଏବଂ ଆହତମାନଙ୍କୁ ତୁରନ୍ତ ନିକଟସ୍ଥ ଡାକ୍ତରଖାନାକୁ ନିଆଯାଇଥିଲା ।

ଆହତମାନେ ସମସ୍ତେ ରାଜସ୍ଥାନର ବାସିନ୍ଦା ଏବଂ ଦିନ ମଜୁରିଆ ଭାବେ କାମ କରୁଥିଲେ । ସେମାନେ ହେଲେ ଲାଧୀ (୪୦), ତାଙ୍କ ଆଠ ବର୍ଷର ଝିଅ ବିମଳା, ସ୍ୱାମୀ ସବାମି ଓରଫ ଚିରମା (୪୫), ରାମଚନ୍ଦ୍ର (୪୫) ଏବଂ ତାଙ୍କ ପତ୍ନୀ ନାରାୟଣୀ (୩୫) । ଆହତଙ୍କ ମଧ୍ୟରେ ଆଠ ବର୍ଷର ଶିଶୁ କନ୍ୟା ସମେତ ଅନ୍ୟ ଜଣଙ୍କର ଅବସ୍ଥା ସଙ୍କଟାପନ୍ନ ରହିଛି । ଘଟଣାସ୍ଥଳରୁ ଅଭିଯୁକ୍ତ ଡ୍ରାଇଭର ଉତ୍ସବ ଶେଖରଙ୍କୁ ପୁଲିସ ଗିରଫ କରିଛି । ତାଙ୍କର ଡାକ୍ତରୀ ପରୀକ୍ଷାରୁ ସେ ମଦ୍ୟପାନ କରିଥିବା ସ୍ପଷ୍ଟ ହୋଇଛି । ଅଭିଯୁକ୍ତଙ୍କ ବିରୋଧରେ ଦ୍ରୁତ ଏବଂ ଅବହେଳାପୂର୍ଣ୍ଣ ଗାଡ଼ି ଚାଳନା ଅଭିଯୋଗରେ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି ପୁଲିସ ।