Delhi Blast Photograph: (KanakNews)
କନକ ବ୍ୟୁରୋ : ଦିଲ୍ଲୀରେ ଭୟଙ୍କର କାର୍ ବିସ୍ଫୋରଣ । ସାରା ଦେଶରେ ହଇଚଇ । ଦିଲ୍ଲୀ ବିସ୍ଫୋରଣ ଘଟଣାରେ ମୃତ୍ୟୁ ସଂଖ୍ୟା ୯କୁ ବୃଦ୍ଧି । ଘଟଣାରେ ୨୮ ଜଣ ଆହତ ହୋଇଛନ୍ତି । ଧାରା ୧୬, ୧୮, ୟୁଏପିଏ ଆକ୍ଟ ତଥା ଆତଙ୍କବାଦୀ ବିରୋଧୀ ମାମଲା ରୁଜୁ କଲା ଦିଲ୍ଲୀ ପୁଲିସ । କୋଟୱାଲି ପୁଲିସ ଷ୍ଟେସନରେ ରୁଜୁ ହେଲା ମାମଲା । ଏନଆଇଏକୁ ମାମଲାର ତଦନ୍ତ ଭାର ଦିଆଯାଇଛି । ଲାଲକିଲ୍ଲା ମେଟ୍ରୋ ଷ୍ଟେସନ୍ ଗେଟ୍ ନମ୍ୱର-୧ ନିକଟରେ ଏହି ବିସ୍ଫୋରଣ ଘଟିଛି । ସୂଚନା ଅନୁସାରେ, ସନ୍ଧ୍ୟା ୬ଟା ୫୨ ନିକଟରେ ହରିୟାଣା ନମ୍ୱର ପ୍ଲେଟ୍ ବିଶିଷ୍ଟ ଏକ ଧଳା ରଙ୍ଗର ଆଇ-ଟ୍ୱେଣ୍ଟି କାର୍ ଧୀରେ ଧୀରେ ଆସି ରେଡ୍ ଲାଇଟ୍ ନିକଟରେ ଅଟକିଥିଲା । ଏହାପରେ ସେଥିରେ ବଡ଼ ଧରଣର ବିସ୍ଫୋରଣ ହୋଇଥିଲା । ବିସ୍ଫୋରଣ ଏତେ ଶକ୍ତିଶାଳୀ ଥିଲା ଯେ, ଆଖପାଖରେ ଥିବା ବହୁ ଯାନବାହନ କ୍ଷତିଗ୍ରସ୍ତ ହୋଇଛି । ବହୁ ଦୂର ଯାଏଁ ଏହାର ଶବ୍ଦ ଶୁଣାଯିବା ସହ ମେଟ୍ରୋ ଷ୍ଟେସନ ମଧ୍ୟ ଥରି ଉଠିଥିଲା । ଏହାପରେ ସାମ୍ନାକୁ ଆସିଥିଲା ଘଟଣାସ୍ଥଳର ଛାତିଥରା ଚିତ୍ର । ଖଣ୍ଡବିଖଣ୍ଡିତ ମୃତଦେହ ଗୁଡ଼ିକ ଏଣେ ତେଣେ ବିଛାଡ଼ି ହୋଇପଡ଼ିଥିବା ଦେଖିବାକୁ ମିଳିଥିଲା । ବହୁ ମୃତକଙ୍କ ପରିଚୟ ମଧ୍ୟ ମିଳିପାରୁନାହିଁ । ଦିଲ୍ଲୀ ପୁଲିସର କ୍ରାଇମବ୍ରାଞ୍ଚ୍, ସ୍ପେଶାଲ୍ ସେଲ୍, ଏନ୍ଆଇଏ, ଏନ୍ଏସ୍ଜି ଏବଂ ଫରେନ୍ସିକ ଟିମ୍ ଘଟଣାର ତଦନ୍ତ କରୁଛନ୍ତି ।
ଦିଲ୍ଲୀ ବିସ୍ଫୋରଣ; ପୁଲୱାମା ବିସ୍ଫୋରଣ ଦିନ ବିକ୍ରି ହୋଇଥିଲା i 20 କାର୍
ଆକ୍ରମଣ ପଛରେ ଆତଙ୍କବାଦୀଙ୍କ ହାତ ଥିବା ନେଇ ସନ୍ଦେହ ପ୍ରକାଶ କରିଛନ୍ତି ପ୍ରତିରକ୍ଷା ବିଶେଷଜ୍ଞ ଅନୀଲ ଗୌର । ଏହା ପୂର୍ବରୁ ହରିଆଣାରୁ ୨୯୦୦ କେଜି ବୋମା ପ୍ରସ୍ତୁତକାରୀ କେମିକାଲ ଜବତ ହୋଇଥିଲା । ଆକ୍ରମଣ ପଛରେ ପାକିସ୍ତାନର ଗୁପ୍ତଚରୀ ସଂସ୍ଥା ଆଇଏସଆଇର ହାତ ଥାଇପାରେ ବୋଲି ସେ କହିଛନ୍ତି । ଏବେ ବିହାର ନିର୍ବାଚନ ସହ ଦେଶର ଅନେକ ସ୍ଥାନରେ ଉପନିର୍ବାଚନ ଚାଲିଛି । ଆଗକୁ ପଶ୍ଚିମବଙ୍ଗ ସହ ଅନ୍ୟ ରାଜ୍ୟରେ ବିଧାନସଭା ନିର୍ବାଚନ ହେବାର ଅଛି । ଦେଶରେ ଅଶାନ୍ତି ସୃଷ୍ଟି କରିବା ଉଦେଶ୍ୟରେ ଏଭଳି ଆକ୍ରମଣ କରାଯାଇଥିବା ସନ୍ଦେହ ପ୍ରକାଶ ପାଇଛି । ତଦନ୍ତ ପରେ ଏହା ପଛର କାହାର ହାତ ଅଛି ତାହା ସଷ୍ଟି ହେବ । ସେପଟେ ଏବେବି ଅପରେସନ ସିନ୍ଦୁର ଜାରୀ ରହିଛି । ନିର୍ବାଚନ ପରେ ଭାରତ ଯବାବ ଦେଇପାରେ ବୋଲି କହିଛନ୍ତି ପ୍ରତିରକ୍ଷା ବିଶେଷଜ୍ଞ ।
Follow Us