କନକ ବ୍ୟୁରୋ: ରାଜଧାନୀ ବାସୀଙ୍କୁ କନ୍ଦାଉଛି ଦିଲ୍ଲୀ ପ୍ରଦୂଷଣ । ଗତ ଦୁଇ ଦିନ ଧରି ପାରଦ ଖସିବା ସହ ଦିଲ୍ଲୀରେ ପ୍ରଦୂଷଣ ସ୍ତର ଉଦବେଗଜନକ ସ୍ତରରେ ପହଞ୍ଚିଛି । ବିଶେଷ କରି ଟ୍ରାଫିକ୍ ସମୟ ପୂର୍ବରୁ ହଟ୍ସ୍ପଟ୍ ଅଞ୍ଚଳରେ ରାସ୍ତା ଉପରେ ପାଣି ସିଞ୍ଚନ ବୃଦ୍ଧି କରିବାକୁ କୁହାଯାଇଛି । ସରକାର ଦିଲ୍ଲୀ ବାସିନ୍ଦାଙ୍କୁ ଯଥା ସମ୍ଭବ ସର୍ବସାଧାରଣ ପରିବହନ ବ୍ୟବହାର କରିବାକୁ ପରାମର୍ଶ ଦେଇଛନ୍ତି । ଚଳିତ ଋତୁରେ ପ୍ରଥମ ଥର ପାଇଁ ଦିଲ୍ଲୀର ବାୟୁ ଗୁଣବତ୍ତା ସୂଚକାଙ୍କ ‘ସାଂଘାତିକ’ ଶ୍ରେଣୀକୁ ଖସି ଆସିବାର ଗୋଟିଏ ଦିନ ପରେ ଗୁରୁବାର ସକାଳେ ଏହା ୪୨୮ରେ ପହଞ୍ଚିଛି । ଆଜି ସକାଳେ ଦିଲ୍ଲୀବାସୀ ପୁଣି ଥରେ ଘନ ଧୂଆଁ-କୁହୁଡ଼ିକୁ ସାମ୍ନା କରିଥିଲେ । ଧୂଆଁ ଯୋଗୁଁ ସହରରେ ଦୃଶ୍ୟମାନତା ହ୍ରାସ ପାଇଥିଲା ଏବଂ ୨୦୦ରୁ ଅଧିକ ବିମାନ ବିଳମ୍ବିତ ହୋଇଥିଲା ।
ସକାଳ ସାଢ଼େ ୬ଟା ବେଳକୁ ଦିଲ୍ଲୀର ୪୦ଟି ପାଣିପାଗ କେନ୍ଦ୍ର ମଧ୍ୟରୁ ୮ଟିରେ ବିପଦଜ୍ଜନକ ପ୍ରଦୂଷଣ ସ୍ତର ରେକର୍ଡ ହୋଇଛି । ବାକି କେନ୍ଦ୍ରଗୁଡ଼ିକ ଗୁରୁତର ବର୍ଗରେ ରହିଛନ୍ତି । ରିୟଲ ଟାଇମ୍ ଏୟାର କ୍ୱାଲିଟି ଇଣ୍ଡେକ୍ସ ଅନୁଯାୟୀ, ନୂଆଦିଲ୍ଲୀ ଆମେରିକା ଦୂତାବାସ ଅଞ୍ଚଳରେ ସର୍ବାଧିକ ପ୍ରଦୂଷଣ ଅର୍ଥାତ୍ ୪୭୪ ଏକ୍ୟୁଆଇ ରେକର୍ଡ ହୋଇଛି । ଏହାବ୍ୟତୀତ ଲୋନିରେ ୪୩୮, ପଞ୍ଜାବୀ ବାଗ ଓ ସହିଦ ସୁଖଦେବ ମହାବିଦ୍ୟାଳୟରେ ୪୧୪ଏକ୍ୟୁଆଇ ରେକର୍ଡ ହୋଇଛି । ଏହାବ୍ୟତୀତ ଅନ୍ୟ କେନ୍ଦ୍ରଗୁଡ଼ିକରେ AQI ୩୦୦ରୁ ୪୦୦ ମଧ୍ୟରେ ରେକର୍ଡ କରାଯାଇଛି । କୁହୁଡ଼ି ଯୋଗୁଁ ଦୃଶ୍ୟମାନତା ମଧ୍ୟ ହ୍ରାସ ପାଇବା ସହ ଶୀତ ବଢୁଛି । ଗୁରୁବାର ସନ୍ଧ୍ୟାରେ ଦିଲ୍ଲୀରେ ଥଣ୍ଡା ପବନ ଓ ଘନ କୁହୁଡ଼ି ଦେଖିବାକୁ ମିଳିଥିଲା । ଦିଲ୍ଲୀର ସମସ୍ତ ପ୍ରାଥମିକ ବିଦ୍ୟାଳୟ ବର୍ତ୍ତମାନ ଅନଲାଇନ ମୋଡରେ ଚାଲିବ । ପ୍ରଦୂଷଣ ବୃଦ୍ଧି ହେତୁ ମୁଖ୍ୟମନ୍ତ୍ରୀ ଆତିଶୀ ଏହି ନିଷ୍ପତ୍ତି ନେଇଛନ୍ତି ।