କନକ ବ୍ୟୁରୋ: ଦିଲ୍ଲୀ କାର୍‌ ବୋମା ବିସ୍ଫୋରଣ ଘଟଣାରେ ଓଡ଼ିଶା ଲିଙ୍କ୍‌ ସାମନାକୁ ଆସିବା ପରେ ତଦନ୍ତକାରୀ ସଂସ୍ଥାଗୁଡ଼ିକ ପକ୍ଷରୁ ତନାଘନା ହୋଇଛି । ଆତଙ୍କବାଦୀମାନେ ବ୍ୟବହାର କରିଥିବା ମୋବାଇଲ୍‌ ସିମ୍‌ ଯାଜପୁର ଓ ଭଦ୍ରକରୁ କିଣାଯାଇଥିବା ଜଣାପଡ଼ିବା ପରେ ଦିଲ୍ଲୀ ପୁଲିସ ଏ ସଂପର୍କରେ ଖୋଳତାଡ଼ ଜାରି ରଖିଥିଲା । ଗତକାଲି ଦିଲ୍ଲୀ ସାହିନ୍‌ବାଗ ଥାନା ପୁଲିସ ଯାଜପୁର ଓ ପଡ଼ୋଶୀ ଜିଲ୍ଲା ଭଦ୍ରକ ମଞ୍ଜୁରୀରୋଡ୍‌ ବଜାରରେ ଚଢ଼ଉ କରି ୨ ଜଣ ମୋବାଇଲ୍ ଦୋକାନୀଙ୍କୁ ଉଠାଇ ନେଇଛି । ମଞ୍ଜୁରୀରୋଡ୍‌ ବଜାରରେ ମୋବାଇଲ୍‌ ଦୋକାନ କରିଥିବା ସନ୍ତୋଷ ଖଣ୍ଡେଇ ଓ ତାଙ୍କ ସହଯୋଗୀ ତରାଗୋ ଅଞ୍ଚଳର ମହେଶ୍ବର ପୁଣ୍ଟିଆଙ୍କୁ ଦିଲ୍ଲୀ ପୁଲିସ ବନ୍ତ ଥାନାକୁ ଆଣି ପଚରାଉଚରା କରିଥିଲା। ଉଭୟଙ୍କୁ ଭଦ୍ରକ କୋର୍ଟରେ ହାଜର କରି ଦିଲ୍ଲୀ ପୁଲିସ ରିମାଣ୍ଡରେ ନେଇଯାଇଛି । 

Advertisment

 ଅଧିକ ପଢନ୍ତୁ :Delhi Blast : ଦିଲ୍ଲୀ ବିସ୍ଫୋରଣରେ ଓଡ଼ିଶା ଲିଙ୍କ୍!

ଉଭୟ ମିଳିତ ଭାବେ ସେମାନଙ୍କ ଦୋକାନକୁ ନୂଆ ସିମ୍‌କାର୍ଡ କିଣିବାକୁ ଆସୁଥିବା ଗ୍ରାହକଙ୍କ ଆଧାରକାର୍ଡକୁ ଉପଯୋଗ କରି ଏକକାଳୀନ ବହୁ ସିମ୍‌ ଆକ୍ଟିଭ୍‌ କରୁଥିଲେ ଏବଂ ସେଥିରୁ ଗୋଟିଏ ସିମ୍ କାର୍ଡ ମୂଳ ଗ୍ରାହକଙ୍କୁ ଦେଉଥିଲେ । ଗ୍ରାହକଙ୍କ ଅଜାଣତରେ ଏଭଳି ବେଆଇନ କାର୍ଯ୍ୟ କରାଯାଉଥିଲା । ଯାଜପୁର କୋରେଇ ଥାନା ଅଞ୍ଚଳର ବହୁ ବେକାର ଯୁବକଙ୍କୁ ଏ ଦୁହେଁ ସେମାନଙ୍କ ଦୋକାନରୁ ସିମ୍‌ କିଣିବାକୁ ପ୍ରଲୋଭିତ କରୁଥିଲେ । ପ୍ରତି ସିମ୍‌ ପାଇଁ ୨ରୁ ୩ ହଜାର ପର୍ଯ୍ୟନ୍ତ ଟଙ୍କା ଦେଉଥିଲେ। ଆକ୍ଟିଭ୍‌ ହୋଇଥିବା ଅନ୍ୟ ସିମ୍‌ଗୁଡ଼ିକୁ ଉଚ୍ଚ ଦାମରେ ବେନାମୀ ଲୋକଙ୍କୁ ବିକ୍ରୟ କରାଯାଉଥିଲା ଏବଂ ଏହି ସିମ୍‌କାର୍ଡଗୁଡ଼ିକୁ ଅପରାଧିକ କାର୍ଯ୍ୟରେ ବ୍ୟବହାର କରାଯାଉଥିଲା । ଦିଲ୍ଲୀ ସାହିନ୍‌ବାଗ ଥାନାରେ ମାମଲା ରୁଜୁ ହୋଇଥିବାବେଳେ ଅଭିଯୁକ୍ତ ସନ୍ତୋଷଠାରୁ ବିକ୍ରି ହୋଇଥିବା ବେଆଇନ ସିମ୍‌କାର୍ଡ ଜବତ ହୋଇଛି । ଉଭୟଙ୍କ ଆକାଉଣ୍ଟରେ ବିପୁଳ ଟଙ୍କାର କାରବାର ହୋଇଥିବା ପୁଲିସ ତଦନ୍ତରୁ ଜଣାପଡ଼ିଛି । ନଭେମ୍ବର ୧୦ ତାରିଖରେ ଦିଲ୍ଲୀ ଲାଲକିଲ୍ଲା ନିକଟରେ ହୋଇଥିବା କାର ବିସ୍ଫୋରଣରେ ୧୪ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨୦ ଜଣ ଗୁରୁତର ଆହତ ହୋଇଥିଲେ।