କନକବ୍ୟୁରୋ :  ଦିଲ୍ଲୀ କାର୍‌ ବୋମା ବିସ୍ଫୋରଣ ଘଟଣାରେ ଓଡ଼ିଶା ଲିଙ୍କ୍‌ ସାମନାକୁ ଆସିବା ପରେ ତଦନ୍ତକାରୀ ସଂସ୍ଥାଗୁଡ଼ିକ ପକ୍ଷରୁ ତନାଘନା ହୋଇଛି ।  ଆତଙ୍କବାଦୀ ମାନେ ବ୍ୟବହାର କରିଥିବା ମୋବାଇଲ୍‌ ସିମ୍‌ ଭଦ୍ରକରୁ କିଣାଯାଇଥିବା ଜଣାପଡ଼ିବା ପରେ ଦିଲ୍ଲୀ ପୁଲିସ ଏ ସଂପର୍କରେ ଖୋଳତାଡ଼ ଜାରି ରଖିଥିଲା । ଗତକାଲି ଦିଲ୍ଲୀ ସାହିନ୍‌ବାଗ ଥାନା ପୁଲିସ ଭଦ୍ରକ ମଞ୍ଜୁରୀରୋଡ୍‌ ବଜାରରେ ଚଢ଼ଉ କରି ୨ ଜଣ ମୋବାଇଲ୍ ଦୋକାନୀଙ୍କୁ ଉଠାଇ ନେଇଛି । ମଞ୍ଜୁରୀରୋଡ୍‌ ବଜାରରେ ମୋବାଇଲ୍‌ ଦୋକାନ କରିଥିବା ସନ୍ତୋଷ ଖଣ୍ଡେଇ ଓ ତାଙ୍କ ସହଯୋଗୀ ତରାଗୋ ଅଞ୍ଚଳର ମହେଶ୍ବର ପୁଣ୍ଟିଆଙ୍କୁ ଦିଲ୍ଲୀ ପୁଲିସ ବନ୍ତ ଥାନାକୁ ଆଣି ପଚରାଉଚରା କରିଥିଲା ।  ଉଭୟଙ୍କୁ ଭଦ୍ରକ କୋର୍ଟରେ ହାଜର କରି ଦିଲ୍ଲୀ ପୁଲିସ ରିମାଣ୍ଡରେ ନେଇଯାଇଛି ।  

Advertisment

ଉଭୟ ମିଳିତ ଭାବେ ସେମାନଙ୍କ ଦୋକାନକୁ ନୂଆ ସିମ୍‌କାର୍ଡ କିଣିବାକୁ ଆସୁଥିବା ଗ୍ରାହକଙ୍କ ଆଧାରକାର୍ଡକୁ ଉପଯୋଗ କରି ଏକକାଳୀନ ବହୁ ସିମ୍‌ ଆକ୍ଟିଭ୍‌ କରୁଥିଲେ ଏବଂ ସେଥିରୁ ଗୋଟିଏ ସିମ୍ କାର୍ଡ ମୂଳ ଗ୍ରାହକଙ୍କୁ ଦେଉଥିଲେ ।  ଗ୍ରାହକଙ୍କ ଅଜାଣତରେ ଏଭଳି ବେଆଇନ କାର୍ଯ୍ୟ କରାଯାଉଥିଲା । ଯାଜପୁର କୋରେଇ ଥାନା ଅଞ୍ଚଳର ବହୁ ବେକାର ଯୁବକଙ୍କୁ ଏ ଦୁହେଁ ସେମାନଙ୍କ ଦୋକାନରୁ ସିମ୍‌ କିଣିବାକୁ ପ୍ରଲୋଭିତ କରୁଥିଲେ ।  ପ୍ରତି ସିମ୍‌ ପାଇଁ ୨ରୁ ୩ ହଜାର ପର୍ଯ୍ୟନ୍ତ ଟଙ୍କା ଦେଉଥିଲେ । ଆକ୍ଟିଭ୍‌ ହୋଇଥିବା ଅନ୍ୟ ସିମ୍‌ଗୁଡ଼ିକୁ ଉଚ୍ଚ ଦାମରେ ବେନାମୀ ଲୋକଙ୍କୁ ବିକ୍ରୟ କରାଯାଉଥିଲା ଏବଂ ଏହି ସିମ୍‌କାର୍ଡ ଗୁଡ଼ିକୁ ଅପରାଧିକ କାର୍ଯ୍ୟରେ ବ୍ୟବହାର କରାଯାଉଥିଲା ।

ଦିଲ୍ଲୀ ସାହିନ୍‌ବାଗ ଥାନାରେ ମାମଲା ରୁଜୁ ହୋଇଥିବା ବେଳେ ଅଭିଯୁକ୍ତ ସନ୍ତୋଷଠାରୁ ବିକ୍ରି ହୋଇଥିବା ବେଆଇନ ସିମ୍‌କାର୍ଡ ଜବତ ହୋଇଛି। ଉଭୟଙ୍କ ଆକାଉଣ୍ଟରେ ବିପୁଳ ଟଙ୍କାର କାରବାର ହୋଇଥିବା ପୁଲିସ ତଦନ୍ତରୁ ଜଣାପଡ଼ିଛି । ନଭେମ୍ବର ୧୦ ତାରିଖରେ ଦିଲ୍ଲୀ ଲାଲକିଲ୍ଲା ନିକଟରେ ହୋଇଥିବା କାର ବିସ୍ଫୋରଣରେ ୧୪ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨୦ ଜଣ ଗୁରୁତର ଆହତ ହୋଇଥିଲେ