କିଛି ଦିନ ତଳେ ବାଙ୍ଗାଲୋରର ଅତୁଲ୍ ସୁଭାସଙ୍କ ଆତ୍ମହତ୍ୟା ଘଟଣା ଚର୍ଚ୍ଚାର ପରିସରକୁ ଆସିଥିଲା । କେମିତି ପତ୍ନୀଙ୍କ ଅତ୍ୟାଚାରରେ ଅତିଷ୍ଠ ହୋଇ ଆତ୍ମହତ୍ୟା ଭଳି ଚରମ ପଦକ୍ଷେପ ନେଇଥିଲେ ଅତୁଲ୍ ଏବଂ ମୃତ୍ୟୁ ପୂର୍ବରୁ ଭିଡ଼ିଓ କରି ଜଣାଇଥିଲେ ଦୁଃଖ ତାହା ପ୍ରାୟ ସମସ୍ତେ ଜାଣିଥିବେ । ବର୍ତ୍ତମାନ ସମାନ ଭାବେ ରାଜଧାନୀ ଦିଲ୍ଲୀର ମଡେଲ୍ ଟାଉନ୍ ଅଞ୍ଚଳରୁ ଆସିଛି ଏକ ଖବର । ମୃତ୍ୟୁ ପୂର୍ବରୁ ୫୪ ମିନିଟର ଭିଡ଼ିଓ କରି ସୁଇସାଇଡ୍ କରିଛନ୍ତି ପୀଡିତ ପୁରୁଷ । ପୁନିତ୍ ଖୁରାନା ନାମକ ଉକ୍ତ ବ୍ୟକ୍ତି ପତ୍ନୀ ମନିକା ପାହୱାଙ୍କୁ ନେଇ ସବୁବେଳେ ଟେନସନରେ ରହୁଥିବା କଥା ପରିବାର ପୁଲିସକୁ କହିଛନ୍ତି । ପୂର୍ବରୁ ଛାଡ଼ପତ୍ର ଫାଇଲ୍ ହୋଇଥିଲେ ହେଁ ପତ୍ନୀଙ୍କ ଅତ୍ୟାଚାରକୁ ସହି ପାରୁନଥିଲେ ପୁନିତ୍ । ଏହାଛଡ଼ା ୨ ପରିବାର ଭିତରେ ସମ୍ପତ୍ତିକୁ ନେଇ ବିବାଦ ଚାଲିଥିଲା । ପୁନିତ୍ ଙ୍କ କିଛି ମେଡିକାଲ୍ ରିପୋର୍ଟ ମଧ୍ୟ ପୁଲିସ୍ ହାତରେ ଲାଗିଛି ।
ପୁଲିସ୍ କହିବାନୁସାରେ , ପୁନିଲ୍ ଏବଂ ତାଙ୍କ ପତ୍ନୀଙ୍କ ମୋବାଇଲକୁ ସିଜ୍ କରାଯାଇଛି । ଯାହାକୁ ଫରେନ୍ସିକ୍ ଯାଞ୍ଚ୍ ପାଇଁ ପଠାଯାଇଛି । ୮ ବର୍ଷ ତଳେ ହୋଇଥିବା ବିବାହ ୨ ବର୍ଷ ତଳେ ଛାଡ଼ପତ୍ରର ରୂପ ନେଇଥିଲା କିନ୍ତୁ ଏଯାଏଁ କୋର୍ଟରେ ଛାଡପତ୍ର କେସ୍ ଚାଲିଛି । ଗତ କିଛି ଦିନ ହେଲା ମନିକା ନିଜ ସର୍ତ୍ତକୁ ବଦଳାଉଥିଲେ ଯାହାର ପରିଣାମ ପୁନିତ୍ ମାନସିକ ଚାପରେ ରହୁଥିଲେ । ଦୁହିଁଙ୍କ ଜଏଣ୍ଟ୍ ବ୍ୟବସାୟ ଥିଲା ଯେଉଁଥିରେ ଏକ ବେକରୀ ଏବଂ ରେଷ୍ଟୁରାଣ୍ଟ୍ ସାମିଲ୍ ଥିଲା । ଏହି ବ୍ୟବସାୟର ଭାଗବଣ୍ଟାକୁ ନେଇ ଦୁହିଁଙ୍କ ମଧ୍ୟରେ ବିବାଦ ଆରମ୍ଭ ହୋଇଥିଲା । ପରିବାର କହିବାନୁସାରେ , ମନିକା ପୁନିତଙ୍କୁ ମାନସିକ ନିର୍ଯାତନା ଦେଉଥିଲେ । ସୁଇସାଇଡ୍ ପୂର୍ବରୁ ରାତି ୩ ଟା ପର୍ଯ୍ୟନ୍ତ ପୁନିତ୍ ଏବଂ ମନିକାଙ୍କ ଭିତରେ ଫୋନରେ କଥାବାର୍ତ୍ତା ହୋଇଥିଲା । ରାଗରେ ଆସି ମନିକା କହିଥିଲେ , ‘ତୁମେ କେବଳ ଆତ୍ମହତ୍ୟାର ଧମକ ଦେଇପାରିବ ଆତ୍ମହତ୍ୟା କରିପାରିବ ନାହିଁ ।’ ଏହାର ପରଦିନ ଦ୍ବିପ୍ରହର ୧.୩୦ ସମୟରେ ପୁନିତଙ୍କ ଝୁଲନ୍ତା ମୃତଦେହ ତାଙ୍କ ରୁମରୁ ମିଳିଲା ।