କନକ ବ୍ୟୁରୋ: ରାଜଧାନୀ ଦିଲ୍ଲୀରେ ଚାଞ୍ଚଲ୍ୟ, ନାବାଳିକାଙ୍କୁ ଦୁଷ୍କର୍ମ ପରେ ହତ୍ୟା । ସୁଟ୍‌କେସ ଭିତରୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ମିଳିଲା ମୃତଦେହ । ଅଭିଯୁକ୍ତକୁ ଧରିବାକୁ ୬ଟି ଟିମ୍ ଗଠନ କରି ଛାନଭିନ୍ ଆରମ୍ଭ କରିଛି ଦିଲ୍ଲୀ ପୁଲିସ । ଉତ୍ତର ପୂର୍ବ ଦିଲ୍ଲୀ ଦୟାଲପୁର ଅଞ୍ଚଳର ଡି' ବ୍ଲକ୍‌ରୁ ଏଭଳି ଅଭାବନୀୟ ଓ ଲଜ୍ଜାଜନକ ଘଟଣା ସାମ୍ନାକୁ ଆସିଛି । ଏଠାରେ ଥିବା ଏକ ଫ୍ଲାଟରେ ଏକ ସୁଟକେସରୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ୯ ବର୍ଷୀୟା ନାବାଳିକାର ମୃତଦେହ ଉଦ୍ଧାର କରାଯାଇଛି । କୁହାଯାଉଛି ଯେ ଝିଅଟି ପ୍ରାୟ ଦୁଇ ଘଣ୍ଟା ଧରି ସୁଟକେସ୍‌ରେ ରହିଥିଲା । ପରିବାର ଲୋକଙ୍କୁ ସୂଚନା ମିଳିବା ପରେ ତୁରନ୍ତ ସେମାନେ ନାବାଳିକାକୁ ଉଦ୍ଧାର କରି ହସ୍ପିଟାଲ ନେଇଥିଲେ । ତେବେ ସେଠାର ଡାକ୍ତର ନାବାଳିକାଙ୍କୁ ମୃତ ଘୋଷଣା କରିଥିଲେ । ସନ୍ଦେହ କରାଯାଉଛି ଯେ ଦୁଷ୍କର୍ମ ପରେ ଝିଅଟିକୁ ଅଭିଯୁକ୍ତ ହତ୍ୟା କରି ସୁଟକେସ୍‌ରେ ପୂରାଇ ଫ୍ଲାଟରେ ଛାଡ଼ି ଫେରାର ହୋଇଯାଇଛି । ଅଭିଯୁକ୍ତକୁ ଧରିବାକୁ ଆକ୍ସନ ମୋଡ୍‌କୁ ଆସିଛି ଦିଲ୍ଲୀ ପୁଲିସ । ୬ଟି ଟିମ୍ ଗଠନ କରାଯାଇ ବିଭିନ୍ନ ସ୍ଥାନରେ ଛାନଭିନ୍ ଜାରି ରହିଛି ।