କନକ ବ୍ୟୁରୋ : ଦିଲ୍ଲୀ ଅବକାରୀ ନୀତି ମାମଲାରେ ଦୀର୍ଘ ୫ ମାସ ଧରି ଜେଲରେ ଥିବା ବିଆରଏସ୍ ସାଂସଦ କେ କବିତାଙ୍କୁ ସୁପ୍ରିମକୋର୍ଟ ଜାମିନ ପ୍ରଦାନ କରିଛନ୍ତି । କେ କବିତାଙ୍କୁ ଜାମିନ ମିଳିବା ପରେ ଇଡି ଓ ସିିବିଆଇକୁ ବଡ଼ ଝଟକା ଲାଗିଛି । ସୁପ୍ରିମକୋର୍ଟ ଉଭୟ ଇଡି ଓ ସିବିଆଇ ତରଫରୁ ଦାଖଲ କରାଯାଇଥିବା ମାମଲାରେ କବିତାଙ୍କୁ ଜାମିନ ପ୍ରଦାନ କରିଛନ୍ତି । ଚଳିତ ବର୍ଷ ମାର୍ଚ୍ଚ ୯ ତାରିଖରେ କେ କବିତା ଗିରଫ ହୋଇଥିଲେ । ଆଜି ତାଙ୍କୁ ସୁପ୍ରିମକୋର୍ଟର ବିଚାରପତି ଜଷ୍ଟିସ ବିଆଇ ଗୋଗୋଇ ଓ ବିଚାରପତି ଜଷ୍ଟିସ କେ,ବି ବିଶ୍ୱନାଥନ୍ ଜାମିନ ପ୍ରଦାନ କରିଛନ୍ତି । ଜାମିନ ପ୍ରଦାନ କରିବା ବେଳେ କୋର୍ଟ କହିଛନ୍ତି କି ଏହି ମାମଲାରେ ୪୯୩ ଜଣ ସାକ୍ଷୀ ଓ ୫ ହଜାର ପୃଷ୍ଟାର ଦସ୍ତାବିଜ୍ ରହିଛି । ତେଣୁ ମାମଲାର ବିଚାର ଆରମ୍ଭ କରିବାକୁ ବିଳମ୍ବ ହୋଇପାରେ । ଏହାସହ ଆଇନରେ ମହିଳାଙ୍କ ଜାମିନ ପାଇଁ ବିଶେଷ ବିଚାରର ଆବଶ୍ୟକତା ରହିଛି । ତେଣୁ ହାଇକୋର୍ଟ ଜାମିନ ପ୍ରଦାନ ନ କରିବାକୁ ଯେଉଁ ନିଷ୍ପତ୍ତି ନେଇଥିଲେ, ସୁପ୍ରିମକୋର୍ଟ ତାକୁ ଖାରଜ କରିଦେଇଛନ୍ତି । 

Advertisment

ଜାମିନ ପ୍ରଦାନ ବେଳେ କୋର୍ଟ କେ.କବିତାଙ୍କୁ ୧୦-୧୦ ଲକ୍ଷ ଟଙ୍କା ଲେଖାଏଁ ବେଲ ବଣ୍ଡ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏହାସହ କୋର୍ଟରେ ତାଙ୍କର ପାସପୋର୍ଟ ସମର୍ପଣ କରିବାକୁ କୋର୍ଟ କହିଛନ୍ତି । ଆଗାମୀ ଦିନରେ ମାମଲା ବିଚାରରେ ସହାୟତା କରିବାକୁ କୋର୍ଟ କେ କବିତାଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।