କନକ ବ୍ୟୁରୋ : ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ପ୍ରଚାର ସରିଛି। କାଲି ପଡିବ ଭୋଟ। ଆସନ୍ତା ଫେବ୍ରୁଆରି ୮ତାରିଖରେ ଫଳାଫଳ ପ୍ରକାଶ ପାଇବ। ଦିଲ୍ଲୀର ୧.୫୬ କୋଟି ଭୋଟର ସେମାନଙ୍କ ମତାଧିକାର ସାବ୍ୟସ୍ତ କରିବେ। ଦିଲ୍ଲୀରେ ମତଦାନ ପାଇଁ ୧୩ହଜାର ୭୬୬ ପୋଲିଂ ବୁଥ୍ ପ୍ରସ୍ତୁତ କରାଯାଇଛି। ସେପଟେ ଆପର ଅଭିଯୋଗ ଉପରେ ଜବାବ ରଖି ନିର୍ବାଚନ କମିଶନ କହିଛନ୍ତି ଇସିଆଇକୁ ବଦନାମ କରିବାକୁ ଷଡଯନ୍ତ୍ର କରାଯାଇଛି।
ସେପଟେ ରାତି ପାହିଲେ ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ପଡ଼ିବ ଭୋଟ୍। ସ୍ବଛ ଓ ଅବାଧ ନିର୍ବାଚନ ଅନୁଷ୍ଠିତ ନେଇ ଭାରତୀୟ ନିର୍ବାଚନ କମିଶନ ପକ୍ଷରୁ ହୋଇଛି ସ୍ବତନ୍ତ୍ର ପ୍ରସ୍ତୁତି। କିପରି ବହୁ ସଂଖ୍ୟାରେ ଭୋଟର ଗଣତନ୍ତ୍ରର ମହାପର୍ବରେ ସାମିଲ ହେବେ। ଉତ୍ସାହର ସହ ମତାଧିକାର ସାବ୍ୟସ୍ତ କରିବେ ତାହା ଉପରେ ଗୁରୁତ୍ବ ଦେଇଛନ୍ତି ନିର୍ବାଚନ କମିଶନ। ଏଥିପାଇଁ ଦିଲ୍ଲୀର ସମସ୍ତ ସରକାରୀ ଓ ବେସରକାରୀ କାର୍ୟ୍ୟାଳୟ ଗୁଡ଼ିକୁ ଛୁଟି ଘୋଷଣା କରାଯାଇଛି। ତେବେ ଏହି ସମୟରେ ଦିଲ୍ଲୀ ମେଟ୍ରୋ ଓ ବସ ସେବା ଭଳି ଅତ୍ୟାବଶକରୟ ସେବାଗୁଡ଼ିକ ଜାରି ରହିବ। ଜାଣନ୍ତୁ ଏହି ଦିନ ରାଜଧାନୀ ଦିଲ୍ଲୀରେ କେଉଁ ଅନୁଷ୍ଠାନ ଓ ବନ୍ଦ ଓ କେଉଁ ଅନୁଷ୍ଠାନ ଖୋଲା ରହିବ।
ଦିଲ୍ଲୀ ନିର୍ବାଚନ; କଣ ଖୋଲା, କଣ ବନ୍ଦ?
-ଫେବୃଆରୀ ୫କୁ ସାର୍ବଜନୀନ ଛୁଟି ଘୋଷଣା କରିଛନ୍ତି ଦିଲ୍ଲୀ ସରକାର
-ବନ୍ଦ ରହିବ ସମସ୍ତ ସରକାରୀ ଓ ବେସରକାରୀ କାର୍ୟ୍ୟାଳୟ
-ଦିଲ୍ଲୀ ମେଟ୍ରୋ ଓ ବସ ସେବା ଜାରି ରହିବ
-ରାତି ୩ଟାରୁ ଆରମ୍ଭ ହେବ ମେଟ୍ରୋ ରେଳ ସେବା
-ଗୁରୁଗ୍ରାମ ଓ ନୋଏଡ଼ାରେ କାମ କରୁଥିବା ଦିଲ୍ଲୀ ଭୋଟରଙ୍କୁ ମିଳିବ ଛୁଟି
-ଜନପ୍ରତିନିଧି ଆଇନ ୧୯୫୧ର ଧାରା ୧୩୫ ଈ ଅନୁଯାୟୀ କରିହେବ ଛୁଟି ଆବେଦନ
-ସମ୍ପୃକ୍ତ କମ୍ପାନୀ ଛୁଟି ଦେବାକୁ ମନାକଲେ ନିଆଯିବ ଆଇନଗତ କାର୍ୟ୍ୟାନୁଷ୍ଠାନ
-ଭୋଟ ଗ୍ରହଣ ଦିନର ସଂଧ୍ୟା ୬ଟା ପର୍ୟ୍ୟନ୍ତ ଦିଲ୍ଲୀର ସମସ୍ତ ମଦ ଦୋକାନ ବନ୍ଦ ରହିବ
ଅନ୍ୟପଟେ ଦିଲ୍ଲୀ ବିଧାନସଭା ନିର୍ବାଚନ ପୂର୍ବରୁ ଆପ-ନିର୍ବାଚନ କମିଶନ ବିବାଦ ପୁଣି ନୂଆ ମୋଡ ନେଇଛି। ନିର୍ବାଚନ କମିଶନ ଉପରେ ଅରବିନ୍ଦ କେଜ୍ରିୱାଲ ଆଣିଥିବା ପାତରଅନ୍ତର ଅଭିଯୋଗ ଉପରେ କଡା ପ୍ରତିକ୍ରିୟା ରଖିଛନ୍ତି ଇସିଆଇ। ଇସିଆଇ କହିଛନ୍ତି, ନିର୍ବାଚନ କମିଶନ ଉପରେ ଚାପ କୌଶଳ ପକାଯାଉଛି। ଋଉଓ କୁ ଅପମାନିତ କରିବା ପାଇଁ ବାରମ୍ବାର ସୁଚିନ୍ତିତ ଷଡଯନ୍ତ୍ର କରାଯାଇଛି। କିନ୍ତୁ ସାମ୍ବିଧାନ ନିୟମ ପାଳନ କରିବାରେ ଇସି ବଦ୍ଧପରିକର। ଏଭଳି କପଟ ଦ୍ବାରା ନିର୍ବାଚନ କମିଶନ ପ୍ରଭାବିତ ହେବେ ନାହିଁ। ନିରପେକ୍ଷ ଏବଂ ମୁକ୍ତ ନିର୍ବାଚନ ପାଇଁ ଦିଲ୍ଲୀରେ ଦେଢ ଲକ୍ଷ ପୋଲ ଅଧିକାରୀ କାର୍ୟ୍ୟରେ ଲାଗିଛନ୍ତି। ବିଜେପି ପ୍ରାର୍ଥୀ ରମେଶ ବିଦୁରୀଙ୍କ ବିରୋଧରେ ନିୟମ ଉଲଙ୍ଘନ ନେଇ ଅଭିଯୋଗ ଉପରେ ନିର୍ବାଚନ କମିଶନ କାର୍ୟ୍ୟନୁଷ୍ଠାନ ନନେବାରୁ ଇସିଆଇ ରାଜୀବ କୁମାରଙ୍କ ଉପରେ ପ୍ରଶ୍ନ ଉଠାଇଥିଲା ଆପ।
ଏଥର ବିଧାନସଭା ନିର୍ବାଚନ ଜିତି ହାଟ୍ରିକ ବିଜୟ ଆଶାରେ ଅଛି ଆପ୍। ଗତ ଦୁଇ ଦିଲ୍ଲୀ ଲୋକସଭା ନିର୍ବାଚନ ୭ରୁ ୭ ଆସନ ଜିତୁଥିବା ବିଜେପି ଏଥର ବିଧାନସଭା ନିର୍ବାଚନରେ ଐତିହାସିକ ସଫଳତା ପାଇବାକୁ ଚେଷ୍ଟା ଚଳାଇଛି। ସେପଟେ ଗତ ୨୦୧୫, ୨୦୨୦ରେ ଗୋଟିଏ ଆସନରେ ଜିତିନଥିବା କଂଗ୍ରେସ ଏଥର ବଡ଼ ଚ୍ୟାଲେଞ୍ଜ ହାଟ୍ରିକ ଶୁନକୁ ପ୍ରତିହତ କରିବା।
୨୦୧୩ରେ ବିଜେପି ୩୨, ଆପ ୨୮, କଂଗ୍ରେସ ୮ ଟି ଜିତିଥିଲା
୨୦୧୫ରେ ଆପ୍ ୬୭, ବିଜେପି ୩ ଟି ବିଜୟୀ ହୋଇଥିଲା
୨୦୨୦ରେ ଆପ୍ ୬୨, ବିଜେପି ୮ ଆସନ ଜିତିଥିଲା
କିନ୍ତୁ ୨୦୧୯, ୨୦୨୪ ଲୋକସଭାରେ ବିଜେପି ୭ରୁ ୭ ଆସନ ଜିତିଛି
ବିଧାନସଭା ନିର୍ବାଚନରେ ବଜେପିର ଭୋଟ ପ୍ରତିଶତ ବଢିଥିଲେ ମଧ୍ୟ ଆସନ ସଂଖ୍ୟା ବଢିନି
ଏଥର ଲୋକସଭା ଭୋଟ ବିଧାନସଭାରେ ପରିବର୍ତ୍ତନ ଆଶା ରଖିଛନ୍ତି ବିଜେପିର ନେତୃବୃନ୍ଦ।
ଏଥର ନିର୍ବାଚନରେ ଦିଲ୍ଲୀ ମଦ ଦୁର୍ନୀତି ମାମଲା ଆପ ପାଇଁ ମହଙ୍ଗା ହୋଇପାରେ । ଏହି ଦୁର୍ନୀତିରେ ଆପ ମୁଖ୍ୟ ଅରବିନ୍ଦ କେଜ୍ରିୱାଲ, ମନୀଷ ସିସୋଦିଆ, ସଞ୍ଜୟ ସିଂ ଗିରଫ ହୋଇଥିଲେ। ଏହାଛଡା ନିର୍ବାଚନ ପୂର୍ବରୁ ୮ ଜଣ ଆପ୍ ବିଧାୟକ ଦଳ ଛାଡି ବିଜେପିରେ ସାମିଲ ହୋଇଛନ୍ତି। ସେପଟେ କଂଗ୍ରେସ ମଧ୍ୟ ଏଥର ଆପ ପାଇଁ କଣ୍ଟା ସାଜିଛି। କିନ୍ତୁ ୮ରୁ ମ୍ୟାଜିକ ନମ୍ବର ୩୬ ଛୁଇଁବା ବିଜେପି ପାଇଁ ଏତେ ସହଜ ହୋଇନପାରେ।