କନକ ବ୍ୟୁରୋ : ଛାଡ଼ପତ୍ର ପ୍ରକ୍ରିୟାକୁ ନେଇ ଦିଲ୍ଲୀ ହାଇକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି । କୋର୍ଟ ସ୍ପଷ୍ଟ କରିଛନ୍ତି ଯେ ପାରସ୍ପରିକ ସହମତିରେ ଛାଡ଼ପତ୍ର ନେଉଥିବା ପତି-ପତ୍ନୀଙ୍କ ପାଇଁ ଏକ ବର୍ଷ ପର୍ଯ୍ୟନ୍ତ ଅଲଗା ରହିବାର ସର୍ତ୍ତ ଆଉ ବାଧ୍ୟତାମୂଳକ ନୁହେଁ । ହିନ୍ଦୁ ବିବାହ ଅଧିନିୟମ-୧୯୫୫ ଅଧୀନରେ ଥିବା ଏହି ନିୟମକୁ ଉପଯୁକ୍ତ ତଥା ଜରୁରୀ ମାମଲାରେ କୋହଳ କରାଯାଇପାରିବ ବୋଲି କୋର୍ଟ କହିଛନ୍ତି ।

Advertisment

ଜଷ୍ଟିସ ନବୀନ ଚାୱଲା, ଜଷ୍ଟିସ ଅନୁପ ଜୟରାମ ଭମ୍ବାନୀ ଏବଂ ଜଷ୍ଟିସ ରେଣୁ ଭଟ୍ଟନାଗରଙ୍କ ଏକ ସ୍ୱତନ୍ତ୍ର ଖଣ୍ଡପୀଠ କହିଛନ୍ତି ଯେ, "ଯେଉଁ ସମ୍ପର୍କରେ କୌଣସି ଭବିଷ୍ୟତ ନାହିଁ, ସେଥିରେ ପତି-ପତ୍ନୀଙ୍କୁ ଅଯଥାରେ ଫସାଇ ରଖିବାର କୌଣସି ଅର୍ଥ ନାହିଁ ।" ଯଦି ଗୋଟିଏ ପକ୍ଷ ସମ୍ପର୍କ ରଖିବାକୁ ସମ୍ପୂର୍ଣ୍ଣ ଅନିଚ୍ଛୁକ, ସେମାନଙ୍କୁ ବୈବାହିକ ବନ୍ଧନରେ ବାନ୍ଧି ରଖି ବିପଦ ଆଡକୁ ଠେଲି ଦେବା ଉଚିତ ନୁହେଁ ।

କୋର୍ଟଙ୍କ କହିବା ଅନୁଯାୟୀ, ହିନ୍ଦୁ ବିବାହ ଆଇନର ଧାରା ୧୩-ବି (୧) ଅନୁଯାୟୀ ଏକ ବର୍ଷ ପାଇଁ ଅଲଗା ରହିବା କେବଳ ଏକ ଆଇନଗତ ପରାମର୍ଶ, କିନ୍ତୁ ଏହା ଅପରିହାର୍ଯ୍ୟ ନୁହେଁ । ଏଥିସହ କୋର୍ଟ ସ୍ପଷ୍ଟ କରିଛନ୍ତି ଯେ ଏକ ବର୍ଷର ଅଲଗା ରହିବା ଅବଧିକୁ ଛାଡ କରାଗଲେ, ଦ୍ୱିତୀୟ ଆବେଦନ ଦାଖଲ ପାଇଁ ଥିବା ଛଅ ମାସର 'କୁଲିଂ-ଅଫ୍' (Cooling-off) ଅବଧି ଉପରେ କୌଣସି ରୋକ୍ ଲାଗିବ ନାହିଁ । ଉଭୟ ସମୟସୀମାର ଛାଡ ଉପରେ ଅଲଗା ଅଲଗା ଭାବେ ବିଚାର କରାଯିବ ।

ତେବେ, କୋର୍ଟ ଏହା ମଧ୍ୟ ସତର୍କ କରାଇଛନ୍ତି ଯେ କେବଳ ମାଗିବା ମାତ୍ରେ ଏହି ନିୟମ ଲାଗୁ ହେବ ନାହିଁ । ଯଦି ଆବେଦନକାରୀ ପ୍ରକୃତରେ କଷ୍ଟ ଭୋଗୁଛନ୍ତି କିମ୍ବା ପ୍ରତିପକ୍ଷଙ୍କ ଦ୍ୱାରା ଅସାଧାରଣ ଦୁର୍ବ୍ୟବହାର ଶିକାର ହେଉଛନ୍ତି , କେବଳ ସେହି ପରିସ୍ଥିତିରେ ହିଁ ଫ୍ୟାମିଲି କୋର୍ଟ କିମ୍ବା ହାଇକୋର୍ଟ ଏହି ଅନୁମତି ଦେବେ । ଯଦି ମିଥ୍ୟା ତଥ୍ୟ ଆଧାରରେ ଏହି ନିୟମକୁ ହାତେଇଥିବା ଜଣାପଡେ, ତେବେ କୋର୍ଟ ତୁରନ୍ତ ଛାଡ଼ପତ୍ର ଆବେଦନକୁ ଖାରଜ କରିପାରନ୍ତି ।