କନକ ବ୍ୟୁରୋ : ଦିଲ୍ଲୀ ହାଟ ଭଳି ପୁରୀର ଉଠା ଦୋକାନୀଙ୍କୁ ମିଳିବ ବଜାର । ଏଥିପାଇଁ ବିଭାଗୀୟ ସ୍ତରରେ ଆଲୋଚନା ସରିଛି । ଶ୍ରୀମନ୍ଦିର ପ୍ରଶାସନ ମଧ୍ୟ ଏଥିନିମନ୍ତେ ସହମତ ହୋଇଛନ୍ତି । ଜିଲ୍ଲା ପ୍ରଶାସନ ଓ ପୂର୍ତ୍ତ ବିଭାଗ ଏହାକୁ କାର୍ଯ୍ୟକାରୀ କରିବେ । ପୁରୀର ଏଭଳି ବିକାଶ ପାଇଁ ହୋଟେଲ ସଂଘ, ବୁଦ୍ଧିଜୀବୀ ଓ ଅନ୍ୟ ଅଂଶୀଦାରଙ୍କ ସହ ଆଲୋଚନା କରି ଭିଭିଭୂମି ନିର୍ମାଣ କରାଯିବ ବୋଲି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି।
ଗତ ସରକାର ସମୟରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପାଇଁ ଶ୍ରୀମନ୍ଦିର ଚାରିପାଖ ଓ ବଡ଼ଦାଣ୍ଡରୁ ଉଠା ଦୋକାନୀଙ୍କୁ ଉଠାଇ ଦିଆଯାଇ ଥିଲା । ସେମାନେ ଦୀର୍ଘଦିନ ହେଲା ଅନଶନରେ ବସିଛନ୍ତି । ତେବେ ନୂଆ ସରକାର ଆସିବା ପରେ ସେମାନଙ୍କ ମଧ୍ୟରେ ଆଶା ସଞ୍ଚାର ହୋଇଛି । ଦିଲ୍ଲୀ ପରି ହାଟ ହେଲେ ଦୂର ହେବ କି ଉଠାଦେକାନୀଙ୍କ ସମସ୍ୟା? ତେବେ ଜଗନ୍ନାଥ ବଲ୍ଲଭ ଭିତରେ ଦିଲ୍ଲୀ ଭଳି ହାଟ କରିବାକୁ ବୁଦ୍ଧିଜୀବୀ ମତ ଦେଇଛନ୍ତି । ଦିନକୁ ଦିନ ବଢୁଛି ପୁରୀ । ପର୍ଯ୍ୟଟକଙ୍କ ସଂଖ୍ୟା ବଢ଼ୁଛି । ଏସବୁକୁ ଦୃଷ୍ଟିରେ ରଖି ବୃହତ୍ ବ୍ୟବସ୍ଥା କରିବାକୁ ଯାଉଛନ୍ତି ରାଜ୍ୟ ସରକାର । ପ୍ରଶାସନ କେବେ ଦିଲ୍ଲୀ ଭଳି ପୁରୀରେ ହାଟ କାମ ଆରମ୍ଭ କରୁଛି, ତାକୁ ଅପେକ୍ଷା ।