କନକ ବ୍ୟୁରୋ: ଆଜି ଦିଲ୍ଲୀ ବିଧାନସଭାରେ ଉପସ୍ଥାପନ ହୋଇଛି ସିଏଜି ରିପୋର୍ଟ । ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା ରିପୋର୍ଟ ଉପସ୍ଥାପନ କରିବା ସହ ତତକାଳୀନ ଆପ ସରକାରଙ୍କ ଉପରେ ଗମ୍ଭୀର ଅଭିଯୋଗ ଆଣିଛନ୍ତି ।
ଦିଲ୍ଲୀ ଅବକାରୀ ଦୁର୍ନିତୀ ମାମଲା,ଚେର ଲମ୍ବିଛି ରାଜଧାନୀରୁ ତେଲେଙ୍ଗାନା । ମାମଲାରେ ଫସି ଆମ ଆଦମୀ ପାର୍ଟିର ଶୀର୍ଷ ନେତୃବୃନ୍ଦଙ୍କଠୁ ନେଇ ବିଆରଏସ ନେତ୍ରୀ କେ କବିତା ମଧ୍ୟ ଜେଲ ଯାଇଛନ୍ତି । ଏହା ଭିତରେ ଦିଲ୍ଲୀରେ ସରକାର ବଦଳିଛି ଓ ବିଧାନସଭରେ ଉପସ୍ଥାପନ ହୋଇଛି ସିଏଜି ରିପୋର୍ଟ । ଦିଲ୍ଲୀର ବିଜେପି ସରକାର ତତକାଳୀନ ଆପ ସରକାରଙ୍କ ସମୟରେ ଲାଗୁ ହୋଇଥିବା ନୂଆ ଦିଲ୍ଲୀ ଅବକାରୀ ନୀତିକୁ ନେଇ ଏମିତି କିଛି ତଥ୍ୟ ଉପସ୍ଥାପନ କରିଛନ୍ତି ଯାହା କେଜ୍ରିୱାଲ ଓ ତାଙ୍କ ଟିମ ପାଇଁ ଚିନ୍ତାର କାରଣ ହୋଇପାରେ ।
କ’ଣ ରହିଛି ସିଏଜି ରିପୋର୍ଟରେ?
-ନୂଆ ଅବକାରୀ ନୀତି ପାଇଁ ଦିଲ୍ଲୀ ସରକାର ୨ହଜାର କୋଟି କ୍ଷତି ସହିଛନ୍ତି
-ନୂଆ ନୀତିରେ ଜଣଙ୍କୁ ଗୋଟିଏ ଲାଇସେନ୍ସ ମିଳିବା ନିୟମ ଥିଲା
-କିନ୍ତୁ ଜଣେ ଲୋକକୁ ଏକାଧିକ ଲାଇସେନ୍ସ ମିଳିଥିଲା
-ନିୟମକୁ ଉଲ୍ଲଂଘନ କରି ଘରୋଇ ରିଟେଲ କମ୍ପାନୀକୁ ଲାଇସେନ୍ସ ଦିଆଯାଇଥିଲା
-ମଦ ବିକ୍ରି ପାଇଁ କମିଶନକୁ ୫ରୁ ବଢ଼ାଇ ୧୨% ବୃଦ୍ଧି କରଯାଇଥିଲା
-ଲାଇସେନ୍ସ ଦେବା ପୂର୍ବରୁ କୌଣସି ଅପରାଧିକ ମାମଲା ଓ ଆର୍ଥିକ ସ୍ବଚ୍ଛତା ତଦନ୍ତ ହୋଇନଥିଲା
-ଲାଇସେନ୍ସ ଦେବା ସମୟରେ ରାଜନୈତିକ ହସ୍ତକ୍ଷେପ ରହିଥିଲା
-ଆପ ନେତା ମାନେ ନିଜ ସର୍ମ୍ପକୀୟ ଓଜଣାଶୁଣା ଲୋକଙ୍କୁ ଅତି ସହଜରେ ଲାଇସେନ୍ସ ଦେଇଥିଲେ
-ପୂର୍ବ ଆପ ସରକାର ବାଚସ୍ପତିଙ୍କୁ ରିପୋର୍ଟ ଦେଇଥିବା ମିଛ କହିଥିଲା
ପ୍ରଥମ ରିପୋର୍ଟରେ କେବଳ ଦିଲ୍ଲୀରେ ଲାଗୁ ହୋଇଥିବା ନୂଆ ଅବକାରୀ ନିୟମ ଲାଗୁରେ ହୋଇଥିବା ନିୟମର ଉଲ୍ଲଂଘନକୁ ଦର୍ଶାଯାଇଛି । ତତକାଳୀନ ଆପ ସରକାର କି କି ନିୟମର ଉଲ୍ଲଂଘନ କରିଛନ୍ତି ସେହି ବାବଦରେ ଗୃହରେ ଉପସ୍ଥାପନ କରାଯାଇଛି ରିପୋର୍ଟ । ସେପଟେ ବିଜେପିର ଅଭିଯୋଗ ରହିଛି ଆପ ଜାଣିଶୁଣି ସିଏଜି ରିପୋର୍ଟକୁ ରୋକିଥିଲା ।
ସୂଚନା ଅନୁସାରେ ଦିଲ୍ଲୀ ସରକାର ଆଗକୁ ବିଭିନ୍ନ ବିଭାଗରେ ହୋଇଥିବା ଭଳିକି ଭଳି ଅନିୟମିତତାକୁ ନେଇ ଆଉ ୧୩ଟି ସିଏଜି ରିପୋର୍ଟ ଉପସ୍ଥାପନ କରିବେ । ଯେଉଁଥିରେ ଦିଲ୍ଲୀର ସ୍ବାସ୍ଥ୍ୟସେବା, ପରିବେଶ ସୁରକ୍ଷା,ପରିବହନ.ଶିଶମହଲ ପରି ଅନେକ ପ୍ରସଙ୍ଗ ରହିଛି । ୨୭ବର୍ଷ ପରେ କ୍ଷମତାକୁ ଫେରିଥିବା ବିଜେପି ଆଗକୁ ରିପୋର୍ଟ ଆଧାରରେ ପରମ ପ୍ରତିଦ୍ବନ୍ଦୀ ଆପଠୁ ପ୍ରତିଶୋଧକ ମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରେ ।