କନକ ବ୍ୟୁରୋ: ଦିଲ୍ଲୀରେ ପ୍ରବଳ ବର୍ଷା ପରେ ଲୋକମାନେ କେମିତି ହଇରାଣ ହେଉଛନ୍ତି ତାହା କାହାକୁ ଅଛପା ନାହିଁ । ରାସ୍ତାରେ ଲହଡ଼ି ଭାଙ୍ଗୁଛି ବର୍ଷା ପାଣି । ଆଉ ଲୋକ ବି ଜାମରେ ଘଣ୍ଟା ଘଣ୍ଟା ଧରି ଫସୁଛନ୍ତି । ଆଉ ଏହାରି ଭିତରେ ଖରାପ ରୋଡକୁ ନେଇ ବଡ଼ ବୟାନ ଦେଇଛନ୍ତି ମୁଖ୍ୟ ବିଚାରପତି ବିଆର୍ ଗଭାଇ ।
ଏନଏଚଏଆଇର ଏକ ମାମଲାର ଶୁଣାଣି ବେଳେ ମୁଖ୍ୟ ବିଚାରପତି କହିଛନ୍ତି, ଆପଣମାନେ (ଏନଏଚଏଆଇ) ଲୋକଙ୍କ ପାଖରୁ ଟୋଲ୍ ନେଉଛନ୍ତି ସତ, ହେଲେ ସେବା କିନ୍ତୁ ଦେଉନାହାଁନ୍ତି । ଦିଲ୍ଲୀରେ ଦୁଇ ଘଣ୍ଟା ବର୍ଷା ହେଲା, ପୂରା ସହର ଅସ୍ତବ୍ୟସ୍ତ ହୋଇପଡୁଛି । ଏହାସହ ଦିଲ୍ଲୀର ଅବସ୍ଥା ନେଇ ସୁପ୍ରିମକୋର୍ଟ ଚିନ୍ତା ପ୍ରକଟ କରିଛନ୍ତି ।
ସିଜେଆଇ ବିଆର ଗଭାଇ ଭାରତୀୟ ରାଷ୍ଟ୍ରୀୟ ରାଜମାର୍ଗ ପ୍ରାଧିକରଣ (ଏନଏଚଏଆଇ)ଙ୍କ ତରଫରୁ ଦାୟର କରାଯାଇଥିବା ଏକ ମାମଲାର ଶୁଣାଣି ସମୟରେ ଦିଲ୍ଲୀର ଖରାପ ରୋଡକୁ ନେଇ ଚିନ୍ତା ଜାହିର କରିଛନ୍ତି ।
ଏହାପୂର୍ବରୁ ମଧ୍ୟ ସୁପ୍ରିମକୋର୍ଟ ଖରାପ ରାସ୍ତା ନିର୍ମାଣ ଏବଂ ସେଥିରୁ ଟୋଲ୍ ଆଦାୟ ନେଇ ଏନଏଚଏଆଇକୁ ଅନେକ କିଛି ଶୁଣାଇଥିଲେ । କୋର୍ଟ ସଫା ସଫା କହିଥିଲେ ଯେ, ଯେତେବେଳେ ରୋଡ୍ ଖରାପ ରହୁଛି ଆଉ ନିର୍ମାଣ କାମ ମଧ୍ୟ ପୂରା ହେଉନି, ସେତେବେଳେ କାହିଁକି ଟୋଲ୍ ଆଦାୟ କରାଯାଉଛି । ଜାଣିରଖିବା ଉଚିତ ଯେ, କେରଳ ହାଇକୋର୍ଟଙ୍କ ତରଫରୁ ୪ ସପ୍ତାହ ତଳେ ଏକ ଫଇସଲା ଶୁଣାଯାଇଥିଲା । ଯେଉଁଥିରେ ସେ ଟୋଲ୍ ଆଦାୟକୁ ସ୍ଥଗିତ ରଖିବାକୁ କହିଥିଲେ । ତେବେ ଖରାପ ରୋଡ୍ ଥିବା କାରଣରୁ କେରଳ ହାଇକୋର୍ଟ ଏପରି କହିଥିଲେ ।