କନକ ବ୍ୟୁରୋ : ଚଳିତ ଦିଲ୍ଲୀ ବିଧାନସଭା ନିର୍ବାଚନରେ ଏକ ନୂଆ କଥା ଦେଖିବାକୁ ମିଳିଛି । ୭୦ ଆସନ ପାଇଁ ହୋଇଥିବା ନିର୍ବାଚନରେ ୩୨ ଜଣ ବିଧାୟକ ପ୍ରଥମଥର ପାଇଁ ନିର୍ବାଚିତ ହୋଇଛନ୍ତି । ଯାହା ମଧ୍ୟରେ ବିଜେପିର କିଛି ବରିଷ୍ଠ ନେତା ମଧ୍ୟ ରହିଛନ୍ତି । ବିଜେପିର ବରିଷ୍ଠ ନେତା ମୋହନ ବିଷ୍ଟ ମୁସ୍ତଫାବାଦରୁ ନିର୍ବାଚନ ଜିତିଛନ୍ତି । ସେ ଷଷ୍ଠଥର ପାଇଁ ବିଧାୟକ ଜିତି ଶୋଏବ ଇକବାଲଙ୍କ ରେକର୍ଡ ସହ ସମକକ୍ଷ ହୋଇଛନ୍ତି । ଏହା ବ୍ୟତୀତ ବିଜେପିର ଅରବିନ୍ଦର ସିଂ ଲଭଲୀ ଓ ରାଜକୁମାର ଚୌହାନ ପଞ୍ଚମଥର ପାଇଁ ବିଧାୟକ ଭାବେ ବିଜୟୀ ହୋଇଛନ୍ତି । ଅନ୍ୟମାନଙ୍କ ମଧ୍ୟରେ କେହି ଚତୁର୍ଥ ପାଇଁ ବିଜୟୀ ହୋଇଛନ୍ତି ତ କିଏ ହାଟ୍ରିକ୍ ମାରିଛି ।
ବିଜେପି ଓ ଆପ୍ ନେତାମାନଙ୍କ ମଧ୍ୟରୁ ଅନେକ ନେତା ଚତୁର୍ଥ ପାଇଁ ବିଜୟୀ ହୋଇଛନ୍ତି । ଏହା ମଧ୍ୟରୁ ବିଜେପିରୁ ଓମ୍ ପ୍ରକାଶ ଶର୍ମା, କୁଲବନ୍ତ ରାଣା, ତଲାବିନ୍ଦର ସିଂ ସାମିଲ ଅଛନ୍ତି । ଆମ୍ ଆଦମୀ ପାର୍ଟିରୁ ସଂଜୀବ ଝା, ସୋମଦତ୍ତ, ବିଶେଷ ରବି, ଜରନେଲ ସିଂ, ଅଜୟ ଦତ୍ତ, ବୀର ସିଂ ଘୀଗାନ ଲଗାତର ଚତୁର୍ଥ ଥର ପାଇଁ ବିଜୟୀ ହୋଇଛନ୍ତି ।
ସେହିଭଳି ଆମ୍ ଆଦମୀ ପାର୍ଟିର ଗୋପାଳ ରାୟ, ଇମ୍ରାନ ହୋସେନ, ସହିରାମ ଓ ଅମାନତୁଲ୍ଲାହଙ୍କ ହାଟ୍ରିକ ବିଜୟ ହୋଇଛି । ଏହି ତାଲିକାରେ ବିଜେପିର ବିଜେନ୍ଦ୍ର ଗୁପ୍ତା, କୈଳାଶ ଗେହଲତ, କରତାର ସିଂ ତମ୍ବରଙ୍କ ନାମ ମଧ୍ୟ ସାମିଲ ହୋଇଛି । ଯେଉଁମାନେ ଲଗାତର ତୃତୀୟ ଥର ପାଇଁ ବିଜୟୀ ହୋଇ ହାଟ୍ରିକ ମାରିଛନ୍ତି ।
ଅନ୍ୟପଟେ ଉଭୟ ଦଳର ଏଭଳି ୩୨ ଜଣ ପ୍ରାର୍ଥୀ ବିଜୟୀ ହୋଇଛନ୍ତି, ଯେଉଁମାନେ ପ୍ରଥମଥର ପାଇଁ ବିଧାନସଭା ଯିବେ । ଦେଖିବାକୁ ବାକି ରହିଲା ୭୦ ଆସନ ବିଶିଷ୍ଟ ଦିଲ୍ଲୀ ବିଧାନସଭାରେ ଯେତେବେଳେ ୩୨ ଜଣ ନୂଆ ବିଧାୟକ ରହିବେ ସେମାନେ ନୂଆ କିଛି କରିବେ ତ ?