କନକ ବ୍ୟୁରୋ: ଦିଲ୍ଲୀର ଯମୁନା ଜଳକୁ ନେଇ ଜୋର୍ ଧରିଛି ରାଜନୀତି । ଏହାକୁ ନେଇ ନିର୍ବାଚନ ଆୟୋଗ ପୂର୍ବତନ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ନୋଟିସ କରିଛନ୍ତି । ଯମୁନା ଜଳ ବିଷାକ୍ତ ହୋଇଥିବା ଅଭିଯୋଗ କରିଥିଲେ କେଜ୍ରିୱାଲ୍ । ନିର୍ବାଚନ ଆୟୋଗ କେଜ୍ରିୱାଲଙ୍କୁ ତାଙ୍କ ଅଭିଯୋଗ ସମ୍ପର୍କରେ ପ୍ରମାଣ ଦେବାକୁ କହିଛନ୍ତି । କେବଳ ଏତିକି ନୁହେଁ ନିର୍ବାଚନ ଆୟୋଗ କହିଛନ୍ତି ଯେ ଯଦି ଅରବିନ୍ଦ କେଜ୍ରିୱାଲ କୌଣସି ଠୋସ୍ ତଥ୍ୟ ଏବଂ ଉତ୍ତର ନ ଦିଅନ୍ତି, ତେବେ ତାଙ୍କ ବିରୋଧରେ ଏକ ନିର୍ଦ୍ଦେଶନାମା ଜାରି କରାଯିବ ଓ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯିବ । ବୁଧବାର ରାତି ୮ଟା ସୁଦ୍ଧା ନୋଟିସର ଜବାବ ଦେବାକୁ କୁହାଯାଇଛି ।
ସୋମବାର ଆମ୍ ଆଦମୀ ପାର୍ଟିର ରାଷ୍ଟ୍ରୀୟ ଆବାହକ ଅରବିନ୍ଦ କେଜ୍ରିୱାଲ ହରିୟାଣାର ବିଜେପି ସରକାରଙ୍କୁ ଯମୁନା ପାଣିରେ ବିଷ ଦେଇଥିବାର ଅଭିଯୋଗ କରିଥିଲେ । ସେ କହିଥିଲେ ଯେ, ହରିୟାଣାରୁ ଜଳ ଯମୁନା ଦେଇ ଦିଲ୍ଲୀକୁ ଆସିଥାଏ । ବିଜେପିର ହରିୟାଣା ସରକାର ଯମୁନା ଜଳକୁ ବିଷାକ୍ତ କରିଛନ୍ତି । ତେବେ ଦିଲ୍ଲୀ ଜଳ ବୋର୍ଡ ସେହି ଜଳକୁ ଦିଲ୍ଲୀ ଆସିବାକୁ ଦେଇନଥିଲା ବୋଲି ଅଭିଯୋଗ କରିଥିଲେ । ବିଜେପି ସରକାର ଏଭଳି ବିଷକୁ ପାଣିରେ ମିଶାଇ ଦେଇଛନ୍ତି, ଯାହା ଜଳ ବିଶୋଧନ ଦ୍ୱାରା ମଧ୍ୟ ସଫା ହୋଇପାରିବ ନାହିଁ । ଏହି କାରଣରୁ ଦିଲ୍ଲୀର ଏକ ତୃତୀୟାଂଶରେ ଜଳ ଅଭାବ ଦେଖାଦେଇଛି କହିଥିଲେ ଅରବିନ୍ଦ କେଜ୍ରିୱାଲ୍ ।
ଦିଲ୍ଲୀ ଉପରାଜ୍ୟପାଳ ଭି.କେ ସକ୍ସେନା ମଙ୍ଗଳବାର ଦିନ ମୁଖ୍ୟମନ୍ତ୍ରୀ ଆତିଶୀଙ୍କୁ ଚିଠି କରିଛନ୍ତି । ବିଜେପି ନେତୃତ୍ୱାଧୀନ ହରିୟାଣା ସରକାରଙ୍କ ବିରୁଦ୍ଧରେ ଯମୁନା ନଦୀକୁ ବିଷାକ୍ତ କରିବା ଏବଂ ଦିଲ୍ଲୀରେ ନରସଂହାର ପ୍ରୟାସ କରିବା ଅତ୍ୟନ୍ତ ଆପତ୍ତିଜନକ । ଉପରାଜ୍ୟପାଳ ମୁଖ୍ୟମନ୍ତ୍ରୀଙ୍କୁ ଲେଖିଥିବା ଚିଠିରେ କହିଛନ୍ତି ଯେ, ପାନୀୟ ଜଳ ଭଳି ଏକ ସମ୍ବେଦନଶୀଳ ପ୍ରସଙ୍ଗରେ ମିଥ୍ୟା, ବିଭ୍ରାନ୍ତିକର, ଅସତ୍ୟ ଅଭିଯୋଗ ଆଣିବା ଏବଂ ଅନ୍ୟ ରାଜ୍ୟ ସରକାରଙ୍କ ବିରୋଧରେ ଜନସାଧାରଣଙ୍କୁ ଉତ୍ତେଜିତ କରିବାକୁ ଚେଷ୍ଟା କରିବା କେବଳ ସମ୍ପୃକ୍ତ ରାଜ୍ୟ ପାଇଁ ନୁହେଁ ବରଂ ରାଷ୍ଟ୍ର ପାଇଁ ମଧ୍ୟ କ୍ଷତିକାରକ ।
ବିଜେପିର ଏକ ପ୍ରତିନିଧି ଦଳ ନିର୍ବାଚନ ଆୟୋଗଙ୍କୁ ଭେଟି କେଜ୍ରିୱାଲଙ୍କ ବିରୁଦ୍ଧରେ ଅଭିଯୋଗ କରିଛନ୍ତି । ବିଜେପି ପ୍ରତିନିଧି ମଣ୍ଡଳରେ କେନ୍ଦ୍ରମନ୍ତ୍ରୀ ନିର୍ମଳା ସୀତାରମଣ, ଭୁପେନ୍ଦ୍ର ଯାଦବ ଏବଂ ହରିୟାଣା ମୁଖ୍ୟମନ୍ତ୍ରୀ ନୟାବ ସିଂ ପ୍ରମୁଖ ସାମିଲ ଥିଲେ । କେଜ୍ରିୱାଲଙ୍କୁ କଥା ଫେରାଇବା ପାଇଁ ଅପିଲ୍ କରିବା ସହ ଲୋକଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି କରିଥିବାରୁ କ୍ଷମା ପ୍ରାର୍ଥନା କରିବାକୁ ଦାବି କରିଛନ୍ତି । କେଜ୍ରିୱାଲ୍ଙ୍କ ବିରୋଧରେ ଆଇନଗତ କାର୍ୟ୍ୟାନୁଷ୍ଠାନ ଦାବି ମଧ୍ୟ କରିଛନ୍ତି ।