କନକ ବ୍ୟୁରୋ : ଦିଲ୍ଲୀ ବିଧାନସଭା ନିର୍ବାଚନକୁ ନେଇ ଏଗଜିଟପୋଲ ସାମ୍ନାକୁ ଆସିଛି । ସମସ୍ତ ଏଗଜିଟ ପୋଲରେ ବିଜେପି ଦିଲ୍ଲୀରେ ସରକାର କରୁଥିବା ଆକଳନ କରାଯାଇଛି । ହେଲେ ଫଳାଫଳ ଆସିବା ପୂର୍ବରୁ ଆପ୍ ସାଂସଦ ସଂଜୟ ସିଂ ବିଜେପି ନାମରେ ସାଂଘାତିକ ଅଭିଯୋଗ ଆଣିଛନ୍ତି । ସେ କହିଛନ୍ତି କି, ଆମ ଦଳର ବିଧାୟକଙ୍କୁ ବିଜେପି ତରଫରୁ ଟଙ୍କା ଅଫର ଦିଆଯାଇଛି । ୭ ଜଣ ଆପ୍ ବିଧାୟକ ପ୍ରାର୍ଥୀଙ୍କୁ ବିଜେପି ୧୫ କୋଟି ଟଙ୍କା ଦେବାକୁ ଅଫର ଦେଇଛି । ଅର୍ଥାତ ବିଜେପି ଗଣତି ପୂର୍ବରୁ ପରାଜୟ ସ୍ୱୀକାର କରିଥିବା ସଂଜୟ ସିଂ କହିଛନ୍ତି । 

Advertisment

ସଂଜୟ ସିଂ କହିଛନ୍ତି କି, ନିର୍ବାଚନ ଲଢିଥିବା ଆମ୍ ଦଳର ବିଧାୟକମାନଙ୍କ ମଧ୍ୟରୁ ୭ ଜଣଙ୍କ ବିଜେପି କିଣିବାକୁ ଚେଷ୍ଟା କରିଛି । ବିଜେପି ଏବେ ଆମ୍ ଆଦମୀ ପାର୍ଟିକୁ ଭାଙ୍ଗି ସରକାର ଗଠନ କରିବାକୁ ଚେଷ୍ଟା କରିଛି । ଏଣୁ ଆମ୍ ବିଧାୟକ ପ୍ରାର୍ଥୀମାନଙ୍କୁ ଫୋନ କଲ ରେକର୍ଡ କରିବାକୁ ଦଳ ତରଫରୁ ପରାମର୍ଶ ଦିଆଯାଇଛି । 

ଦିଲ୍ଲୀରେ ୫ ତାରିଖରେ ବିଧାନସଭା ନିର୍ବାଚନ ପାଇଁ ଭୋଟ ଗ୍ରହଣ ହୋଇଛି । ନିର୍ବାଚନ ସରିବା ମାତ୍ରେ ଭିନ୍ନ ଭିନ୍ନ ଏଗଜିଟପୋଲ ସଂସ୍ଥା ସେମାନଙ୍କର ପୂର୍ବ ଆକଳନ ପ୍ରକାଶ କରିଛନ୍ତି । ଏଗଜିଟ୍ ପୋଲ ଦେଇଥିବା ବିଭିନ୍ନ ସଂସ୍ଥା ମଧ୍ୟରୁ ଅଧିକାଂଶ ସଂସ୍ଥା ୨୬ ବର୍ଷ ପରେ ଦିଲ୍ଲୀରେ ବିଜେପି ସରକାର କରୁଥିବା ପୂର୍ବାନୁମାନ କରିଛନ୍ତି ।