କନକ ବ୍ୟୁରୋ: କାଲି ହରିୟାଣା ଓ ଜାମ୍ମୁ-କାଶ୍ମୀରର ବିଧାନସଭା ଫଳାଫଳ ଆସିବାକୁ ଯାଉଛି । ତା ପୂର୍ବରୁ ଏକଜିଟ ପୋଲ ରିପୋର୍ଟ ବିଜେପି ଶିବିରକୁ ଚିନ୍ତାରେ ପକାଇଛି । ଫଳାଫଳକୁ ନେଇ ଓଡିଶାର ରାଜନୈତିକ ବାତାବରଣ ଉଷ୍ମ ହୋଇଛି । ଆଉ ଏହାରି ଭିତରେ ବିଜେପି-ବିଜେଡି ଓ କଂଗ୍ରେସ ମଧ୍ୟରେ ବୟାନବାଜି ତେଜିଛି ।
- କାହା ହାତରେ କାହା ରିମୋଟ୍ ?
- ‘ବିଜେଡିକୁ ଚଳାଉଛି ଦିଲ୍ଲୀ କଂଗ୍ରେସ’
କିଏ କାହା ଇସାରାରେ ଚାଲୁଛି ? ବିଜେଡି ଇସାରାରେ କଂଗ୍ରେସ ନା କଂଗ୍ରେସ ଇସାରାରେ ବିଜେଡି ଚାଲୁଛି? ହରିୟାଣା ଓ ଜମ୍ମୁକାଶ୍ମୀର ବୁଥ୍ ବାହୁଡା ମତ ଆସିବା ପରେ, ତେଜିଛି ରାଜନୈତିକ ବୟାନବାଜି । ବିଜେପି , ବିଜେଡିକୁ ଟାର୍ଗେଟ କରିଛି । ବିଜେପି ବିଧାୟକ ଅଶ୍ବିନୀ ଷଡଙ୍ଗୀଙ୍କ ବଡ ବୟାନ ଦେଇ କହିଛନ୍ତି , ବିଜେଡିକୁ ଚଳାଉଛି ଦିଲ୍ଲୀ କଂଗ୍ରେସ ଆଉ ରାଜ୍ୟ କଂଗ୍ରେସକୁ ଚଳାଉଛି ବିଜେଡି । ଦିଲ୍ଲୀରୁ ଯାହ ନିର୍ଦ୍ଦେଶ ଆସୁଛି ସେହି ଅନୁସାରେ କାମ କରୁଛି ବିଜେଡି ।
ତେବେ ବିଜେପିକୁ କଂଗ୍ରେସ ତେରେଚ୍ଛା ବାଣ ମାରି କହିଛି, ବିଜେଡି ଓ କଂଗ୍ରେସ ଆଭିମୁଖ୍ୟ ଅଲଗା । ବିଜେଡି -ବିଜେପି ପୂର୍ବରୁ ମିଶିକି ଥିଲେ । ଜାତୀୟ ସ୍ତରରେ ବିଭିନ୍ନ ଆଞ୍ଚଳିକ ଦଳ ଇଣ୍ଡି ମେଣ୍ଟ ସହ ଅଛନ୍ତି । ବିଜେଡି ମିଶିବ କି ନାହିଁ ସେ କଥା ହାଇକମାଣ୍ଡ ନିଷ୍ପତ୍ତି ନେବେ । ଆଉ ବିଜେଡି କାଉଣ୍ଟର କରି କହିଛି, ବିଜେଡିର ସମଦୂରତା ନୀତି ବଜାୟ ରହିଛି । ଦିଲ୍ଲୀରୁ ଚିଠି ନ ଆସିଲେ ବିଜେପିର କଲମ ଚାଲେନି ।
ସୂଚନାଯୋଗ୍ୟ ଯେ, ନିର୍ବାଚନ ପୂର୍ବରୁ ବିଜେଡି-ବିଜେପି ମେଣ୍ଟ ଚର୍ଚ୍ଚା ହେଉଥିଲା । ଆଉ ଏବେ ବିଜେଡି ଇଣ୍ଡି ସହ ହାତ ମିଳାଇବ ବୋଲି ପ୍ରସନ୍ନ ଆଚାର୍ଯ୍ୟ ଓ ଦେବାଶିଷ ସାମନ୍ତରାୟ ପରୋକ୍ଷରେ ଇସାରା ଦେଇଥିଲେ। ବିଜେଡିର ଦୁଇ ବଡ ନେତାଙ୍କ ବୟାନ ରାଜ୍ୟରେ ରାଜନୈତିକ ଉଷ୍ଣତାକୁ ବଢ଼ାଇ ଦେଇଛି।