କନକ ବ୍ୟୁରୋ : ଦିଲ୍ଲୀରେ ଶାସନ ଗାଦିରେ ବସିଛି ବିଜେପି ସରକାର । ନିର୍ବାଚନ ପୂର୍ବରୁ ଜନତାଙ୍କୁ ଅନେକ ପ୍ରତିଶ୍ରୁତି ଦେଇ କ୍ଷମତାକୁ ଆସିଛି ବିଜେପି । କ୍ଷମତାକୁ ଆସିଲେ ମହିଳାଙ୍କୁ ୨୫୦୦ ଟଙ୍କା ଦେବା ନେଇ ବି ପ୍ରତିଶ୍ରୁତି ଦେଇଥିଲା ବିଜେପି । କିନ୍ତୁ କ୍ଷମତାକୁ ଆସିବାର ପାଖାପାଖି ୧ମାସ ବିତିଯାଇଥିଲେ ବି ଏବେ ଯାଏଁ ପ୍ରତିଶ୍ରୁତିକୁ ପୂରା କରିନି ବିଜେପି । ଯାହାକୁ ନେଇ ଆମ ଆଦମୀ ପାର୍ଟି ପରେ କଂଗ୍ରେସ ରେଖା ସରକାରଙ୍କୁ ଟାର୍ଗେଟ୍ କରିଛି ।
ମହିଳା ଦିବସ ପୂର୍ବରୁ ମହିଳାଙ୍କୁ ଦିଅ ଟଙ୍କା
ମହିଳା ଦିବସ ପୂର୍ବରୁ ମହିଳାଙ୍କୁ ୨୫୦୦ଟଙ୍କା ଦେବା ପାଇଁ କଂଗ୍ରେସ ଦାବି ଉଠାଇଛି । ଦିଲ୍ଲୀ କଂଗ୍ରେସ ଅଧ୍ୟକ୍ଷ ଦେବେନ୍ଦ୍ର ଯାଦବ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତାଙ୍କୁ ସିଧାସଳଖ ଟାର୍ଗେଟ୍ କରିଛନ୍ତି । ନିର୍ବାଚନ ପୂର୍ବରୁ ଦିଆଯାଇଥିବା ପ୍ରତିଶ୍ରୁତି ଏବେଯାଏଁ କାହିଁକି ପୂରା କରିନାହାନ୍ତି ବୋଲି ପ୍ରଶ୍ନ ଉଠାଇଛନ୍ତି ।
ବିଜେପି ନିର୍ବାଚନ ପୂର୍ବରୁ ବହୁତ ବଡ ବଡ ପ୍ରତିଶ୍ରୁତି ଦେଇଥିଲା । ମହିଳାଙ୍କୁ ୨୫୦୦ଟଙ୍କା ଲେଖାଏଁ ଦେବା କଥା କହିଥିଲା । କିନ୍ତୁ ଏବେ ଯାଏଁ ମହିଳାଙ୍କୁ ଟଙ୍କା ମିଳିଲା ନାହିଁ । ତେଣୁ ମହିଳା ଦିବସ ପୂର୍ବରୁ ୨୫୦୦ଟଙ୍କା ଦିଆଯାଉ ବୋଲି କହିଛନ୍ତି ଦେବେନ୍ଦ୍ର ଯାଦବ ।
‘ବିଜେପି ସରକାର କେବଳ ବାହାନା ଦେଇ ଜାଣେ’
ଦେବେନ୍ଦ୍ର ଯାଦବ କହିଛନ୍ତି, ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା ନିଜେ ଜଣେ ମହିଳା ତେଣୁ ସେ ମହିଳାଙ୍କ ସମସ୍ୟା ବୁଝିବା ଦରକାର । ଦିଲ୍ଲୀ ଏବଂ କେନ୍ଦ୍ରରେ ଡବଲ ଇଞ୍ଜିନ୍ ସରକାର ରହିଛି । କିନ୍ତୁ ଏବେ ସୁଦ୍ଧା ମହିଳାଙ୍କୁ ୨୫୦୦ ଟଙ୍କା ମିଳିପାରିଲା ନାହିଁ । ଯାହା ବିଜେପିର ପାରିବା ପଣିଆ ଉପରେ ପ୍ରଶ୍ନ ଉଠାଇଛି ।
କେବଳ ପ୍ରତିଶ୍ରୁତି, କାମ ଶୂନ୍ୟ
ଦିଲ୍ଲୀ ଜନତାଙ୍କୁ ଏବେ ଯାଏଁ ଖାଲି ପ୍ରିତଶ୍ରୁତି ମିଳିଛି । କିନ୍ତୁ ତୃଣମୂଳ ସ୍ତରରୁ କୌଣସି କାମ ହୋଇନି । ଆମ ଆଦମୀ ପାର୍ଟି ଥିବା ବେଳେ ଆମ ଆଦମୀ ପାର୍ଟିର ବିଫଳତାକୁ ମୁଦ୍ଦା କରି ବିଜେପି ନିର୍ବାଚନ ଲଢିଥିଲା । କିନ୍ତୁ ସରକାରକୁ ଆସିବା ପରେ ବି ବିଜେପି ନିଜେ କୌଣସି କାମ କରୁନାହିଁ । ଯେତେବେଳେ କଂଗ୍ରେସ ସରକାର ଥିଲା ସେତେବେଳେ ଦିଲ୍ଲୀକୁ ଏକ ୱାର୍ଲ୍ଡ କ୍ଲାସ୍ ସହର ଦେଇଥିଲା । କିନ୍ତୁ ବିଗତ ୧୧ବର୍ଷରେ ଏହା ସମ୍ପୂର୍ଣ୍ଣ ଖରାପ ହୋଇସାରିଛି । ତେଣୁ ଯଦି ବିଜେପି ଚାହୁଁଛି ଜନତା ତାଙ୍କ ଉପରେ ଭରସା ବଜାୟ ରଖନ୍ତୁ, ତେବେ ବିଜେପିକୁ ତାର ପ୍ରତିଶ୍ରୁତି ପୂରା କରିବାକୁ ପଡିବ ଏବଂ ମହିଳାଙ୍କୁ ୨୫୦୦ ଟଙ୍କା ତୁରନ୍ତ ପଠାଇବା ନେଇ ନିଷ୍ପତ୍ତି ନେବାକୁ ପଡିବ ।