କନକ ବ୍ୟୁରୋ :  ଦିଲ୍ଲୀ ସରକାର ଏକ ନୂତନ ନିୟମ ଲାଗୁ କରିଛନ୍ତି, ଯାହା ଅନୁଯାୟୀ ମୁଖ୍ୟମନ୍ତ୍ରୀ ଏବଂ କ୍ୟାବିନେଟ୍ ମନ୍ତ୍ରୀମାନେ ସରକାରୀ ଅର୍ଥରେ ଦାମୀ ମୋବାଇଲ୍ ଫୋନ୍ କିଣିପାରିବେ । ଏହା ସହିତ ସେମାନଙ୍କ ବାସଭବନରେ ଥିବା ଲ୍ୟାଣ୍ଡଲାଇନ୍ ବିଲର ସମ୍ପୂର୍ଣ୍ଣ ଖର୍ଚ୍ଚ ମଧ୍ୟ ସରକାର ବହନ କରିବେ । ସାଧାରଣ ପ୍ରଶାସନ ବିଭାଗ ଦ୍ୱାରା ଜାରି କରାଯାଇଥିବା ନୂତନ ନିୟମ ଅନୁଯାୟୀ, ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା ବର୍ତ୍ତମାନ ଦେଢ଼ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମୋବାଇଲ୍ ଫୋନ୍ କିଣିପାରିବେ ।  ଯେତେବେଳେ କି କ୍ୟାବିନେଟ୍ ମନ୍ତ୍ରୀମାନଙ୍କ ପାଇଁ ଏହି ସୀମା ଲକ୍ଷେ ୨୫ ହଜାର ଟଙ୍କା ପର୍ଯ୍ୟନ୍ତ ରଖାଯାଇଛି । ଏହା ୨୦୧୩ ମସିହାର ଏକ ଦଶନ୍ଧି ପୁରୁଣା ସର୍କୁଲାରକୁ ବଦଳାଇଛି । ପୂର୍ବରୁ ମୁଖ୍ୟମନ୍ତ୍ରୀଙ୍କ ପାଇଁ ୫୦,୦୦୦ ଟଙ୍କା ଏବଂ ମନ୍ତ୍ରୀମାନଙ୍କ ପାଇଁ ୪୫,୦୦୦ ଟଙ୍କାର ସୀମା ଥିଲା । ସରକାରଙ୍କ କହିବା ଅନୁଯାୟୀ, ବରିଷ୍ଠ ଅଧିକାରୀମାନଙ୍କୁ ଆଧୁନିକ ଯୋଗାଯୋଗ ଉପକରଣ ଯୋଗାଇଦେବା ଏବଂ କାର୍ଯ୍ୟକ୍ଷମ ଦକ୍ଷତା ସୁନିଶ୍ଚିତ କରିବା ପାଇଁ ଏହି ପରିବର୍ତ୍ତନ କରାଯାଇଛି ।

Advertisment

ଏହି ନୂତନ ନିୟମ କେବଳ ମୁଖ୍ୟମନ୍ତ୍ରୀ କି ମନ୍ତ୍ରୀମାନଙ୍କ ମଧ୍ୟରେ ସୀମିତ ନୁହେଁ, ବରଂ ବରିଷ୍ଠ ଅଧିକାରୀମାନଙ୍କ ପାଇଁ ମଧ୍ୟ ଲାଗୁ ହୋଇଛି । ମୁଖ୍ୟ ସଚିବ ବର୍ତ୍ତମାନ ୮୦,୦୦୦ ରୁ ୧ ଲକ୍ଷ ଟଙ୍କା ମୂଲ୍ୟର ମୋବାଇଲ୍ ଫୋନ୍ କିଣିପାରିବେ । ଯାହାର ପୂର୍ବ ସୀମା ୩୦,୦୦୦ ରୁ ୪୦,୦୦୦ ଟଙ୍କା ଥିଲା । ନିୟମ ଅନୁସାରେ କିଣାଯାଇଥିବା ମୋବାଇଲ୍ ଫୋନ୍ ସାଧାରଣତଃ ଦୁଇ ବର୍ଷ ମଧ୍ୟରେ ବଦଳାଯାଇ ପାରିବ ନାହିଁ । ଯଦି ମରାମତି ଖର୍ଚ୍ଚ ଫୋନର ମୂଳ ମୂଲ୍ୟର ୫୦% ରୁ ଅଧିକ ହୁଏ, ତେବେ ଏହାକୁ ବଦଳାଇବା ପାଇଁ ଅନୁମତି ଦିଆଯିବ । 

ଏହି ନିଷ୍ପତ୍ତିକୁ ନେଇ ବିରୋଧୀ ଆମ୍ ଆଦମୀ ପାର୍ଟି (AAP) ତୀବ୍ର ସମାଲୋଚନା କରିଛି । ଆପ୍ ଦିଲ୍ଲୀର ରାଜ୍ୟ ସଭାପତି ସୌରଭ ଭରଦ୍ୱାଜ କହିଛନ୍ତି ଯେ ଦିଲ୍ଲୀବାସୀ ଜଳବନ୍ଦୀ ଏବଂ ଟ୍ରାଫିକ୍ ଜାମ୍ ଭଳି ସମସ୍ୟାର ସମ୍ମୁଖୀନ ହେଉଛନ୍ତି । କିନ୍ତ ବିଜେପି ସରକାରଙ୍କ ପ୍ରାଥମିକତା ମନ୍ତ୍ରୀମାନଙ୍କ ପାଇଁ ଦାମୀ ଫୋନ୍ କିଣିବା ଉପରେ ରହିଛି । ସେ ଆହୁରି ମଧ୍ୟ କହିଛନ୍ତି ଯେ ମହିଳାମାନଙ୍କୁ ୨,୫୦୦ ଟଙ୍କା ମାସିକ ସହାୟତା ଦେବାର ପ୍ରତିଶୃତି ପୂରଣ ହୋଇନାହିଁ, କିନ୍ତୁ ମନ୍ତ୍ରୀମାନଙ୍କ ପାଇଁ ଲକ୍ଷ ଲକ୍ଷ ଟଙ୍କାର ଫୋନ୍ ଏବଂ ଅସୀମିତ ବିଲ୍ ପାସ୍ କରାଯାଉଛି । ଅନ୍ୟପଟେ, ଶାସକ ବିଜେପି ଏହି ପଦକ୍ଷେପକୁ ସମର୍ଥନ କରି କହିଛି ଯେ ଏହି ଗ୍ୟାଜେଟ୍ ଗୁଡିକ ରେକର୍ଡ ରଖିବା ଏବଂ ସରକାରୀ କାର୍ଯ୍ୟ ପାଇଁ ଆବଶ୍ୟକ ।