କନକ ବ୍ୟୁରୋ: ଆଜି ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବେ ଦିଲ୍ଲୀ ମୁଖ୍ୟମନ୍ତ୍ରି ଅରବିନ୍ଦ କେଜରିୱାଲ । ଅପରାହ୍ନ ସାଢ଼େ ୪ଟାରେ ଉପରାଜ୍ୟପାଳ ବିଜୟ କୁମାର ସକସେନାଙ୍କୁ ଭେଟି ଇସ୍ତଫା ପତ୍ର ପ୍ରଦାନ କରିବେ । ଏନେଇ ନିଜେ ଘୋଷଣା କରିଛନ୍ତି କେଜରିୱାଲ । ତେବେ ଦିଲ୍ଲୀର ପରବର୍ତ୍ତି ମୁଖ୍ୟମନ୍ତ୍ରୀ କିଏ ହେବ ତାକୁ ନେଇ ବଢ଼ିଛି ଚର୍ଚ୍ଚା । ମୁଖ୍ୟମନ୍ତ୍ରୀ ପଦ ପାଇଁ ଅନେକ ଦାବିଦାର ଅନେକ ଥିବା ବେଳେ ଏନଇେ  ନିଷ୍ପତ୍ତିକୁ ଅପେକ୍ଷା କରାଯାଇଛି ।

ଆଜି ବିଧାୟକ ଦଳ ବୈଠକ ପରେ ଘୋଷଣା ହୋଇପାରେ ନୂଆ ମୁଖ୍ୟମନ୍ତ୍ରୀଙ୍କ ନାଁ । ଏଥିରେ ସବୁଠୁ ଆଗରେ ଅଛନ୍ତି ଦିଲ୍ଲୀ କ୍ୟାବିନେଟ ମନ୍ତ୍ରୀ ଆତିସି ମାର୍ଲେନା । ଅର୍ଥ, ଶିକ୍ଷା, ମହିଳା ଓ ଶିଶୁ ବିକାଶ, ପର୍ୟ୍ୟଟନ, କଳା, ସଂସ୍କୃତି ଭଳି ୧୪ଟି ବିଭାଗର ମନ୍ତ୍ରୀ ହେଉଛନ୍ତି ଆତିସୀ । ଯେଉଁ ସମୟରେ କେଜ୍ରିୱାଲ ଜେଲରେ ଥିଲେ ସେହି ସମୟରେ ଆପ ସରକାର ଓ ଉପରାଜ୍ୟପାଳ ବିବାଦ ମଧ୍ୟରେ ତାଙ୍କ ସକ୍ରିୟ ରାଜନୀତି ତାଙ୍କୁ ଲୋକଲୋଚନକୁ ଆଣିଥିଲା । କେଜ୍ରିୱାଲଙ୍କ ବେଶ ବିଶ୍ୱସ୍ତ ଆତିସୀ ବାରମ୍ବାର ସାମ୍ବାଦିକ ସମ୍ମିଳନୀ କରି କେନ୍ଦ୍ରସରକାର ଓ ଉପରାଜ୍ୟପାଳଙ୍କୁ ସମାଲୋଚନା କରୁଥିଲେ । ସେହିପରି ଅନ୍ୟତମ ଦାବିଦାର ହେଉଛନ୍ତି ମନ୍ତ୍ରୀ ଗୋପାଳ ରାୟ । ଗୋପାଳ ରାୟ ଉନ୍ନୟନ, ପରିବେଶ, ଜଙ୍ଗଲ ଏବଂ ବନ୍ୟପ୍ରାଣୀ ବିଭାଗ ସମ୍ଭାଳୁଛନ୍ତି । ଦିଲ୍ଲୀର ଜଳବାୟୁ ପରିବେଶକୁ ନେଇ ଗୋପାଳ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି ।

ଆଉ ଜଣେ ପ୍ରମୁଖ ମନ୍ତ୍ରୀ କୈଳାସ ଗେହଏଟ,ସୌରଭ ଭରଦ୍ବାଜ, ଇମ୍ରାନ ହୁସେନଙ୍କ ମଧ୍ୟରୁ କାହାକୁ ବି କେଜ୍ରିୱାଲ ମୁଖ୍ୟମନ୍ତ୍ରୀ ବାଛିପାରନ୍ତି । କେଜ୍ରିୱାଲ ଜେଲ ଯିବାପରଠୁ ତାଙ୍କ ପତ୍ନୀ ସୁନୀତା କେଜ୍ରିୱାଲ  ଆପ ଦଳୀୟ ବ୍ୟାପରରେ ସକ୍ରିୟ ଅଛନ୍ତି । କେଜ୍ରିୱାଲଙ୍କ ଭିଡିଓ ଭାଷଣ ଓ ଅଭିପ୍ରାୟ ସର୍ମ୍ପକରେ ମିଡିଆକୁ ଜଣାଇବା ବ୍ୟତିତ ଗତ ଲୋକସଭା ନିର୍ବାଚନ ସମୟରେ ସୁନୀତା ଆପର ତାରକା ପ୍ରଚାରକ ହୋଇଥିଲେ ।କେଜ୍ରିୱାଲଙ୍କ ଭଳି ସୁନୀତା ମଧ୍ୟ ଜଣେ ପ୍ରଶାସନିକ ଅଧିକାରୀ ହୋଇଥିବାରୁ ପ୍ରଶାସନିକ ଅଭିଜ୍ଞତା ରଖିଛନ୍ତି । ମାତ୍ର ପାରିବାରିକ ରାଜନୀତିବ ବିବାଦରେ ନପଡିବାକୁ ଯାଇ କେଜ୍ରିୱାଲଙ୍କ ପତ୍ନୀଙ୍କୁ ମୁଖ୍ୟମନ୍ତ୍ରୀ ରୂପେ ବଛା ନଯାଇପାରେ ।