କନକ ବ୍ୟୁରୋ: ସରଗରମ ହେଲାଣି ଦିଲ୍ଲୀ ରାଜନୀତି । ଏଥର କିଏ ଦିଲ୍ଲୀରେ ବାଜି ମାରିବ ? ସେନେଇ ଜୋରଦାର ଚର୍ଚ୍ଚା ହେଉଛି । କୁହାଯାଉଛି କି, ୨୭ ବର୍ଷ ଦିଲ୍ଲୀ ରାଜ୍ୟରୁ କ୍ଷମତାରେ ଦୂରେଇ ରହିଥିବା ବିଜେପି ଏଥର ଶାସନ କ୍ଷମତାକୁ ଫେରିପାରେ । ଏହା ପଛରେ ବି ରହିଛି ଅନେକ କାରଣ । ଖାସ କରି କେନ୍ଦ୍ରରେ ଲଗାତାର ତୃତୀୟ ଥର କ୍ଷମତାରେ ରହିଛି ବିଜେପି । ମୋଦିଙ୍କ ନେତୃତ୍ବରେ ଦେଶରେ ବିକାଶ କେମିତି ହେଉଛି ତାହା ପ୍ରତିଟି ଦେଶବାସୀ ଦେଖୁଛନ୍ତି । ତେଣୁ ମୋଦି ବି ଏଥର ପ୍ରାର୍ଥୀଙ୍କ ଲାଗି ପ୍ରଚାର କରୁଛନ୍ତି । କୁହାଯାଉଛି ଆପ୍‌ ସରକାରର ଭ୍ରଷ୍ଟାଚାରରେ ଅତିଷ୍ଠ ହୋଇଗଲେଣି ଦିଲ୍ଲୀବାସୀ । ତେଣୁ ଝାଡୁ ଚିହ୍ନ ଏଥର କ୍ଷମତାକୁ ଫେରିବା କଷ୍ଟକର ହୋଇପଡ଼ିବ । ଏହାସହ ଆପ୍ ବିରୋଧରେ ବିରୋଧୀର ସ୍ବର ପ୍ରତି ଗଳିଗଳିରେ ଦେଖିବାକୁ ମିଳୁଛି । ଯାହାର ପ୍ରଭାବ ଦିଲ୍ଲୀ ନିର୍ବାଚନରେ ଦେଖିବାକୁ ପଡ଼ିବ ।

Advertisment

ଦିଲ୍ଲୀ ନିର୍ବାଚନ
ପ୍ରତିଶୃତି ବର୍ଷା କରିଛନ୍ତି ପ୍ରଧାନମନ୍ତ୍ରୀ

ନିର୍ବାଚନ ଆସିଲେ ବିଜୟ ହେବା ଲାଗି ବିଭିନ୍ନ ରାଜନୈତିକ ଦଳ ବିଭିନ୍ନ ପ୍ରକାର ଯୋଜନ କରନ୍ତି । ଠିକ୍‌ ସେହିପରି ସ୍ଥାନୀୟ ମୁଦ୍ଦାକୁ ପ୍ରସଙ୍ଗ କରିଛନ୍ତି ମୋଦି । ଖାସ କରି ପିଇବା ପାଣି ଓ ରାସ୍ତାଘାଟ ସମସ୍ୟାକୁ ନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ୍‌ କରିଛନ୍ତି । ପୂର୍ବରୁ ଆପ୍‌ ସରକାର ଯାହା କରିନଥିଲା, ତାହା ବିଜେପି ସରକାରକୁ ଆସିଲେ ହେବ ବୋଲି ମୋଦି କହିଛନ୍ତି ।  କଥା ହେଲା ଏଥର ୫ ମୁଦ୍ଦାକୁ ପ୍ରସଙ୍ଗ କରିଛନ୍ତି ମୋଦି ଏବଂ ଏହି ମୁଦ୍ଦା ହିଁ ଦିଲ୍ଲୀରେ ବିଜେପିକୁ କ୍ଷମତାକୁ ଫେରାଇବ ବୋଲି ଆଶା ବାନ୍ଧିଛନ୍ତି ଦିଲ୍ଲୀବାସୀ । 

ଏଥର ବି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିଜେପିର ମୁଖ୍ୟ ଚେହେରା ଭାବରେ ପ୍ରଚାର କରୁଛନ୍ତି । ଏଯାଏଁ ମୁଖ୍ୟମନ୍ତ୍ରୀଙ୍କ ନାଁ ଘୋଷଣା କରାଯାଇନାହିଁ ।

 
ଉଭୟ ପ୍ରଧାନମନ୍ତ୍ରୀ ଓ ଗୃହମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଆଲିଶାନ ଘରକୁ ନେଇ ଟାର୍ଗେଟ୍‌ କରିବା ସହିତ ଦିଲ୍ଲୀରେ ରହୁଥିବା ବସ୍ତି ଲୋକ କାହିଁକି ଘର ପାଇନାହାନ୍ତି ବୋଲି ପ୍ରଶ୍ନ କରିଛନ୍ତି ।

 
ଯମୁନା ନଈ ପ୍ରଦୂଷଣ ଏବେ ଦିଲ୍ଲୀବାସୀଙ୍କ ମୁଖ୍ୟ ସମସ୍ୟା ଭାବରେ ଉଭା ହୋଇଛି । ତେଣୁ ଏହି ପ୍ରସଙ୍ଗକୁ ନେଇ କେଜ୍ରିୱାଲଙ୍କୁ ଟାର୍ଗେଟ୍‌ କରିଛନ୍ତି ମୋଦି ଓ ଶାହା । ନିର୍ବାଚନ ରାଲିରେ ଉଭୟ ନେତା କହିଛନ୍ତି, ଡବଲ ଇଞ୍ଜିନ ସରକାର ଦିଲ୍ଲୀରେ ଆସିଲେ ବିକାଶ ଡବଲ ହେବ ।

 
ଭୋଟ୍‌ ପାଇଁ ପ୍ରତି ମହିଳାଙ୍କୁ ବୀମା, ମାସିକ ୨୧ ସହ ଟଙ୍କା ସହ ମାଗଣା ବିଜୁଳି ଆଦି ଯୋଜନା ଆପ୍‌ ପାଇଁ ବୁଷ୍ଟର ପାଲଟିଥିବା ବେଳେ ମୋଦି ସରକାର ଆସିଲେ ବସ୍ତିବାସିନ୍ଦାଙ୍କୁ ପକ୍କାଘର ଦିଆଯିବ ବୋଲି ପ୍ରତିଶୃତି ଦେଇଛନ୍ତି ।

 
ଆପ୍‌ ସହ କଂଗ୍ରେସ ଓ ଅନ୍ୟ ଦଳର ମନାନ୍ତର ହେବା ପରେ ଏହିର ଫାଇଦା ନେବାକୁ ବିଜେପି ନେତା ଚେଷ୍ଟା କରୁଛନ୍ତି । କୁହାଯାଉଛି, ସେମାନଙ୍କ ଭୋଟ୍‌ ବିଜେପି ଖାତାକୁ ହିଁ ଆସିବ ।


ବିଜେପିର ମୁଖ୍ୟ ଚେହେରା ମୋଦି

ଏଥର ବି ମୋଦି ବିଜେପିର ମୁଖ୍ୟ ଚେହେରା ଭାବରେ ଉଭା ହୋଇଛନ୍ତି । ଅର୍ଥାତ୍‌ ମୋଦିଙ୍କ ନେତୃତ୍ବରେ ଦିଲ୍ଲୀରେ ଦଳ ନିର୍ବାଚନ ଲଢୁଛି । ଅବଶ୍ୟ ୨୦୨୦ରେ ବି ସମାନ ଢଙ୍ଗରେ ଦଳ ପ୍ରଚାର କରିଥିଲା କିନ୍ତୁ ବିଜୟ ହୋଇନଥିଲା । ୨୦୧୫ରେ ଯେବେ ବିଜେପି କୀରଣ ବେଦୀଙ୍କୁ ମୁଖ୍ୟମନ୍ତ୍ରୀ ଚେହେରା କରିଥିବା ସେବେ ଆପ୍‌ ୭୦ ବିଧାନସଭା ଆସନରୁ ୬୭ ସିଟ୍‌ରେ ବିଜୟ ହୋଇଥିଲା । 

ଗୁରୁତ୍ବପୂର୍ଣ୍ଣ କଥା ହେଲା, ଓଡ଼ିଶା ସମେତ ବିଭିନ୍ନ ରାଜ୍ୟରେ ହୋଇଥିବା ନିର୍ବାଚନରେ ବିଜେପି ମୁଖ୍ୟମନ୍ତ୍ରୀ ଚେହେରା ଘୋଷଣା ନକରିବା ପରେ ବି ଦଳ ବିଜୟ ହୋଇଥିଲା । ଯାହାଲାଗି ଦଳର ଆତ୍ମବିଶ୍ବାସ ବି ବଢିଥିଲା । ତେଣୁ ଏଥର ବି ବିନା କୌଣସି ମୁଖ୍ୟମନ୍ତ୍ରୀ ଚେହେରାରେ ଦଳ ବିଜୟ ହେବ ବୋଲି କୁହାଯାଉଛି । ବୋଧହୁଏ ସେଇଥିଲାଗି ଦିଲ୍ଲୀରେ ଦଳ ପକ୍ଷରୁ ଲଗାଯାଇଥିବା ପୋଷ୍ଟରରେ କେବଳ ମୋଦିଙ୍କ ଫଟୋ ରହିଛି ।

ଭଷ୍ଟ୍ରାଚାର ପାଇଁ ଯାଇପାରେ ଆପ୍‌ ସରକାର

ଦିଲ୍ଲୀରେ କେଜ୍ରିୱାଲ ସରକାର ଆସିବା ପରେ ପ୍ରଥମ ପାଳିରେ ଯାହା ଯେମିତି ଚାଲୁଥିବା ଶାସନ । ହେଲେ ଦ୍ବିତୀୟ ପାଳିରେ ଦୁର୍ନୀତି ବଢିବାରେ ଲାଗିଥିଲା । ଖାସ କରି ଦିଲ୍ଲୀ ମଦଦୁର୍ନୀତି ମାମଲାରେ ଦଳର ଅନେକ ନେତା ଛନ୍ଦି ହେବା ସହିତ ଖୋଦ କେଜ୍ରିୱାଲଙ୍କୁ ବାଧ୍ୟ କରିଥିଲା ମୁଖ୍ୟମନ୍ତ୍ରୀ ପଦ ଛାଡ଼ିବା ଲାଗି । ଏଥର ଆପ୍‌ ଦଳ ଉପରେ ଲାଗିଥିବା ଦୁର୍ନୀତିର ଦାଗ ଲିଭାଇବାକୁ କେଜ୍ରିୱାଲ କି ରଣନୀତି କରୁଛନ୍ତି ତାହା ସମୟ କହିବ ଏବଂ ରେଜଲ୍ଟ ଆସିବା ପରେ ଜଣାପଡ଼ିବ ଦିଲ୍ଲୀରେ ବାଜି ମାରୁଛି କିଏ ।