କନକ ବ୍ୟୁରୋ : ଦିଲ୍ଲୀ ରାଜନୀତି ପୁଣି ସରଗରମ ହୋଇଛି । ଚଳିତଥର ବିବାଦର କେନ୍ଦ୍ରରେ ରହିଛି ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ବାସଭବନ । ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ୬ ଫ୍ଲାଗ ଷ୍ଟାଫ ରୋଡ ସ୍ଥିତ ମୁଖ୍ୟମନ୍ତ୍ରୀ ଆବାସରେ ରହୁଥିଲେ । ମୁଖ୍ୟମନ୍ତ୍ରୀ ପଦ ଛାଡିବା ପରେ ସେ ମୁଖ୍ୟମନ୍ତ୍ରୀ ଆବାସ ଖାଲି କରିଦେଇଥିଲେ । ଏହାପରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଆତିଶୀ ମାରଲେନା ସେହି ଭବନକୁ ଯିବାର ଥିଲା । ହେଲେ ଆମ୍ ଆଦମୀ ପାର୍ଟିର ଜଣେ ବରିଷ୍ଠ ନେତା କହିଛନ୍ତି କି ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ପାଇଁ ଆବାସ ଆଲଟ୍ ହୋଇନାହିଁ । ସେପଟେ ଏବେ ଏବେ ସିଭିଲ ଲାଇନରେ ଥିବା ମୁଖ୍ୟମନ୍ତ୍ରୀ ଆବାସକୁ ସିଲ୍ କରାଯାଇଥିବା ଖବର ଆସୁଛି । ବିଜେପି ବାରମ୍ବାର ଅଭିଯୋଗ କରୁଛି କି ମୁଖ୍ୟମନ୍ତ୍ରୀ ଆବାସ ସଜାଡିବା କାମରେ ଦୁର୍ନୀତି ହୋଇଛି ।
ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଆବାସକୁ ନେଇ ଜୋର ଧରିଛି ରାଜନୀତି । ପିଡବ୍ଲୁଡି ତରଫରୁ ସିଭିଲ ଲାଇନ୍ସରେ ଥିବା ମୁଖ୍ୟମନ୍ତ୍ରୀଙ୍କ ଆବାସ ସିଲ୍ କରାଯାଇଛି । ଏଭଳି କାର୍ଯ୍ୟାନୁଷ୍ଠାନ ପୂର୍ବରୁ ଆମ୍ ଆଦମୀ ପାର୍ଟିର ରାଜ୍ୟସଭା ସାଂସଦ ସଂଜୟ ସିଂ କହିଥିଲେ କି ମୁଖ୍ୟମନ୍ତ୍ରୀ ଆତିଶୀ ମାର୍ଲେନାଙ୍କ ପାଇଁ ଆବାସ ଆଲଟ୍ ହୋଇନାହିଁ । ଏହାସହ ମୁଖ୍ୟମନ୍ତ୍ରୀ ଆବାସରୁ କ୍ୟାମ୍ପ ଷ୍ଟାଫଙ୍କୁ ହଟେଇ ଦିଆଯାଇଥିବା ସେ ଅଭିଯୋଗ କରିଛନ୍ତି । ଆମ୍ ଆଦମୀ ପାର୍ଟିର ନେତାମାନେ ଅଭିଯୋଗ କରିଛନ୍ତି କି ମୁଖ୍ୟମନ୍ତ୍ରୀ ଆବାସ ସିଲ କରିବା ପୂର୍ବରୁ ଆତିଶୀଙ୍କର ଥିବା ଜିନିଷପତ୍ର ବାହାରକୁ ବାହାର କରିଦିଆଯାଇଛି ।