କନକ ବ୍ୟୁରୋ: ଭାରତ ଏବଂ ପାକିସ୍ତାନ ମଧ୍ୟରେ ଉତ୍ତେଜନା ଯୋଗୁଁ IPL ୨୦୨୫ ଟୁର୍ଣ୍ଣାମେଣ୍ଟ ଅଧାରୁ ସ୍ଥଗିତ ରଖାଯାଇଥିଲା । ଏହାପରେ ଅନେକ ବିଦେଶ ଖେଳାଳି ସ୍ୱଦେଶ ଫେରି ଯାଇଥିଲେ । କିନ୍ତୁ ଏବେ ସ୍ଥିତି ସ୍ୱାଭାବିକ ହେବା ପରେ, ପୁଣିଥରେ ଟୁର୍ଣ୍ଣାମେଣ୍ଟ ଆରମ୍ଭ କରିବାକୁ ନିଷ୍ପତ୍ତି ନେଇଛି ବିସିସିଆଇ । ଟୁର୍ଣ୍ଣାମେଣ୍ଟ୍‌ରେ ବାକି ଥିବା ମ୍ୟାଚ୍‌ ଖେଳିବାକୁ କେତେକ ବିଦେଶୀ ଖେଳାଳି ଭାରତ ଫେରିବାକୁ ମନ ବଳାଉ ନାହାନ୍ତି । ଏଭଳି ସ୍ଥିତିରେ ସେମାନଙ୍କ ଅଭାବ ପୂରଣ କରିବାକୁ ବଦଳ ଖେଳାଳି ସାମିଲ କରିବାକୁ ଚିନ୍ତା କରୁଛନ୍ତି ଏକାଧିକ ଫ୍ରାଞ୍ଚାଇଜ୍‌ ।

Advertisment

ଭାରତ ଫେରିବେନି ମିଚେଲ ଷ୍ଟାର୍କ
ଆଇପିଏଲ୍‌ ୨୦୨୫ର ବାକି ଥିବା ମ୍ୟାଚ୍‌ ଖେଳାଯିବାକୁ ନିଷ୍ପତ୍ତି ହୋଇଥିବା ବେଳେ ଏବେ ଦିଲ୍ଲୀ କ୍ୟାପିଟାଲ୍ସକୁ ଏକ ବଡ଼ ଝଟକା ଲାଗିଛି । କ୍ୟାପ୍‌ଟେନ୍‌ ଅକ୍ଷର ପଟେଲଙ୍କ ଦଳର ଦ୍ରୁତ ବୋଲର ମିଚେଲ ଷ୍ଟାର୍କ ଏହି ସିଜିନ୍‌ର ବାକିଥିବା ମ୍ୟାଚ୍‌ ଖେଳିବାକୁ ଭାରତ ଆସିବେନି । ଅପରେସନ ସିନ୍ଦୂର ପୂର୍ବରୁ , IPL ଟୁର୍ଣ୍ଣାମେଣ୍ଟ ମେ' ୨୫ରେ ଶେଷ ହେବାକୁ ଥିଲା । ଏବେ ଟୁର୍ଣ୍ଣାମେଣ୍ଟ୍‌ର ଫାଇନାଲ ମ୍ୟାଚ୍‌ ଜୁନ୍‌ ୩ ତାରିଖରେ ଖେଳାଯିବ । ସେପଟେ, ମିଚେଲ ଷ୍ଟାର୍କଙ୍କୁ ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍‌ର ଫାଇନାଲ ପାଇଁ ମଧ୍ୟ ପ୍ରସ୍ତୁତ ହେବାକୁ ପଡ଼ିବ । ଲର୍ଡସ୍‌ରେ ଦକ୍ଷିଣ ଆଫ୍ରିକା ଓ ଅଷ୍ଟ୍ରେଲିଆ ମଧ୍ୟରେ ଏହି ମ୍ୟାଚ୍‌ ଖେଳାଯିବ । ଏଥିପାଇଁ ମିଚେଲ୍‌ ଷ୍ଟାର୍କ ଭାରତ ଫେରି ନାହାଁନ୍ତି ।  ଦିଲ୍ଲୀ କ୍ୟାପିଟାଲ୍ସ ବର୍ତ୍ତମାନ ପ୍ଲେ-ଅଫ୍‌ର ଦ୍ୱାରଦେଶରେ ଠିଆ ହୋଇଛି । ଷ୍ଟାର୍କ୍‌ଙ୍କ ବଦଳ ଖେଳାଳି ଦିଲ୍ଲୀ ଦଳକୁ ପ୍ଲେ-ଅଫ୍‌କୁ ନେଇପାରିବେ କି ନାହିଁ ତାହା ଦେଖିବାକୁ ବାକି ରହିଲା ।
 
କେବଳ ମିଚେଲ୍‌ ଷ୍ଟାର୍କ୍‌ ନୁହଁନ୍ତି ପଞ୍ଜାବ କିଙ୍ଗ୍‌ସ୍‌ର ଜୋସ୍ ଇଙ୍ଗ୍‌ଲିସ୍ ମଧ୍ୟ ଆଇପିଏଲ୍‌ରେ ବାକି ଥିବା ମ୍ୟାଚ୍ ଖେଳିବାକୁ ଭାରତ ଫେରି ନାହାଁନ୍ତି । ସେହିଭଳି ଦିଲ୍ଲୀ କ୍ୟାପିଟାଲ୍ସର ଜେକ୍ ଫ୍ରେଜର-ମ୍ୟାକ୍‌ଗର୍କ ମଧ୍ୟ ଭାରତ ଫେରି ନାହାଁନ୍ତି । ଦିଲ୍ଲୀ ଦଳରେ ଜେକ୍ ଫ୍ରେଜର-ମ୍ୟାକଗର୍କଙ୍କ ସ୍ଥାନ ନେଇଛନ୍ତି ବାଂଲାଦେଶୀ ଖେଳାଳି ମୁସ୍ତାଫିଜୁର ରହମାନ । ଏହି ଖେଳାଳି ଦୁଇ ବର୍ଷ ପରେ ଦିଲ୍ଲୀ ଦଳରେ ସ୍ଥାନ ପାଇଛନ୍ତି ।  

 

  • ଆହତ ଜନିତ ସମସ୍ୟା ଯୋଗୁଁ ଲକି ଫର୍ଗୁସନ୍ ପଞ୍ଜାବ କିଙ୍ଗ୍ସ ଦଳରୁ ବାଦ ପଡ଼ିଛନ୍ତି । ଫର୍ଗୁସନ୍‌ଙ୍କ ବଦଳ ଭାବରେ PBKS କାଇଲ୍ ଜାମିସନ୍‌ଙ୍କୁ ଦଳରେ ସ୍ଥାନ ଦେଇଛି । ଜାମିସନ୍ ୨ କୋଟି ଟଙ୍କାରେ ପଞ୍ଜାବ ଦଳରେ ସାମିଲ ହୋଇଛନ୍ତି ।
  • ଗୁଜରାଟ ଟାଇଟାନ୍ସ ବର୍ତ୍ତମାନ IPL ପଏଣ୍ଟ ଟେବୁଲର ଶୀର୍ଷରେ ଅଛି । କିନ୍ତୁ ଦଳର ବିସ୍ଫୋରକ ବ୍ୟାଟର ଜସ୍ ବଟଲର୍ ମଧ୍ୟ ମେ’ ୨୬ ପରେ ଦଳ ପାଇଁ ଖେଳିବେ ନାହିଁ । ବଟଲରଙ୍କ ସ୍ଥାନରେ ଶ୍ରୀଲଙ୍କା ଖେଳାଳି କୁସାଲ ମେଣ୍ଡିସ୍ ଖେଳିବେ । ଗୁଜରାଟ ଟାଇଟାନ୍ସ ମେଣ୍ଡିସଙ୍କୁ ୭୫ ଲକ୍ଷ ଟଙ୍କାରେ କିଣିଛି ।
  • ଲକ୍ଷ୍ନୌ ସୁପରଜାଏଣ୍ଟସ୍‌ର ଖେଳାଳି ମୟଙ୍କ୍‌ ଯାଦବଙ୍କ ପିଠିରେ ଆଘାତ ଯୋଗୁଁ ଆଇପିଏଲର ବାକି ଥିବା ମ୍ୟାଚ୍‌ ଖେଳିପାରିବେ ନାହିଁ । ମୟଙ୍କ ଯାଦବଙ୍କ ସ୍ଥାନରେ ନ୍ୟୁଜିଲାଣ୍ଡର ଖେଳାଳି ୱିଲ୍ ଔରାର୍କେଙ୍କୁ ଦଳରେ ସ୍ଥାନ ମିଳିଛି ।