Delhi Blast : ଦେଶବ୍ୟାପୀ ସୁରକ୍ଷା କଡ଼ାକଡ଼ି, ସୀମାରେ ହାଇଆଲର୍ଟ

ସୀମାବର୍ତ୍ତୀ ରାଜ୍ୟମାନଙ୍କରେ ପାଟ୍ରୋଲିଂ ବ୍ୟବସ୍ଥାକୁ ଆହୁରି ମଜବୁତ କରାଯାଇଛି । ବିଶେଷ କରି ପାକିସ୍ତାନ ସୀମାକୁ ଲାଗିଥିବା ରାଜସ୍ଥାନ ଏବଂ କାଶ୍ମୀର ସୀମାରେ ଅଧିକ ସତର୍କତା ଅବଲମ୍ବନ କରାଯାଉଛି ।

Border

Border Photograph: (kanak news)

କନକ ବ୍ୟୁରୋ : ଦିଲ୍ଲୀରେ ହୋଇଥିବା ବିସ୍ଫୋରଣ ପରେ ସମଗ୍ର ଦେଶରେ ସୁରକ୍ଷା ବ୍ୟବସ୍ଥାକୁ ଅଧିକ କଡ଼ାକଡ଼ି କରାଯାଇଛି । ରାଜଧାନୀ ଦିଲ୍ଲୀ ଠାରୁ ଆରମ୍ଭ କରି ଗୁଜରାଟ, ରାଜସ୍ଥାନ ଏବଂ କାଶ୍ମୀର ପର୍ଯ୍ୟନ୍ତ ସମସ୍ତ ପ୍ରମୁଖ ସହର ଓ ସୀମାବର୍ତ୍ତୀ ଅଞ୍ଚଳରେ କଡ଼ା ସୁରକ୍ଷା ପ୍ରହରା ବ୍ୟବସ୍ଥା କରାଯାଇଛି । ପୁଲିସ ଓ ସୁରକ୍ଷା ବାହିନୀକୁ ହାଇଆଲର୍ଟରେ ରଖାଯାଇଛି ।

ସୀମାବର୍ତ୍ତୀ ରାଜ୍ୟମାନଙ୍କରେ ପାଟ୍ରୋଲିଂ ବ୍ୟବସ୍ଥାକୁ ଆହୁରି ମଜବୁତ କରାଯାଇଛି । ବିଶେଷ କରି ପାକିସ୍ତାନ ସୀମାକୁ ଲାଗିଥିବା ରାଜସ୍ଥାନ ଏବଂ କାଶ୍ମୀର ସୀମାରେ ଅଧିକ ସତର୍କତା ଅବଲମ୍ବନ କରାଯାଉଛି । ସୂଚନା ଅନୁଯାୟୀ, ଦିଲ୍ଲୀ ବିସ୍ଫୋରଣ ପରେ ପାକିସ୍ତାନ ରାତି ତମାମ ଲଢ଼ୁଆ ବିମାନ ସହ ରାଜସ୍ଥାନ ସୀମାରେ ପାଟ୍ରୋଲିଂ କରୁଥିବା ଦେଖିବାକୁ ମିଳିଛି । ଏହାକୁ ଦୃଷ୍ଟିରେ ରଖି ଭାରତୀୟ ସେନା ମଧ୍ୟ ସୀମାରେ ନିଜର ତୀକ୍ଷ୍ଣ ନଜର ରଖିଛି ଏବଂ କୌଣସି ଅପ୍ରୀତିକର ପରିସ୍ଥିତିର ମୁକାବିଲା କରିବାକୁ ପ୍ରସ୍ତୁତ ରହିଛି ।

ଅଧିକ ପଢ଼ନ୍ତୁ : ପ୍ରତ୍ୟକ୍ଷଦର୍ଶୀଙ୍କ ପ୍ରତିକ୍ରିୟା : କହିଲେ,ଲାଗିଲା ପୃଥିବୀ ଫାଟିଯିବ …

ସୂତ୍ର ଅନୁଯାୟୀ, ଦିଲ୍ଲୀ ବିସ୍ଫୋରଣ ପରେ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ପକ୍ଷରୁ ସମସ୍ତ ରାଜ୍ୟକୁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ସାର୍ବଜନୀନ ସ୍ଥଳ, ବଜାର, ରେଳ ଷ୍ଟେସନ, ବସ ଷ୍ଟାଣ୍ଡ ଏବଂ ଅନ୍ୟାନ୍ୟ ଜନଗହଳିପୂର୍ଣ୍ଣ ସ୍ଥାନଗୁଡ଼ିକରେ ସୁରକ୍ଷା ଯାଞ୍ଚ ବଢ଼ାଇ ଦିଆଯାଇଛି । ସନ୍ଦିଗ୍ଧ ବ୍ୟକ୍ତି ଓ ବସ୍ତୁ ଉପରେ କଡ଼ା ନଜର ରଖିବାକୁ ପୁଲିସକୁ କୁହାଯାଇଛି । ଏହା ସହ ସୀମାରେ ଥିବା ସମସ୍ତ ସୁରକ୍ଷା ଏଜେନ୍ସିକୁ ହାଇଆଲର୍ଟରେ ରଖାଯାଇଛି ଏବଂ ସେମାନଙ୍କ ମଧ୍ୟରେ ସୂଚନା ଆଦାନ ପ୍ରଦାନକୁ ତ୍ୱରାନ୍ୱିତ କରାଯାଇଛି । ଦେଶର ସୁରକ୍ଷା ପାଇଁ ସରକାର ସମ୍ପୂର୍ଣ୍ଣ ପ୍ରତିବଦ୍ଧ ବୋଲି ବରିଷ୍ଠ ଅଧିକାରୀମାନେ ସୂଚନା ଦେଇଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe