Modi speak on Delhi Blast Photograph: (kanak news)
କନକ ବ୍ୟୁରୋ : ଭୁଟାନ ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦିଲ୍ଲୀରେ ହୋଇଥିବା ବିସ୍ଫୋରଣ ଘଟଣାକୁ ନେଇ ଗଭୀର ଉଦ୍ବେଗ ପ୍ରକାଶ କରିଛନ୍ତି । ସେ କହିଛନ୍ତି ଯେ ଏହି ଘଟଣା ଅତ୍ୟନ୍ତ ଭୟାବହ ଏବଂ ଏଥିରେ ଜଡ଼ିତ ଷଡ଼୍ଯନ୍ତ୍ରକାରୀଙ୍କୁ କୌଣସି ପରିସ୍ଥିତିରେ କ୍ଷମା ଦିଆଯିବ ନାହିଁ । ଭୁଟାନର ରାଜଧାନୀ ଥିମ୍ପୁରେ ସମ୍ବୋଧିତ କରିବା ଅବସରରେ ପ୍ରଧାନମନ୍ତ୍ରୀ ଏହି ମନ୍ତବ୍ୟ ଦେଇଛନ୍ତି ।
ପ୍ରଧାନମନ୍ତ୍ରୀ ମୋଦୀ ସ୍ପଷ୍ଟ କରିଛନ୍ତି ଯେ ଦିଲ୍ଲୀରେ ଘଟିଥିବା ଏହି ଦୁର୍ଭାଗ୍ୟଜନକ ଘଟଣାକୁ ଭାରତ ସରକାର ଗୁରୁତର ସହ ନେଇଛନ୍ତି ଏବଂ ଏହାର ତଦନ୍ତ ଜୋରଦାର ଚାଲିଛି । ସେ କହିଛନ୍ତି, "ଦିଲ୍ଲୀର ଘଟଣା ଅତ୍ୟନ୍ତ ଭୟାନକ । ଯେଉଁମାନେ ଏହି ଷଡ଼ଯନ୍ତ୍ର ପଛରେ ଅଛନ୍ତି, ସେମାନଙ୍କୁ କଦାପି ଛଡ଼ାଯିବ ନାହିଁ । ସେମାନଙ୍କୁ ଖୋଜି ବାହାର କରିବା ପାଇଁ ସମସ୍ତ ପ୍ରକାର ପ୍ରୟାସ କରାଯିବ ଏବଂ ଦଣ୍ଡିତ କରାଯିବ।"
ଏହି ଘଟଣାରେ ପ୍ରାଣ ହରାଇଥିବା ଲୋକଙ୍କ ପ୍ରତି ସେ ଗଭୀର ସମବେଦନା ଜଣାଇବା ସହ ଆହତମାନଙ୍କ ଶୀଘ୍ର ଆରୋଗ୍ୟ କାମନା କରିଛନ୍ତି । ପ୍ରଧାନମନ୍ତ୍ରୀ ମୋଦୀ ଦେଶବାସୀଙ୍କୁ ଆଶ୍ୱାସନା ଦେଇଛନ୍ତି ଯେ ସରକାର ଦେଶର ସୁରକ୍ଷା ପାଇଁ ପ୍ରତିବଦ୍ଧ ଏବଂ ଆତଙ୍କବାଦକୁ ମୂଳପୋଛ କରିବା ପାଇଁ ସମସ୍ତ ପଦକ୍ଷେପ ନିଆଯିବ। ସେ ଅଧିକ କହିଛନ୍ତି ଯେ ଭାରତ ଏପରି କାପୁରୁଷ ଆକ୍ରମଣରେ ଭୟଭୀତ ହେବ ନାହିଁ ଏବଂ ଆତଙ୍କବାଦ ବିରୋଧରେ ଲଢ଼େଇ ଜାରି ରଖିବ । ସମଗ୍ର ବିଶ୍ୱରୁ ଆତଙ୍କବାଦକୁ ଦୂର କରିବା ପାଇଁ ଭାରତର ପ୍ରୟାସ ଜାରି ରହିବ ବୋଲି ସେ ଦୋହରାଇଛନ୍ତି ।
ଅଧିକ ପଢ଼ନ୍ତୁ--ବଡ଼ ଆତଙ୍କବାଦୀ ଆକ୍ରମଣକୁ ପଣ୍ଡ କଲା ଭାରତ, ଜନଗହଳି ସ୍ଥାନରେ ଆକ୍ରମଣ ଯୋଜନା କରିଥିଲେ ଆତଙ୍କୀ
ଗତ କାଲି (ସୋମବାର) ରାତିରେ ଦିଲ୍ଲୀରେ ଭୟଙ୍କର କାର୍ ବିସ୍ଫୋରଣ ଘଟିଥିଲା , ଯାହା କି ସାରା ଦେଶରେ ହଇଚଇ ସୃଷ୍ଟି କରିଥିଲା । ଏହି ଘଟଣାରେ ମୃତ୍ୟୁ ସଂଖ୍ୟା ୯କୁ ବୃଦ୍ଧି । ଘଟଣାରେ ୨୮ ଜଣ ଆହତ ହୋଇଛନ୍ତି । ଧାରା ୧୬, ୧୮, ୟୁଏପିଏ ଆକ୍ଟ ତଥା ଆତଙ୍କବାଦୀ ବିରୋଧୀ ମାମଲା ରୁଜୁ କରିଛି ଦିଲ୍ଲୀ ପୁଲିସ । କୋଟୱାଲି ପୁଲିସ ଷ୍ଟେସନରେ ରୁଜୁ ହୋଇଛି ମାମଲା । ଏନଆଇଏକୁ ମାମଲାର ତଦନ୍ତ ଭାର ଦିଆଯାଇଛି । ଲାଲକିଲ୍ଲା ମେଟ୍ରୋ ଷ୍ଟେସନ୍ ଗେଟ୍ ନମ୍ୱର-୧ ନିକଟରେ ଏହି ବିସ୍ଫୋରଣ ଘଟିଛି । ସୂଚନା ଅନୁସାରେ, ସନ୍ଧ୍ୟା ୬ଟା ୫୨ ନିକଟରେ ହରିୟାଣା ନମ୍ୱର ପ୍ଲେଟ୍ ବିଶିଷ୍ଟ ଏକ ଧଳା ରଙ୍ଗର ଆଇ-ଟ୍ୱେଣ୍ଟି କାର୍ ଧୀରେ ଧୀରେ ଆସି ରେଡ୍ ଲାଇଟ୍ ନିକଟରେ ଅଟକିଥିଲା । ଏହାପରେ ସେଥିରେ ବଡ଼ ଧରଣର ବିସ୍ଫୋରଣ ହୋଇଥିଲା । ବିସ୍ଫୋରଣ ଏତେ ଶକ୍ତିଶାଳୀ ଥିଲା ଯେ, ଆଖପାଖରେ ଥିବା ବହୁ ଯାନବାହନ କ୍ଷତିଗ୍ରସ୍ତ ହୋଇଛି । ବହୁ ଦୂର ଯାଏଁ ଏହାର ଶବ୍ଦ ଶୁଣାଯିବା ସହ ମେଟ୍ରୋ ଷ୍ଟେସନ ମଧ୍ୟ ଥରି ଉଠିଥିଲା । ଏହାପରେ ସାମ୍ନାକୁ ଆସିଥିଲା ଘଟଣାସ୍ଥଳର ଛାତିଥରା ଚିତ୍ର । ଖଣ୍ଡବିଖଣ୍ଡିତ ମୃତଦେହ ଗୁଡ଼ିକ ଏଣେ ତେଣେ ବିଛାଡ଼ି ହୋଇପଡ଼ିଥିବା ଦେଖିବାକୁ ମିଳିଥିଲା । ବହୁ ମୃତକଙ୍କ ପରିଚୟ ମଧ୍ୟ ମିଳିପାରୁନାହିଁ । ଦିଲ୍ଲୀ ପୁଲିସର କ୍ରାଇମବ୍ରାଞ୍ଚ୍, ସ୍ପେଶାଲ୍ ସେଲ୍, ଏନ୍ଆଇଏ, ଏନ୍ଏସ୍ଜି ଏବଂ ଫରେନ୍ସିକ ଟିମ୍ ଘଟଣାର ତଦନ୍ତ କରୁଛନ୍ତି ।
ଅଧିକ ପଢ଼ନ୍ତୁ--ଦିଲ୍ଲୀ ବିସ୍ଫୋରଣ; ପୁଲୱାମା ବିସ୍ଫୋରଣ ଦିନ ବିକ୍ରି ହୋଇଥିଲା i 20 କାର୍
ଆକ୍ରମଣ ପଛରେ ଆତଙ୍କବାଦୀଙ୍କ ହାତ ଥିବା ନେଇ ସନ୍ଦେହ ପ୍ରକାଶ କରିଛନ୍ତି ପ୍ରତିରକ୍ଷା ବିଶେଷଜ୍ଞ ଅନୀଲ ଗୌର । ଏହା ପୂର୍ବରୁ ହରିଆଣାରୁ ୨୯୦୦ କେଜି ବୋମା ପ୍ରସ୍ତୁତକାରୀ କେମିକାଲ ଜବତ ହୋଇଥିଲା । ଆକ୍ରମଣ ପଛରେ ପାକିସ୍ତାନର ଗୁପ୍ତଚରୀ ସଂସ୍ଥା ଆଇଏସଆଇର ହାତ ଥାଇପାରେ ବୋଲି ସେ କହିଛନ୍ତି । ଏବେ ବିହାର ନିର୍ବାଚନ ସହ ଦେଶର ଅନେକ ସ୍ଥାନରେ ଉପନିର୍ବାଚନ ଚାଲିଛି । ଆଗକୁ ପଶ୍ଚିମବଙ୍ଗ ସହ ଅନ୍ୟ ରାଜ୍ୟରେ ବିଧାନସଭା ନିର୍ବାଚନ ହେବାର ଅଛି । ଦେଶରେ ଅଶାନ୍ତି ସୃଷ୍ଟି କରିବା ଉଦେଶ୍ୟରେ ଏଭଳି ଆକ୍ରମଣ କରାଯାଇଥିବା ସନ୍ଦେହ ପ୍ରକାଶ ପାଇଛି । ତଦନ୍ତ ପରେ ଏହା ପଛର କାହାର ହାତ ଅଛି ତାହା ସଷ୍ଟି ହେବ । ସେପଟେ ଏବେବି ଅପରେସନ ସିନ୍ଦୁର ଜାରୀ ରହିଛି । ନିର୍ବାଚନ ପରେ ଭାରତ ଯବାବ ଦେଇପାରେ ବୋଲି କହିଛନ୍ତି ପ୍ରତିରକ୍ଷା ବିଶେଷଜ୍ଞ ।
Follow Us