Session aap Photograph: (Kanak news)
କନକ ବ୍ୟୁରୋ : ଦିଲ୍ଲୀ ବିସ୍ଫୋରଣକୁ ନେଇ ଗୋଟିଏ ପରେ ଗୋଟିଏ ସତ ପଦାକୁ ଆସୁଛି । ଲାଲକିଲ୍ଲା ସମ୍ମୁଖରେ ହୋଇଥିବା ଏହି ଭୟଙ୍କର ବିସ୍ଫୋରଣରେ ପ୍ରାୟ ୧୨ ଜଣ ଲୋକଙ୍କର ମୃତ୍ୟୁ ଘଟିଥିବା ବେଳେ ଅନେକ ଲୋକ ଆହତ ହୋଇଛନ୍ତି । ଗତ ନଭେମ୍ବର ୧୦ ତାରିଖ ସନ୍ଧ୍ୟାରେ ଲାଲକିଲ୍ଲା ନିକଟରେ ଆତଙ୍କବାଦୀ ଡାକ୍ତର ଉମର ଉଲ୍ ନିଜେ ଆତ୍ମଘାତୀ ବିସ୍ଫୋରଣ ଘଟାଇଥିଲା ।
ତଦନ୍ତକାରୀ ଏଜେନ୍ସିଗୁଡ଼ିକର ଖୁଲାସା ଅନୁଯାୟୀ , ଆତଙ୍କବାଦୀ ଉମର ଏହି ଷଡ଼୍ଯନ୍ତ୍ର ହ୍ୱାଟ୍ସଆପ୍ କି ଟେଲିଗ୍ରାମ୍ ମାଧ୍ୟମରେ ନୁହେଁ ବରଂ ସେସନ୍-ପ୍ରାଇଭେଟ୍ ମେସେଞ୍ଜର ନାମକ ଏକ ଆପ୍ ଜରିଆରେ ରଚିଥିଲା । ବିସ୍ଫୋରଣ ପାଇଁ ଏହି ଆପ୍ ମାଧ୍ୟମରେ ଜଣେ ଅନ୍ୟ ଜଣଙ୍କ ସହ ଚାଟିଂ କରୁଥିଲେ । ଯେଉଁଥିରେ ଲିକ୍ ହେବାର ସମ୍ଭାବନା ନଥିଲା । କାରଣ ଏହି ସେସନ୍ ଆପ୍ ବ୍ୟବହାର କରିବା ପାଇଁ ଆବଶ୍ୟକ ପଡ଼େନି ନାଁ କି ନମ୍ବର । ଯେଉଁଥିପାଇଁ କି ଆତଙ୍କୀମାନଙ୍କୁ ସହଜ ହୋଇଥିଲା ନିଜ ନିଜ ଭିତରେ ଯୋଗାଯୋଗ କରିବା ପାଇଁ ।
ଅଧିକ ପଢ଼ନ୍ତୁ : ବିଲ୍ଡିଂ ନମ୍ବର ୧୭, ରୁମ ନମ୍ବର ୧୩… ଏଇଠି ଭାଇ, ଭଉଣୀ ମିଶି ରଚୁଥିଲେ ଷଡ଼ଯନ୍ତ୍ର
ସୂଚନା ଅନୁସାରେ ସାଧାରଣ ମେସେଜିଂ ଆପ୍ ପରି, ସେସନ୍ ପାଇଁ ମୋବାଇଲ୍ ନମ୍ବର ଆବଶ୍ୟକ ହୁଏ ନାହିଁ ଏବଂ ଏହା କୌଣସି ଚାଟ୍ ମେଟାଡାଟା ଷ୍ଟୋର କରି ରଖେ ନାହିଁ ,ଯାହା ଫଳରେ ତଦନ୍ତକାରୀଙ୍କ ପାଇଁ ମେସେଜ୍ ଟ୍ରେସ୍ କରିବା କିମ୍ବା ବ୍ୟବହାରକାରୀଙ୍କୁ ଚିହ୍ନଟ କରିବା ପ୍ରାୟ ଅସମ୍ଭବ ହୋଇପଡ଼େ । ସୂତ୍ର ଅନୁସାରେ, ଏହି ଆପ୍ IP ଠିକଣାଗୁଡ଼ିକୁ ମାସ୍କ କରିବା ପାଇଁ ଏକାଧିକ ସର୍ଭର ମାଧ୍ୟମରେ ଟ୍ରାଫିକକୁ ରୁଟ୍ କରେ, ଯାହା ଦ୍ୱାରା ବ୍ୟବହାରକାରୀଙ୍କ ପ୍ରକୃତ ସ୍ଥାନକୁ ସୁରକ୍ଷିତ ରଖେ ଏବଂ ସେମାନଙ୍କର ପରିଚୟକୁ ଆହୁରି ଗୋପନ ରଖେ ।
ଅଧିକ ପଢ଼ନ୍ତୁ :ଦିଲ୍ଲୀ ବିସ୍ଫୋରଣର ସାମ୍ନାକୁ ଆସିଲା ସିସିଟିଭି ଫୁଟେଜ: ଏପଟେ ତଦନ୍ତ ପାଇଁ ୧୦ ଜଣିଆ ସ୍ୱତନ୍ତ୍ର ଟିମ ଗଠନ କଲା ଏନଆଇଏ
ତଦନ୍ତ ସମୟରେ, ଗିରଫ ଡକ୍ଟର ମୁଜାମ୍ମିଲ ପ୍ରକାଶ କରିଛି ଯେ ଜେଇଏମ ସହିତ ତାଙ୍କର ପ୍ରାରମ୍ଭିକ ଯୋଗାଯୋଗ ସମୟରେ, ସେ "ଆବୁ ଉକାସା" ନାମରେ ତାଙ୍କ ହ୍ୟାଣ୍ଡଲରଙ୍କ ସହ ଚାଟ୍ କରିଥିଲେ । ଏହି ହ୍ୟାଣ୍ଡଲର ତୁର୍କୀରେ ପଞ୍ଜିକୃତ ଏକ ଭର୍ଚୁଆଲ୍ ନମ୍ବର ବ୍ୟବହାର କରିଥିଲେ । ପ୍ରାରମ୍ଭିକ କଥାବାର୍ତ୍ତା ହ୍ୱାଟସଆପରେ ହୋଇଥିଲା, ଯାହା ତୁର୍କୀ ଦେଶର କୋଡ୍ +90 ବ୍ୟବହାର କରିଥିଲା । ପରେ, ହ୍ୟାଣ୍ଡଲର ମଡ୍ୟୁଲକୁ ସେମାନଙ୍କର କଥାବାର୍ତ୍ତାକୁ ଅଧିକ ଗୋପନୀୟ ରଖିବା କରିବା ପାଇଁ ସେସନ୍ ଆପ୍କୁ ସ୍ୱିଚ୍ କରିବାକୁ ନିର୍ଦ୍ଦେଶ ଦେଇଥିଲେ ।
ନଭେମ୍ବର ୧୦ ତାରିଖ ସନ୍ଧ୍ୟାରେ ଲାଲକିଲ୍ଲା ନିକଟରେ ନିଜେ ଆତ୍ମଘାତୀ ବିସ୍ଫୋରଣ ଘଟାଇଥିଲା ଉମର । ଡିଏନ୍ଏ ଟେଷ୍ଟରୁ ସାମ୍ନାକୁ ଆସିଲା ପୂରା ସତ । ବିସ୍ଫୋରଣ ସ୍ଥଳରୁ ମିଳିଥିଲା ହାଡ଼, ଦାନ୍ତର ନମୁନାରୁ ଯେଉଁ ଡିଏନ୍ଏ ସଂଗ୍ରହ କରାଯାଇଥିଲା ତାହା ଉମରର ପରିବାର ସହ ଶତ ପ୍ରତିଶତ ମେଳ ଖାଉଥିବା ଫରେନସିକ୍ ଯାଞ୍ଚରେ ସ୍ପଷ୍ଟ ହୋଇଛି ।
ଭାରତୀୟ ତଦନ୍ତକାରୀ ସଂସ୍ଥାଗୁଡ଼ିକ ଜାଣିପାରିଛନ୍ତି ଯେ, ୧୧ ଦିନ ପୂର୍ବରୁ ଡାକ୍ତର ଉମର ଧଳା ହୁଣ୍ଡାଇ ଆଇ-୨୦ କାର କିଣିଥିଲେ ଏବଂ ବିସ୍ଫୋରଣ ସମୟରେ କାରରେ ଥିଲେ । ସେ ଫରିଦାବାଦରେ ଗିରଫ ହୋଇଥିବା ଆତଙ୍କୀ ମଡ୍ୟୁଲର ସଦସ୍ୟ ମଧ୍ୟ ଥିଲେ । ପୁଲୱାମାର ସାମ୍ବୁରା ଗାଁର ବାସିନ୍ଦା ଉମରଙ୍କ ମା ଏବଂ ଭାଇଙ୍କଠାରୁ ଡିଏନଏ ନମୁନା ନିଆଯାଇଥିଲା । କାରରେ ମିଳିଥିବା ମୃତଦେହର ଅବଶେଷ ସେଗୁଡ଼ିକ ୧୦୦% ମେଳ ଖାଉଥିବା ଜଣାପଡ଼ିଛି । ମୃତକଙ୍କ ଦାନ୍ତ, ହାଡ଼ ଏବଂ ଅନ୍ୟାନ୍ୟ ଅବଶେଷ ମା ଏବଂ ଭାଇଙ୍କ ନମୁନା ସହିତ ମେଳ ଖାଉଥିବା ଜଣାପଡ଼ିଛି ।
Follow Us