କନକ ବ୍ୟୁରୋ : ଦିଲ୍ଲୀ ବିସ୍ଫୋରଣ ଘଟଣାର ତଦନ୍ତ ପ୍ରକ୍ରିୟା ଯେତିକି ଆଗକୁ ବଢୁଛି, ସେତିକି ସାଂଘାତିକ ଓ ଚାଞ୍ଚଲ୍ୟକର ତଥ୍ୟ ପଦାକୁ ଆସୁଛି । ତଦନ୍ତକାରୀ ସଂସ୍ଥା 'ଏନ୍‌ଆଇଏ'ର ଜେରା ବେଳେ ମୁଖ୍ୟ ଅଭିଯୁକ୍ତ ଡାକ୍ତର ମୁଜାମିଲ୍ ସକିଲ୍ ଯେଉଁ ସ୍ୱୀକାରୋକ୍ତି ଦେଇଛି, ତାହା ଦେଶର ସୁରକ୍ଷା ବ୍ୟବସ୍ଥା ପ୍ରତି ଏକ ବଡ଼ ଆହ୍ୱାନ ସୃଷ୍ଟି କରିଛି । ମୁଜାମିଲ୍ ସ୍ୱୀକାର କରିଛି ଯେ, କେବଳ ଦିଲ୍ଲୀ ନୁହେଁ ବରଂ ଦେଶର ଅନେକ ପ୍ରମୁଖ ଏବଂ ବଡ଼ ବଡ଼ ସହର ଆତଙ୍କବାଦୀଙ୍କ ଟାର୍ଗେଟ୍‌ରେ ଥିଲା ।

Advertisment

ଏନ୍‌ଆଇଏ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଏହି ବିସ୍ଫୋରଣ ପାଇଁ ଷଡ଼୍ଯନ୍ତ୍ର ଆଜି କିମ୍ବା କାଲି ନୁହେଁ, ବରଂ ଦୀର୍ଘ ଦୁଇ ବର୍ଷ ତଳୁ ଅର୍ଥାତ୍ ୨୦୨୩ ମସିହାରୁ ଆରମ୍ଭ ହୋଇଥିଲା । ଆତଙ୍କୀ ଡାକ୍ତର ଗୋଷ୍ଠୀ ଦେଶର ବିଭିନ୍ନ ସ୍ଥାନରେ ଏକାଧିକ ବିସ୍ଫୋରଣ ଘଟାଇବା ପାଇଁ ଏକ ବଡ଼ ଧରଣର ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ କରିଥିଲେ । ଏହି ଯୋଜନାକୁ କାର୍ଯ୍ୟକାରୀ କରିବା ପାଇଁ ଗତ ଦୁଇ ବର୍ଷ ଧରି ସେମାନେ ବିପୁଳ ପରିମାଣର ବିସ୍ଫୋରକ ସାମଗ୍ରୀ ଏକାଠି କରିବାରେ ଲାଗିପଡ଼ିଥିଲେ ।

ଅଧିକ ପଢ଼ନ୍ତୁ--ଭିଜିଲାନ୍ସ ଜାଲରେ ସବ ଟ୍ରେଜେରୀ ସିନିୟର କ୍ଲର୍କ ମନୋରଞ୍ଜନ ସାହୁ

ଏହି ଷଡ଼୍‌ଯନ୍ତ୍ରରେ ଡାକ୍ତର ମୁଜାମିଲ୍‌ର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଥିଲା। ବିସ୍ଫୋରକ ପ୍ରସ୍ତୁତ କରିବା ପାଇଁ ଆବଶ୍ୟକ ହେଉଥିବା 'ଆମୋନିୟମ୍‌ ନାଇଟ୍ରେଟ୍‌' ଯୋଗାଡ଼ କରିବା ଦାୟିତ୍ୱ ତା’ ଉପରେ ନ୍ୟସ୍ତ ଥିଲା । ତଥ୍ୟ ଅନୁସାରେ, ମୁଜାମିଲ୍ ଗୁରୁଗ୍ରାମ ଏବଂ ନୁହ ଅଞ୍ଚଳରୁ ପ୍ରାୟ ୨୬ କ୍ୱିଣ୍ଟାଲ୍‌ର 'ଏନ୍‌ପିକେ ଫର୍ଟିଲାଇଜର' (ସାର) କିଣିଥିଲା, ଯାହାକୁ ବ୍ୟବହାର କରି ବିସ୍ଫୋରକ ପ୍ରସ୍ତୁତ କରାଯାଇଥାନ୍ତା ।

ଅନ୍ୟପକ୍ଷରେ, ମୁଜାମିଲ୍ ସକିଲ୍‌ର ସହଯୋଗୀ ତଥା ଦିଲ୍ଲୀ ବିସ୍ଫୋରଣର ମୁଖ୍ୟ ଅଭିଯୁକ୍ତ ଉମର ଗତ ୧୦ ତାରିଖରେ ଦିଲ୍ଲୀରେ ଆତ୍ମଘାତୀ ବିସ୍ଫୋରଣ ଘଟାଇଥିଲା । ଏହି ଘଟଣା ପଛରେ ଏକ ବଡ଼ ନେଟୱାର୍କ କାମ କରୁଥିବା ସନ୍ଦେହ କରାଯାଉଛି ଏବଂ ଏନ୍‌ଆଇଏ ଏହି ମାମଲାର ତଳିତଳାନ୍ତ ତଦନ୍ତ ଜାରି ରଖିଛି । ଆଗାମୀ ଦିନରେ ଏହି ଘଟଣା ସହ ଜଡିତ ଆହୁରି ଅନେକ ଗୁମର ଖୋଲିବାର ସମ୍ଭାବନା ରହିଛି ।