କନକ ବ୍ୟୁରୋ : ଦିଲ୍ଲୀରେ ଫେବୃଆରୀ ମାସରେ ହୋଇପାରେ ବିଧାନସଭା ନିର୍ବାଚନ । ଏହା ପୂର୍ବରୁ ବିଜେପି, କଂଗ୍ରେସ ଓ ଆମ୍ ଆଦମୀ ପାର୍ଟି ମଧ୍ୟରେ କଡା ଟକ୍କର ଆରମ୍ଭ ହୋଇଯାଇଛି । ଏହିକ୍ରମରେ ଏକ ରୋଚକ ଖବର ସାମ୍ନାକୁ ଆସିଛି । ଦିଲ୍ଲୀର କାଲକାଜୀ ବିଧାନସଭା ନିର୍ବାଚନ ମଣ୍ଡଳୀରୁ ମୁଖ୍ୟମନ୍ତ୍ରୀ ଆତିଶୀ ମାରଲେନା ପ୍ରାର୍ଥୀ ହେବା ନେଇ ଦଳ ସ୍ପଷ୍ଟ କରିଥିବା ବେଳେ ତାଙ୍କୁ ଟକ୍କର ଦେଇପାରନ୍ତି ପୂର୍ବତନ ଆମ୍ ଆଦମୀ ପାର୍ଟିର ବିଧାୟକ ତଥା ଏବେର କଂଗ୍ରେସ ନେତ୍ରୀ ଅଲକା ଲାମ୍ବା । ଏନେଇ କଂଗ୍ରେସ ତରଫରୁ କିଛି ସ୍ପଷ୍ଟ କରାଯାଇନଥିଲେ ବି ଦଳୀୟ ବୈଠକରେ ଏହା ନିଷ୍ପତ୍ତି ହୋଇଥିବା ଜଣାପଡିଛି । ଅଲକା ଲାମ୍ବା ଏହି ଆସନରୁ ନିର୍ବାଚନ ଲଢିବେ ନାହିଁ ବୋଲି କହିଥିଲେ । ହେଲେ କଂଗ୍ରେସର ରାଷ୍ଟ୍ରୀୟ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ଓ ସାଂସଦ ରାହୁଲ ଗାନ୍ଧୀ ବୁଝାସୁଝା କରିବା ପରେ ସେ ପ୍ରାର୍ଥୀ ହେବାକୁ ରାଜି ହୋଇଥିବା ସୂତ୍ର ସୂଚନା ରହିଛି ।
ଅଲକା ଲାମ୍ବା ପ୍ରଥମେ ଆମ୍ ଆଦମୀ ପାର୍ଟି ଟିକେଟରୁ ଚାନ୍ଦିନ ଚୌକ ଆସନରୁ ବିଧାୟିକା ଥିଲେ । ଗତଥର ସେ ଚାନ୍ଦିନ ଚୌକ ଆସନରୁ ନିର୍ବାଚନ ଲଢି ପରାଜିତ ହୋଇଥିଲେ । ଚଳିତ ଥର ବି ଚାନ୍ଦିନ ଚୌକରୁ ପ୍ରର୍ଥୀ ହେବାକୁ ସେ ଦଳୀୟ ଫୋରମରେ ପ୍ରସ୍ତାବ ରଖିଥିଲେ । ହେଲେ ଦଳ ଚାନ୍ଦିନ ଚୌକ ଆସନରୁ ମୁଦିନ ଅଗ୍ରୱାଲଙ୍କୁ ପ୍ରାର୍ଥୀ କରିଛି । ଏହାସହ ଅଲକା ଲାମ୍ବାଙ୍କୁ ଆତିଶୀଙ୍କ ବିପକ୍ଷରେ ପ୍ରାର୍ଥୀ କରିବାକୁ ନିଷ୍ପତ୍ତି ନେଇଛି ।
ସେପଟେ ଦିଲ୍ଲୀ ବିଧାନସଭା ଆସନରୁ ଆମ୍ ଆଦମୀ ପାର୍ଟିର ମୁଖ୍ୟ ଅରବିନ୍ଦ କେଜ୍ରିୱାଲ ପ୍ରାର୍ଥୀ ହେବାକୁ ଯାଉଥିବା ବେଳେ କଂଗ୍ରେସ ସନ୍ଦୀପ ଦିକ୍ଷୀତଙ୍କୁ ପ୍ରାର୍ଥୀ କରିଛି । ସେହିଭଳି ଜଙ୍ଗପୁର ବିଧାନସଭା କ୍ଷେତ୍ରରେ ମନୀଷ ସିସୋଦିଆଙ୍କ ବିରୋଧରେ କଂଗ୍ରେସ ଫରହାଦ ସୁରୀଙ୍କ ନାମ ଘୋଷଣା କରିଛି ।