କନକ ବ୍ୟୁରୋ : ଦିଲ୍ଲୀରେ ପ୍ରଦୂଷଣ ଏଭଳି ସାଂଘାତିକ ସ୍ଥିତିରେ ପହଁଚିଛି ଯେ ରାସ୍ତାଘାଟ ଦେଖାଯାଉନି । ଦିନ ବି ଲାଗୁଛି ସଂଧ୍ୟା ପରି । ଯୁଆଡେ ଆଖି ପଡୁଛି ସେଠି ଖାଲି ପ୍ରଦୂଷଣର ମୋଟା ଆସ୍ତରଣ ରହିଛି । ଦିପାବଳୀ ପରେ ଦିଲ୍ଲୀରେ ସାଂଘାତିକ ରୂପ ନେଲାଣି ପ୍ରଦୂଷଣ । ନିଶ୍ବାସ ନେବା ମୁସ୍କିଲ ହୋଇପଡିଛି । ଦିଲ୍ଲୀରେ ପ୍ରଦୂଷଣର ମାତ୍ରା ଗମ୍ଭୀର ସ୍ଥିତିରେ ରହିଛି । ଆନନ୍ଦବିହାରରେ ସବୁଠାରୁ ପ୍ରଦୂଷଣର ମାତ୍ରା ଅଧିକ ରହିଛି । ସେହିପରି ଦ୍ଵାରକା, ଆରକେ ପୁରମ, ମୁଣ୍ଡକା, ଚାନ୍ଦନୀ ଚୌକରେ ମଧ୍ୟ ଅଧିକ ପ୍ରଦୂଷଣ ରହିଛି । ସ୍ଥିତିକୁ ଦେଖିକି ସୋମବାର ପର୍ଯ୍ୟନ୍ତ ସମସ୍ତ ଘରୋଇ ଓ ସରକାରୀ ପ୍ରାଇମେରୀ ସ୍କୁଲ ବନ୍ଦ ରଖାଯିବା ସହ ଅନଲାଇନ ପାଠ ପଡାଇବାକୁ ନିର୍ଦ୍ଦେଶ ଦେଇଛନ୍ତି ଦିଲ୍ଲୀ ସରକାର
ସେପଟେ ଆଜିଠୁ ଦିଲ୍ଲୀରେ ଗ୍ରାଫ୍ ୩ କଟକଣା ଲାଗୁ କରାଯାଇଛି । ଦିଲ୍ଲୀରେ ପ୍ରଦୂଷଣର ମାତ୍ରା ବୃଦ୍ଧି ପାଇଥିବାରୁ
-ଗ୍ରେଡେଡ ରେସପନ୍ସ ଆକ୍ସନ ପ୍ଲାନ୍ ଗ୍ରାପ ସ୍ତରର ୩ ନମ୍ବର କଟକଣା ଜାରି
-ବିଏସ-୩ ଓ ବିଏସ-୪ ଡିଜେଲ ଚାରି ଚକିଆ ଗାଡି ଚଳାଚଳ ଉପରେ କଟକଣା
-ହାଲୁକା ବ୍ୟବସାୟିକ ଯାନ, ଡିଜେଲ ଟ୍ରକର ପ୍ରବେଶ ଉପରେ କଟକଣା
-ଅନାବଶ୍ୟକ ନିର୍ମାଣ କାର୍ଯ୍ୟ ବନ୍ଦ
-ଉଚ୍ଛେଦ କାର୍ଯ୍ୟ ମଧ୍ୟ ବନ୍ଦ
-ହୋଟେଲ, ରେସ୍ତୋରାଁରେ ତନ୍ଦୁର ଚୁଲିରେ କୋଇଲା ଏବଂ କାଠ ଜାଳିବା ଉପରେ କଟକଣା
-କେବଳ ଜରୁରୀକାଳୀନ କାର୍ଯ୍ୟ ପାଇଁ ଡିଜେଲ ଜେନେରେଟରର ବ୍ୟବହାର ହୋଇପାରିବ
-ଶିଳ୍ପରେ ଅଣସ୍ଵୀକୃତି ଇନ୍ଧନର ବ୍ୟବହାରରେ କଟକଣା
ଯେଣେତେଣେ ରାଜଧାନୀରୁ ପ୍ରଦୁଷଣ କମ କରିବାକୁ କସରତ କରାଯାଉଛି । ଧୂଳିକୁ କମ କରିବାକୁ ରାସ୍ତାରେ ପାଣି ସିଂଚନ ଉପରେ ଗୁରୁତ୍ଵ ଦିଆଯାଉଛି । ତଥାପି ଆଶାନୁରୂପକ ଫଳ ମିଳିପାରୁନି । ଏହି ସବୁ ଭିତରେ ବୟସ୍କ ଓ ପିଲାଙ୍କ ପାଇଁ କାଳ ସାଜିଛି ଦିଲ୍ଲୀର ପ୍ରଦୁଷଣ । ସମସ୍ୟା ନକମିଲେ ଗୁରୁତର ସ୍ବାସ୍ଥ୍ୟ ସମସ୍ୟା ଦେଖାଯିବା ନେଇ ସତର୍କ କରାଇଛନ୍ତି । ସେପଟେ ପ୍ରଦୁଷଣକୁ ନେଇ ବିଜେପି ଓ ଆପ ସରକାରଙ୍କ ମଧ୍ୟରେ ଦୋଷ ଲଦାଲଦି ଜାରି ରହିଛି ।