କନକ ବ୍ୟୁରୋ: ଖରିଫ ଗଲା, ରବି ସରିବ, ପୁଣି ଖରିଫ ଆସୁଛି । ତଥାପି ଚାଷୀଙ୍କ ଟୋକନ୍ ଟେନସନ୍ ଗଲାନି । ଚାଷୀକୁ ଯେତିକି ପରିମାଣର ଧାନ ବିକ୍ରି ପାଇଁ ଟୋକନ୍ ମିଳିଛି, ସେତିକି ଧାନ କିଣା ଯାଉନାହିଁ । ସାଟେଲାଇଟ୍ ଆଧାରରେ ଜମିକୁ ଦେଖି ଧାନ ବିକିବାକୁ ଟୋକନ୍ ଦିଆଯାଇଥିଲା । କିନ୍ତୁ ସେତିକି ଧାନ କିଣା ଯାଉନଥିବା ଅଭିଯୋଗ ହୋଇଛି ।
- ଟୋକନ୍ ପାଇ ବି ଚାଷୀ ହତାଶ
- ଧାନ କିଣୁନାହାନ୍ତି ସରକାର
ବରଗଡ଼ରୁ ବାଲେଶ୍ବର ସମାନ ଅବସ୍ଥା । ଧାନ ବିକ୍ରି ପାଇଁ ଚାଷୀ ଟୋକନ୍ ପାଇ ମଣ୍ଡିରେ ଗଦା କରିଛନ୍ତି । କିନ୍ତୁ ସରକାର ଉଠାଉ ନାହାନ୍ତି । ସରକାର ଟୋକନ୍ ଅନୁସାରେ ଧାନ କିଣିଲେ ଚାଷୀ ଉପକୃତ ହୋଇପାରନ୍ତେ । ହେଲେ ଧାନ ଅମଳ ସମୟକୁ ଆଖି ଆଗରେ ରଖି ଠିକ୍ ସମୟରେ ଟୋକନ୍ ଦିଆଯାଉନାହିଁ । ଦିଆଯାଇଥିବା ଟୋକନ୍ ଅବଧି କିଛିଦିନ ପରେ ଶେଷ ହେବ । ଏଣେ ମଣ୍ଡି ଓ ବିଲରେ ଧାନ ବର୍ଷାରେ ଭିଜି ଗଜା ହେଲାଣି । ଫଳରେ ଚାଷୀ ଅନ୍ୟ ରାଜ୍ୟର ବ୍ୟବସାୟୀଙ୍କୁ ଧାନ ବିକ୍ରି କରିବା ପାଇଁ ବାଧ୍ୟ ହେଉଛନ୍ତି ।
ସେପଟେ ସମବାୟ ମନ୍ତ୍ରୀ ପ୍ରଦୀପ ବଳସାମନ୍ତ କହିଛନ୍ତି, ଧାନ ବିକ୍ରି ପାଇଁ ଚାଷୀ ସମ୍ମୁଖୀନ ହେଉଥିବା ସମସ୍ୟା ସମ୍ପର୍କରେ ରାଜ୍ୟ ସରକାର ଅବଗତ ଅଛନ୍ତି । ଚାଷୀଙ୍କ ପାଇଁ ସବୁ ବ୍ୟବସ୍ଥା କରାଯାଉଛି । ଏ ବର୍ଷ ସରକାର ୨୦ ଲକ୍ଷ ମେଟ୍ରିକ ଟନ୍ ଧାନ କିଣିବାକୁ ଲକ୍ଷ୍ୟ ଧାର୍ଯ୍ୟ କରିଛନ୍ତି । ବାହାର ରାଜ୍ୟର ବ୍ୟବସାୟୀ କି ମିଲର୍ ଓଡ଼ିଶାରୁ ଧାନ କିଣୁଥିଲେ ରାଜ୍ୟ ସରକାର ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲି ସମବାୟ ମନ୍ତ୍ରୀ କହିଛନ୍ତି । ତେବେ ବ୍ୟବସ୍ଥାରେ ସୁଧାର ନଆସିଲେ ଖାଦ୍ୟଶସ୍ୟ ଉପରେ ସରକାର ଯେତେ ବୋନସ୍ ଦେଲେ ମଧ୍ୟ ଚାଷୀ ଉପକୃତ ହୋଇପାରିବେ ନାହିଁ ।