କନକ ବ୍ୟୁରୋ: ସେପ୍ଟେମ୍ବର ଦ୍ବିତୀୟ ସପ୍ତାହରୁ ଦେଶରୁ ପ୍ରାୟତଃ ମୌସୁମୀ ଚାଲିଯାଇଥାଏ । କିନ୍ତୁ ଏଥର ପାଣିପାଗରେ ବଡ ଅସମାନତା ଦେଖିବାକୁ ମିଳିବ । ମୌସୁମୀ ଯିବାରେ ବିଳମ୍ବ ହେବ କିନ୍ତୁ ଏହାରି ଭିତରେ ଅନୁଭୂତ ହେବ ଅସହ୍ୟ ଜାଡ । ଦେଶର ଅଧିକାଂଶ ଅଂଚଳରେ ବର୍ଷା ଓ ବନ୍ୟା ବିତ୍ପାତ ଲାଗି ରହିଥିବାବେଳେ ଶୀତକୁ ନେଇ ଆସିଛି ଥରେଇଲା ଭଳି ଖବର । ବିଶ୍ୱ ପାଣିପାଗ ସଂଗଠନ ବା WMOର ଆକଳନ ଅନୁସାରେ, ଚଳିତବର୍ଷ ଶେଷ ଆଡ଼କୁ ଲା’ ନିନା ପରିସ୍ଥିତି ସୃଷ୍ଟି ହେବାର ୬୦ ପ୍ରତିଶତ ସମ୍ଭାବନା ରହିଛି । ଯାହାର ପ୍ରଭାବରେ ଶୀତଋତୁରେ ଭାରତରେ ପ୍ରବଳ ଶୀତ ଅନୁଭୂତ ହେବ ।

Advertisment

ଲା' ନିନା କେନ୍ଦ୍ରୀୟ ଏବଂ ପୂର୍ବ ବିଷୁବ ସମୁଦ୍ର ପ୍ରଶାନ୍ତ ମହାସାଗରରେ ସମୁଦ୍ର ପୃଷ୍ଠର ତାପମାତ୍ରାର ବୃହତ ପରିମାଣର ଶୀତଳତାକୁ ବୁଝାଏ । ଯାହାଫଳରେ ଭାରତୀୟ ଉପମହାଦେଶରେ ବାୟୁମଣ୍ଡଳୀୟ ସଂଚାଳନରେ ପରିବର୍ତ୍ତନ ହୋଇ ଶୀତକୁ ବଢ଼ାଇବ । ଭାରତୀୟ ପାଣିପାଗ ବିଭାଗ(IMD) ମଧ୍ୟ ଏହି ପୂର୍ବାନୁମାନ ସହିତ ସହମତ ହୋଇଛି, ଯେ ଏହି ବର୍ଷର ଶେଷ ଆଡକୁ ଲା ନିନା ପରିସ୍ଥିତି ସୃଷ୍ଟି ହେବାର ସମ୍ଭାବନା ଅଛି । ଆଗାମୀ ଶୀତଋତୁରେ ଭାରତୀୟ ଉପମହାଦେଶରେ 'ଗମ୍ଭୀର' ଶୀତ ପରିସ୍ଥିତି ରହିବ । ମୌସୁମୀର ଫେରିଯିବା ଆହୁରି ବିଳମ୍ବ ହେବ । ଲା’ନିନା ପ୍ରଭାବରେ ପାଣିପାଗର ବଡ଼ ପରିବର୍ତ୍ତନ ସୃଷ୍ଟି ହେବାକୁ ଯାଉଛି । ନଭେମ୍ବର ଫେବ୍ରୁଆରି ଶୀତଋତୁ ସମୟରେ ପ୍ରବଳ ଶୀତ ଅନୁଭୂତ ହେବ । ଓଡ଼ିଶାରେ ମଧ୍ୟ ପ୍ରବଳ ଥଣ୍ଡା ଅନୁଭୂତ ହେବାର ସମ୍ଭାବନା ରହିଛି । ଏପରିକି ପୂର୍ବ ବର୍ଷଗୁଡ଼ିକ ତୁଳନାରେ ଜାଡ ରେକର୍ଡ ଭାଙ୍ଗିବ ବୋଲି ପୂର୍ବାନୁମାନ କରିଛନ୍ତି ପାଣିପାଗ ବିଶେଷଜ୍ଞ । 

ଚଳିତ ବର୍ଷ ଏପର୍ଯ୍ୟନ୍ତ ଦେଶରେ ୧୦୮ ପ୍ରତିଶତ ମୌସୁମୀ ବର୍ଷା ହୋଇଛି । ଓଡ଼ିଶାରେ ବି ସ୍ୱାଭାବିକଠାରୁ ଅଧିକ ବର୍ଷା ହୋଇଛି । ଗୋଟିଏ ମାସରେ ଚାରିଟି ଲଘୁଚାପ ହେବାରୁ ପ୍ରବଳ ବର୍ଷା ଯୋଗୁଁ ରାଜ୍ୟର ବିଭିନ୍ନ ଅଂଚଳରେ ବନ୍ୟା ଆସିଛି । କିନ୍ତୁ ବିକ୍ଷିପ୍ତ ବର୍ଷା ଯୋଗୁଁ କେତେକ ଅଂଚଳରେ ମରୁଡ଼ି ପରିସ୍ଥିତି ବି ସୃଷ୍ଟି ହୋଇଛି । ଯାହାକି ବଦଳୁଥିବା ପାଣିପାଗର ମିଜାଜକୁ ଦର୍ଶାଉଛି ।