କନକ ବ୍ୟୁରୋ: କାକଟପୁର ମା’ମଙ୍ଗଳାଙ୍କ ଶକ୍ତିପୀଠରେ ଆରମ୍ଭ ହୋଇଥିବା କାମ ଯେମିତି ସରିବାର ନାଁ ନେଉନି । ୨୦୨୩ରେ କାକଟପୁର ମଙ୍ଗଳା ମନ୍ଦିରର ସୌନ୍ଦର୍ଯ୍ୟୀକରଣ ମ୍ୟାପ ପ୍ରସ୍ତୁତ କରିଥିଲେ ପୂର୍ବ ସରକାର । ୧୦ କୋଟି ବ୍ୟୟବରାଦରେ ଆରମ୍ଭ ହୋଇଥିଲା ସୌନ୍ଦର୍ଯ୍ୟୀକରଣ କାମ । ପର୍ଯ୍ୟଟନ ବିଭାଗ ପକ୍ଷରୁ ଏହାର ଦାୟିତ୍ବ ଏକ ସଂସ୍ଥାକୁ ଦିଆଯାଇଥିଲା । ହେଲେ ୨ ବର୍ଷ ଭିତରେ ମାତ୍ର ୩୦ ପ୍ରତିଶତ କାମ ହୋଇଛି । 

Advertisment

କମ୍ପାନୀ ପକ୍ଷରୁ ମନ୍ଥର ଗତିରେ ନିମ୍ନମାନର କାମ କରାଯାଉଥିବା ଅଭିଯୋଗ କରିଛନ୍ତି ମଙ୍ଗଳା ସେବାୟତ। ବର୍ଷା ଦିନେ ମନ୍ଦିର ଗର୍ଭ ଗୃହରୁ ପାଣି ଗଳୁଛି । ବେଢା ମଧ୍ୟରେ ବର୍ଷା ଜଳ ନିଷ୍କାସିତ ହୋଇପାରୁନି । ଏପରିକି କାର୍ଯ୍ୟ ସମ୍ବନ୍ଧିତ କୌଣସି ତଥ୍ୟ ସୂଚନା ଫଳକରେ ପ୍ରଦର୍ଶିତ କରାଯାଇନଥିବା ଅଭିଯୋଗ ହୋଇଛି  ।  

ସୌନ୍ଦର୍ଯ୍ୟୀକରଣରେ ରୋଷଶାଳା ଓ ସେବକ ଭବନ ନିର୍ମାଣ, ମନ୍ଦିରର ମରାମତି, ପାର୍କିଂ ଓ ଡ୍ରେନେଜ ବ୍ୟବସ୍ଥା ସହ ମନ୍ଦିର ପ୍ରବେଶ ପଥରେ ତୋରଣ ନିର୍ମାଣ କରାଯାଇଥାନ୍ତା  । ହେଲେ ଏତେ ଦିନ ଯାଏଁ କାମ ନସରିବା ସମସ୍ତଙ୍କୁ ବ୍ୟଥିତ କରିଛି । କାହିଁକି ମନ୍ଦିର କାମରେ ଅହେତୁକ ବିଳମ୍ବ ହେଉଛି? କେବେ ସରିବ ସୌନ୍ଦର୍ଯ୍ୟୀକରଣ କାର୍ଯ୍ୟ? ଏସବୁ ଉପରେ ରହିଛି କାକଟପୁରବାସୀଙ୍କ ନଜର ।