କନକ ବ୍ୟୁରୋ: କଟକ ଚଣ୍ଡୀ ମନ୍ଦିର ନବୀକରଣ କାର୍ଯ୍ୟର ଅହେତୁକ ବିଳମ୍ବକୁ ନେଇ ପ୍ରଶ୍ନ ଉଠାଇଲା ଚଣ୍ଡୀ ମନ୍ଦିର ସୁରକ୍ଷା କମିଟି। ୨ ବର୍ଷରୁ ଅଧିକ ସମୟ ଧରି କାର୍ଯ୍ୟ ଚାଲିଥିଲେ ମଧ୍ୟ ଏପର୍ଯ୍ୟନ୍ତ ଶେଷ ହୋଇ ପାରିନାହିଁ । ଏ ନେଇ ଆଜି ଚଣ୍ଡୀ ମନ୍ଦିର ସୁରକ୍ଷା କମିଟି ପକ୍ଷରୁ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଚଣ୍ଡୀ ମନ୍ଦିର ପ୍ରକଳ୍ପ କାର୍ଯ୍ୟର ଅହେତୁକ ବିଳମ୍ବକୁ ନେଇ ପ୍ରଶ୍ନ ଉଠାଇଛନ୍ତି। ଓଡିଶାରେ ହୋଇଥିବା ଅନ୍ୟ ମନ୍ଦିରର ନବୀକରଣ କାର୍ଯ୍ୟ ଶେଷ ହୋଇଥିଲେ ମଧ୍ୟ ଚଣ୍ଡୀ ମନ୍ଦିର ପ୍ରକଳ୍ପ କାର୍ଯ୍ୟ ବର୍ତ୍ତମାନ ସୁଦ୍ଧା ଶେଷ ହୋଇପାରି ନାହିଁ । ଯାହାକୁ ଦୁର୍ଭାଗ୍ୟଜନକ କହିଛି କମିଟି। ଏହାସହ ପ୍ରକଳ୍ପ କାର୍ଯ୍ୟରେ ଅବ୍ୟବସ୍ଥା ହେବା ସହ ପ୍ରକଳ୍ପର ଡିପିଆର୍ ସାର୍ବଜନୀନ କରାଯାଉ ବୋଲି କମିଟି ଦାବି କରିଛି । ଏହାସହ ମନ୍ଦିର ପରିସରରେ ତିଆରି ହୋଇଥିବା ଭୋଗ ଏବଂ ପୂଜା ଦୋକାନଗୁଡିକୁ ସଙ୍କୁଚିତ କରିବା ଯୋଗୁଁ ବ୍ୟବସାୟ କରିବା କଷ୍ଟକର ହେଉଛି ବୋଲି କମିଟି କହିଛି । ଏହାସହ ଭଙ୍ଗା ଯାଇଥିବା ୧୬ଟି ଦୋକାନ ଗୃହ ବାବଦରେ ବ୍ୟବସାୟୀମାନଙ୍କୁ କ୍ଷତିପୂରଣ ସହ ଦୋକାନ ଗୃହ ଯୋଗାଇ ଦେବାର ପ୍ରତିଶ୍ରୁତି ପୂରଣ କରାଯାଇ ନଥିବାରୁ ସରକାରଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ଦିଆଯିବ ବୋଲି କମିଟି କହିଛି। ୭୦ କୋଟି ଟଙ୍କା ବ୍ୟୟବରାଦରେ ପୂର୍ବ ବିଜେଡି ସରକାର ସମୟରେ ୨୦୨୨ ମସିହାରୁ କଟକ ଚଣ୍ଡୀ ମନ୍ଦିର ନବୀକରଣ ପ୍ରକଳ୍ପ କାର୍ଯ୍ୟ ଆରମ୍ଭ ହୋଇଥିଲା।